ସ୍ମାର୍ଟ ସିଟି ଯନ୍ତ୍ରଣା: ଆଉ କେତେ ବଢ଼ିବ ଅବଧି?

ଖର୍ଚ୍ଚ ବଢ଼ିଲା ୩କୋଟି, କେମିତି ହେବ ସ୍ମାର୍ଟ ଜନପଥ

ଭୁବନେଶ୍ବର: ୨୦୧୮ ମସିହା, ଜୁନ୍‌ ୧୭ ଅପରାହ୍ନ ୫ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ମାର୍ଟ ଜନପଥର ସମୀକ୍ଷା କରିଥିଲେ। ଶିଶୁ ଭବନ ଛକରେ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡର ତତ୍କାଳୀନ ପରିଚାଳନା ନିର୍ଦ୍ଦେଶକ କ୍ରିଷନ କୁମାର, ମୁଖ୍ୟ କାର୍ଯ୍ୟନିର୍ବାହୀ ଭିନିଲ କ୍ରିଷ୍ଣା ମୁଖ୍ୟମନ୍ତ୍ରୀଙ୍କୁ ସ୍ମାର୍ଟ ଜନପଥର ନୀଳ ନକ୍ସା ଦେଖାଇଥିଲେ। ଜନପଥ କେମିତି ଅଛି, ସ୍ମାର୍ଟ ଜନପଥ କେମିତି ହେବ, କେତେ ଖର୍ଚ୍ଚ ହେବ, କେଉଁଠି କ’ଣ ରହିବ, ଦୁଇ ବର୍ଷରେ ସରିବ ଇତ୍ୟାଦି ଇତ୍ୟାଦି ବୁଝାଇଥିଲେ। ମୁଖ୍ୟମନ୍ତ୍ରୀ ପ୍ରକଳ୍ପର ସମୀକ୍ଷା କରୁଥିବାରୁ ଏହି ପ୍ରକଳ୍ପ ଧାର୍ଯ୍ୟ ସମୟରେ ଶେଷ ହେବ ବୋଲି ରାଜଧାନୀବାସୀ ବିଶ୍ବାସ ରଖିଥିଲେ। ହେଲେ ଦୁଇ ବର୍ଷରେ ସରିବାର ଥିବା ପ୍ରକଳ୍ପ ଏବେ ୪ବର୍ଷ ମୁହାଁ ହେଲାଣି। ବିଏସ୍‌ସିଏଲ୍‌ କର୍ତ୍ତୃପକ୍ଷ ବର୍ଷକୁ ଦୁଇ ଥର ସ୍ମାର୍ଟ ଜନପଥର ଅବଧି ବଢ଼ାଇ ଚାଲିଥିବାରୁ ଏହି ପ୍ରକଳ୍ପ କେବେ ସରିବ, ଅବଧି ଆଉ କେତେ ବଢ଼ିବ ସେନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଉଠିଲାଣି। ସ୍ମାର୍ଟ ସିଟି ପ୍ରତିଯୋଗିତାରେ ସାରା ଦେଶରେ ପ୍ରଥମ ହୋଇଥିବା ଭୁବନେଶ୍ବରର ପ୍ରଥମ ବଡ଼ ପ୍ରକଳ୍ପ ହେଉଛି ସ୍ମାର୍ଟ ଜନପଥ। ଶିଶୁଭବନରୁ ବାଣୀବିହାର ପର୍ଯ୍ୟନ୍ତ ୫.୮କିମିର ରାସ୍ତାକୁ ଏକ ନୂଆ ରୂପ ଦିଆଯାଉଛି। ହେଲେ ଜନପଥ ସ୍ମାର୍ଟ ହେବା ପୂର୍ବରୁ ରାଜଧାନୀବାସୀଙ୍କୁ ଯେତିକି ନିର୍ଯାତନା ଦେଲାଣି ତାହା ସବୁ ସୀମା ଟପିଲାଣି। ବିଏସ୍‌ସିଏଲ୍‌ କର୍ତ୍ତୃପକ୍ଷ କିପରି ସ୍ମାର୍ଟ ସିଟି ପ୍ରକଳ୍ପ କାମ କରୁଛନ୍ତି ତାହା ଏହି ଗୋଟିଏ ପ୍ରକଳ୍ପକୁ ଦେଖିଲେ ଜଣାପଡ଼ିଯାଉଛି।

ଅକ୍ଟୋବର ୨୦୧୭ରେ ଏହି ସ୍ମାର୍ଟ ଜନପଥ କାମ ଆରମ୍ଭ ହୋଇଥିବାବେଳେ ଦୁଇ ବର୍ଷରେ ଅର୍ଥାତ୍ ଅକ୍ଟୋବର ୨୦୧୯ରେ ଶେଷ ହେବାର ଥିଲା। ହେଲେ ତିନି ବର୍ଷ ପରେ ବି ଅଧା କାମ ବାକି ଅଛି। କେବେ ସ୍ମାର୍ଟ ଜନପଥ କାମ ସରିବ ସେନେଇ ରାଜଧାନୀବାସୀ ପ୍ରଶ୍ନ କରୁଥିବାବେଳେ କର୍ତ୍ତୃପକ୍ଷ ଅବଧି ବଢ଼ାଇ ଚାଲିଛନ୍ତି। ଦୁଇ ବର୍ଷରେ ସରିବାର ଥିବା ପ୍ରକଳ୍ପ ଏବେ ସାଢ଼େ ତିନି ବର୍ଷରୁ ଅଧିକ ସମୟ ଲାଗିବ ବୋଲି କର୍ତ୍ତୃପକ୍ଷ କହିଲେଣି। ଏବେ ସ୍ମାର୍ଟ ଜନପଥ ପ୍ରକଳ୍ପ ମେ, ୨୦୨୧ରେ ସରିବ ବୋଲି ବିଏସ୍‌ସିଏଲ୍‌ ପକ୍ଷରୁ କୁହାଯାଇଛି। ଏହାପାଇଁ ବି ବହୁତ କାରଣ ଖଞ୍ଜିକି ରଖାଯାଇଛି। ସ୍ମାର୍ଟ ଜନପଥ କାମ ବିଳମ୍ବ ପାଇଁ ଏବେ ଘରୋଇ ସଂସ୍ଥାକୁ ତାଗିଦ୍‌ କରିବା ବଦଳରେ କର୍ତ୍ତୃପକ୍ଷ କହୁଛନ୍ତି ଯେ, ବାତ୍ୟା ଫନି, କରୋନା ଜନିତ ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍ ଯୋଗୁଁ କାମ ବନ୍ଦ ରହିଲା। ଏହାବାଦ୍‌ ଗେଲ୍‌ ପକ୍ଷରୁ ଗ୍ୟାସ୍‌ ପାଇପ୍‌ ବିଛା ଯାଉଥିବାରୁ, ଓପିଟିସିଏଲ୍‌ ପକ୍ଷରୁ ଭୂତଳ କେବୁଲ୍‌ ବିଛାଇବାରେ ବିଳମ୍ବ, ଜନସ୍ବାସ୍ଥ୍ୟ ବିଭାଗ ପାଣି ପାଇପ୍ ସ୍ଥାନାନ୍ତର କରିବାରେ ବିଳମ୍ବ କରିବାରୁ କାମ ବିଳମ୍ବ ହେଉଛି। ମେ’ ମାସ ପୂର୍ବରୁ ନିଶ୍ଚିତ ସରିବ। ସ୍ମାର୍ଟ ଜନପଥ ଅବଧି ଘୁଞ୍ଚି ଘୁଞ୍ଚି ଯାଉଥିବାରୁ ରାଜଧାନୀବାସୀ ପ୍ରଶ୍ନ କଲେଣି ଆଉ କେତେ ଅବଧି ବଢ଼ିବ।

ଖର୍ଚ୍ଚ ବଢ଼ିଲା ୩କୋଟି
ସ୍ମାର୍ଟ ଜନପଥ କାମ ଯେତେ ବିଳମ୍ବ ହେଉଛି ଏହାର ଖର୍ଚ୍ଚ ବି ସେତେ ବଢ଼ିବାରେ ଲାଗିଛି। ୭୯.୫୬କୋଟିର ଏହି ଇପିସି ପ୍ରକଳ୍ପର ଟେଣ୍ଡର ମୂଲ୍ୟ ଠାରୁ ଅଧିକ ଅର୍ଥ ଦେଲେ କାଳେ କିଛି ସମସ୍ୟା ହେବ ବୋଲି କର୍ତ୍ତୃପକ୍ଷ ଏବେ କିଛି ନୂଆ କାମ ଯୋଡ଼ି ଦେଇଛନ୍ତି। ଯେଉଁଥିପାଇଁ ସଂସ୍ଥାକୁ ଅଧିକ ଅର୍ଥ ଦେବାର ବାଟ ଖୋଲିଛି। ସ୍ମାର୍ଟ ଜନପଥ ପାଇଁ ଘରୋଇ ସଂସ୍ଥା ଆର୍‌କେଡି ଡିଜାଇନ୍ ପ୍ରସ୍ତୁତ କରିବା ସହ ପ୍ରକଳ୍ପ ମୂଲ୍ୟ ବି ଧାର୍ଯ୍ୟ କରିଥିଲା। ସେହି ଅନୁଯାୟୀ କାମ ବି ହେଉଥିଲା। କିନ୍ତୁ ଏବେ କର୍ତ୍ତୃପକ୍ଷ କିଛି ଡିଜାଇନ୍ ବଦଳୁଥିବା କହି ଏହି ପ୍ରକଳ୍ପ ମୂଲ୍ୟ ୮୨କୋଟି ୫୬ଲକ୍ଷକୁ ବଢ଼ାଇଛନ୍ତି।
ବିଏସ୍‌ସିଏଲ୍‌ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ବସ୍‌ଷ୍ଟପ୍ ନିକଟରେ ଖୋଲା କିଓସ୍କ ଲାଗିବ, ଡିଭାଇଡର୍‌ର ଦୁଇପାର୍ଶ୍ବରେ ଲୁହା ବାଡ଼ ଲାଗିବ। ଏବେ ଏହି ଶିଶୁଭବନରୁ ରାଜମହଲ ପର୍ଯ୍ୟନ୍ତ ରାସ୍ତାରେ ଏହି ଲୁହା ବାଡ଼ ଲାଗିଥିବାବେଳେ ଆଗକୁ ବାଣୀବିହାର ପର୍ଯ୍ୟନ୍ତ ଡିଭାଇଡର୍‌ରେ ଏହି ବାଡ଼ ଲାଗିବ। ଆଉ କିଛି ନୂଆ ଜିନିଷ ଲାଗିବାର ଅଛି। ତେଣୁ ପ୍ରକଳ୍ପ ଖର୍ଚ୍ଚ ଅଧିକ ୩କୋଟି ବଢ଼ିଛି।

କେମିତି ହେବ ସ୍ମାର୍ଟ ଜନପଥ
ସ୍ମାର୍ଟ ଜନପଥ ରାଜଧାନୀର ସବୁ ରାସ୍ତାଠୁ ଭିନ୍ନ ହେବ। ଯାନବାହନ ଚଳାଚଳ ପାଇଁ ଚାରିଥାକିଆ ରାସ୍ତା ସହ ପଥଚାରୀଙ୍କ ପାଇଁ ସ୍ବତନ୍ତ୍ର ଫୁଟପାଥ୍‌, ସାଇକେଲ୍‌ ଚାଳକଙ୍କ ପାଇଁ ସ୍ବତନ୍ତ୍ର ସାଇକେଲ୍‌ ଟ୍ରାକ୍‌, ବର୍ଷା ଜଳ ନିଷ୍କାସନ ପାଇଁ ପ୍ରଶସ୍ତ ଓ ଗଭୀର ଡ୍ରେନ୍, ପାଣି ଲାଇନ୍, ସ୍ବେରେଜ୍‌ ଲାଇନ୍, ବିଭିନ୍ନ ଟେଲିକମ୍‌ ସଂସ୍ଥାର କେବୁଲ୍‌, ସ୍ମାର୍ଟ ସଲ୍ୟୁସନ୍ ପାଇଁ କେବୁଲ୍‌, ଗ୍ୟାସ୍‌ ପାଇପ୍ ବିଛାଇବା ପାଇଁ ୟୁଟିଲିଟି କରିଡର ରହିବ। ସ୍ମାର୍ଟ ଟ୍ରାଫିକ ବ୍ୟବସ୍ଥା ରହିବ। ପ୍ରତି ଛକରେ ଲୋକ ରାସ୍ତା ଅତିକ୍ରମ କରିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ରହିବ। ରାସ୍ତା କଡ଼ରେ ଲୋକ ବସିବା ଓ ଆମୋଦ ପ୍ରମୋଦ ପାଇଁ ପବ୍ଲିକ ପ୍ଲାଜା, ସେଲ୍‌ଫି ଜୋନ୍, ଅଳଙ୍କୃ୍ତ ଲାଇଟ୍‌,‌ ଗୋଟିଏ ଡିଜାଇନ୍‌ର ଭେଣ୍ଡିଂ ଜୋନ୍‌, ସ୍ମାର୍ଟ କିଓସ୍କ ଆଦି ରହିବ।

ସମ୍ବନ୍ଧିତ ଖବର