ଟାର୍ଗେଟ୍‌ରୁ ବହୁ ଦୂରରେ ଭୁବନେଶ୍ୱର

ସ୍ମାର୍ଟ ସିଟି ଯୋଜନାକୁ ଆଜି ୩ ବର୍ଷ ପୂରିବ

ଭୁବନେଶ୍ୱର (ବିଶ୍ୱଜିତ ଦାଶ): ସ୍ମାର୍ଟ ସିଟି ଯୋଜନାକୁ ୨୫ ତାରିଖ ଦିନ ୩ ବର୍ଷ ପୂରିବ। ହେଲେ ସ୍ମାର୍ଟ ସିଟି ପ୍ରତିଯୋଗିତାରେ ଆକର୍ଷଣୀୟ ପ୍ରସ୍ତାବ ପ୍ରସ୍ତୁତ କରି ଦେଶର ୨୦ଟି ସ୍ମାର୍ଟ ସିଟି ତାଲିକାରେ ପ୍ରଥମ ସ୍ଥାନ ହାସଲ କରିଥିବା ଭୁବନେଶ୍ୱର ଏବେ ଟାର୍ଗେଟ୍‌ରୁ ବହୁ ପଛରେ ପଡ଼ିଯାଇଛି। ଜାନୁଆରି ୨୮,୨୦୧୬ ରୁ ସ୍ମାର୍ଟ ସିଟି ତାଲିକା ଘୋଷଣା ହୋଇଥିଲେ ହେଁ ଭୁବନେଶ୍ୱରକୁ ସ୍ମାର୍ଟ ସିଟିରେ ପରିଣତ କରିବା ପାଇଁ କର୍ତ୍ତୃପକ୍ଷଙ୍କ ପଦକ୍ଷେପ ଆଶାନୁରୂପ ହୋଇନାହିଁ। ଯେପରି ପ୍ରକଳ୍ପ କାର୍ଯ୍ୟ ଆଗେଇବା କଥା ସେହିପରି ହୋଇପାରୁନି। ମାତ୍ର ହାତଗଣତି କେତୋଟି ପ୍ରକଳ୍ପ ସରିଥିବା ବେଳେ, କେତେକ ପ୍ରକଳ୍ପ ନିର୍ମଣାଧୀନ ସ୍ଥିତିରେ ଅଛି। ଆଉ କିଛି ପ୍ରକଳ୍ପ ପାଇଁ ତ ଏବେ ସୁଦ୍ଧା ପ୍ରସ୍ତୁତି ଆରମ୍ଭ ହୋଇନି। ଯେଉଁଥିପାଇଁ ଏବେ ସ୍ମାର୍ଟ ସିଟିରେ ହେବାକୁ ଥିବା ବହୁ ପ୍ରକଳ୍ପ ଯୋଜନା ସ୍ତରରେ ହିଁ ରହିଯାଇଛି। ଭୁବନେଶ୍ୱରକୁ ସ୍ମାର୍ଟ ସିଟି କରିବା ପାଇଁ ରାଜ୍ୟ ସରକାର ଯେଉଁ ଯୋଜନା ସବୁ କରିବେ ବୋଲି କହିଥିଲେ, ସେଥିରୁ କ’ଣ କରିଛନ୍ତି ବୋଲି ନିକଟରେ ହୋଇଥିବା ସମୀକ୍ଷାରୁ ଜଣାପଡ଼ିଛି ଯେ, ସ୍ମାର୍ଟ ସିଟି ଭୁବନେଶ୍ୱର ପ୍ରସ୍ତାବିତ ଯୋଜନାକୁ କାର୍ଯ୍ୟକାରୀ କରିବାରେ ଯେମିତି ଆଗେଇବା କଥା ସେମିତି ଆଗେଇ ପାରିନି। କେବଳ ସହିଦନଗରରେ ପ୍ରାୟ ୨କୋଟି ଟଙ୍କାରେ ତିନିଟି ସ୍ମାର୍ଟ ପାର୍କ, ସେନ୍‌ସୋରି ପାର୍କ, ୮.୫୦ କୋଟିରେ ଭୁବନେଶ୍ୱର ଅର୍ବାନ୍‌ ନଲେଜ୍‌ ସେଣ୍ଟର ଅଧୀନରେ ବିଭିନ୍ନ ପ୍ରକାରର ପେଣ୍ଟିଂ କାର୍ଯ୍ୟ, ୧୨କୋଟି ଟଙ୍କାରେ ଆଇ ଆମ୍‌ ଭୁବନେଶ୍ୱର େଓ୍ଵବସାଇଟ୍‌ ନିର୍ମାଣ ଶେଷ ହୋଇଥିବାବେଳେ, ସୋସିଆଲି ସ୍ମାର୍ଟ ଭୁବନେଶ୍ୱର କାର୍ଯ୍ୟକ୍ରମ ବି ଚାଲିଛି। ୧୦ରୁ ଅଧିକ ପ୍ରକଳ୍ପ କାର୍ଯ୍ୟ ଏବେ ନିର୍ମଣାଧୀନ ସ୍ଥିତିରେ ଅଛି। ଆଉ ୧୦ରୁ ଅଧିକ ପ୍ରକଳ୍ପ ପାଇଁ ଏପର୍ଯ୍ୟନ୍ତ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇନି। ଗତବର୍ଷ ସ୍ମାର୍ଟ ସିଟି ଭୁବନେଶ୍ୱରର କାର୍ଯ୍ୟ ଧିମେଇ ଯାଇଥିବାରୁ ସ୍ମାର୍ଟ ସିଟି ମିସନ ପକ୍ଷରୁ ମୁଖ୍ୟ ଶାସନ ସଚିବ ଏବଂ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖି ତାଗିଦ୍‌ କରାଯାଇଥିଲା। ଜୁନ୍‌ ୨୫,୨୦୧୭ ସୁଦ୍ଧା ବହୁ ପ୍ରକଳ୍ପ ଶେଷ କରିବାକୁ ତାଲିକା ଧରାଇ ଦିଆଯାଇଥିଲା। କିନ୍ତୁ ଏ ପର୍ଯ୍ୟନ୍ତ ଏଥିରୁ ଅଧିକାଂଶ ପ୍ରକଳ୍ପ ପାଇଁ ଟେଣ୍ଡର ପ୍ରକ୍ରିୟା ବି ଆରମ୍ଭ ହୋଇପାରିଲାନି। ଗତ ଜୁନ୍‌ ୨୫ ସୁଦ୍ଧା ଭୁବନେଶ୍ୱର ଓ୍ଵାନ୍‌ ପ୍ରକଳ୍ପ କାର୍ଯ୍ୟ ତିନିଟି ପ୍ରକ୍ରିୟାରେ ଶେଷ କରିବାକୁ ଯୋଜନା ହୋଇଥିଲେ ହେଁ ଏହା ଏପର୍ଯ୍ୟନ୍ତ ସରିଲାନି। ଏହାର ଦୁଇଟି ପର୍ଯ୍ୟାୟ କାର୍ଯ୍ୟ ଶେଷ ହୋଇଥିବାବେଳେ ଏହା ସଂପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହେବାକୁ ଆଉ କିଛି ସମୟ ଲାଗିବ ବୋଲି କୁହାଯାଇଛି। ସ୍ମାର୍ଟ ସିଟି ପ୍ରତିଯୋଗିତାରେ ଦେଶର ଏକ ନମ୍ବର ସ୍ଥାନ ହାସଲ କରିଥିବା ଭୁବନେଶ୍ୱର ମଧ୍ୟ ଦେଶର ପ୍ରଥମ ସହର ଭାବେ ସ୍ପେଶାଲ ପରପୋଜ୍‌ ଭେଇକିଲ୍‌ (ଏସ୍‌ପିଭି) ଗଠନ କରିଥିଲା। କିନ୍ତୁ ଏହି ଏସ୍‌ପିଭିରେ ଥିବା ଅଧିକାରୀମାନେ ଏକାଧିକ ବିଭାଗର ଦାୟିତ୍ୱରେ ଥିବାରୁ ସ୍ମାର୍ଟ ସିଟି ଭୁବନେଶ୍ୱରର ବିଭିନ୍ନ କାର୍ଯ୍ୟ କିପରି ଦ୍ରୁତ ଗତିରେ ହେବ ସେନେଇ ଅଧିକ ଧ୍ୟାନ ଦେଇପାରୁନାହାନ୍ତି। ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ତଥା ବିଡିଏ ଉପାଧ୍ୟକ୍ଷ ଏବଂ ବିଏମ୍‌ସି କମିସନର କ୍ରିଷନ କୁମାରଙ୍କ ଏକାକୀ ନେତୃତ୍ୱରେ ସବୁ ପ୍ରକଳ୍ପ ଆଗେଇଛି। ଅନ୍ୟ ବରିଷ୍ଠ ଅଧିକାରୀମାନେ ସ୍ମାର୍ଟ ସିଟି ଏସ୍‌ପିଭିରେ ଗୁରୁତ୍ୱପୂର୍ଣ୍ଣ ପଦବିରେ ଥିଲେ ବି ନିଷ୍ପତ୍ତି ନେବାରେ ଅକ୍ଷମ ଥିବାରୁ ସ୍ମାର୍ଟ ସିଟି କାର୍ଯ୍ୟ ଯେପରି ଆଗେଇବା କଥା ସେହିପରି ହେଉନି ବୋଲି କୁହାଯାଉଛି।

୨୮୧୫ କୋଟିର ପ୍ରକଳ୍ପ ଭାଗ୍ୟ ଏବେ ବି ଅନ୍ଧାରରେ
ସ୍ମାର୍ଟ ସିଟି ଯୋଜନାରେ ସମସ୍ତ ବଡ଼ ପ୍ରକଳ୍ପ ତଥା ପିପିପି ମୋଡରେ ହେବାକୁ ଥିବା ପ୍ରକଳ୍ପ ନେଇ ଏବେ ସୁଦ୍ଧା କୌଣସି ପ୍ରକାରର ଆଖିଦୃଶିଆ କାର୍ଯ୍ୟକ୍ରମ ହାତକୁ ନିଆଗଲାନି। ଏପରିକି ଏଥିରୁ କେତୋଟି ପ୍ରକଳ୍ପ କେବେ ଆରମ୍ଭ ହେବ, କିପରି ହେବ ସେନେଇ ମଧ୍ୟ କର୍ତ୍ତୃପକ୍ଷଙ୍କ ନିକଟରେ କିଛି ଉତ୍ତର ନାହିଁ। ପ୍ରାୟ ୨୮୧୫.୨୮କୋଟି ଟଙ୍କାର ପ୍ରକଳ୍ପର ଭାଗ୍ୟ ଏବେ ଅନ୍ଧାରରେ। ଏହି ପ୍ରକଳ୍ପଗୁଡ଼ିକ ହେଲା ୪୫୦କୋଟିର ସ୍ମାର୍ଟ ସଲ୍ୟୁସନ୍ସ, ୪୭କୋଟିର ଲେକ୍‌ ନ୍ୟୁଟ୍ରାଲ, ୧୦.୫୦କୋଟିର ଇ-ରିକ୍ସା, ୮୪୦କୋଟିର ମିସନ୍‌ ଆଓ୍ଵାସ୍‌, ୨୪.୧୫କୋଟିର େଓ୍ଵଷ୍ଟ-ଲେଟ୍‌ସ ରିସାଇକେଲ୍‌, ୮୨.୫୦କୋଟିର ସୋଲାର ସିଟି ରୁଫ୍‌ ଟପ୍‌, ୬.୭୩କୋଟିର ଷ୍ଟ୍ରିଟ ଭେଣ୍ଡର ଉନ୍ନତିକରଣ ପ୍ରକଳ୍ପ, ୫୦୦କୋଟିର ଥ୍ରି ଆଇ ମଡେଲ, ୯.୪୦କୋଟିର ମ୍ୟୁଜିୟମ୍‌ ଅଫ୍‌ ଅର୍ବାନ୍‌ ହିଷ୍ଟ୍ରି, ୮୪୫କୋଟିର ରେଳ ଷ୍ଟେସନ୍‌ ମଲ୍ଟି ମୋଡାଲ ହବ୍‌। ଥ୍ରି ଆଇ ମଡେଲରେ ଭୁବନେଶ୍ୱର ଟାଉନ ସେଣ୍ଟର ଡିଷ୍ଟ୍ରିକ୍ଟ ଅଞ୍ଚଳରେ ସ୍ୱେରେଜ୍‌ ପ୍ରକଳ୍ପ, ୨୪ଘଣ୍ଟା ପାନୀୟ ଜଳ ଯୋଗାଣ, ଜଳ ପରିଚାଳନା ବ୍ୟବସ୍ଥା, ସିଟି ଗ୍ୟାସ ଆବଣ୍ଟନ, ସିଟି ଫାଇବରିଂ, ସ୍ମାର୍ଟ ଏନର୍ଜି ମିଟର, ସ୍ମାର୍ଟ ପାଣି ମିଟର ଲଗାଇବାକୁ ଯୋଜନା ହୋଇଛି। ଏନେଇ ସ୍ୱତନ୍ତ୍ର ୟୁଟିଲିଟି କରିଡର ନିର୍ମାଣ କରାଯିବ।

ଗତ ବର୍ଷ ଟଙ୍କାଟେ ବି ମିଳିନି
ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସ୍ମାର୍ଟ ସିଟି ଯୋଜନାରେ ଭାଗିଦାର ହେବାକୁ ଥିବାବେଳେ ସମାନ ଭାଗ ଦେଇ ହଜାରେ କୋଟି ଦେବାକୁ ନିଷ୍ପତ୍ତି ହୋଇଛି। କିନ୍ତୁ ଗତ ଆର୍ଥିକ ବର୍ଷରେ ନା କେନ୍ଦ୍ର ନା ରାଜ୍ୟ ସରକାର କେହି ଟଙ୍କାଟେ ବି ଦେଇନାହାନ୍ତି। ୨୦୧୫-୧୬ ଓ ୨୦୧୬-୧୭ ଦୁଇ ଆର୍ଥିକ ବର୍ଷରେ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡକୁ ୩୯୨କୋଟି ଟଙ୍କା ମିଳିଛି। ଏଥିରେ କେନ୍ଦ୍ର ସରକାର ୧୯୬କୋଟି ଦେଇଥିବାବେଳେ ରାଜ୍ୟ ସରକାର ବି ୧୯୬କୋଟି ଦେଇଛନ୍ତି। ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ ଏଥିରୁ ମାତ୍ର ୯୦କୋଟି ଖର୍ଚ୍ଚ କରିଥିବାବେଳେ ବାକି ଟଙ୍କା ବ୍ୟାଙ୍କରେ ଜମା ହୋଇ ରହିଛି। ସ୍ମାର୍ଟ ସିଟି କର୍ତ୍ତୃପକ୍ଷ ସୁଧ ଖାଉଥିଲେ ହେଁ ଟଙ୍କା କିପରି ଅଧିକ ଖର୍ଚ୍ଚ ହେବ ସେନେଇ କାମ ତ୍ୱରାନ୍ଵିତ ହେଉନି। ଗତ ଆର୍ଥିକ ବର୍ଷରେ ଏବଂ ଚଳିତ ବର୍ଷ ଟଙ୍କା ନଦିଆଯିବା ନେଇ ସ୍ମାର୍ଟ ସିଟି ମିସନ୍‌ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ସ୍ମାର୍ଟ ସିଟି ଲିମିଟେଡ ଗୁଡ଼ିକୁ ଯେତିକି ଟଙ୍କା ଦିଆଯାଇଛି ସେମାନେ ତାହାକୁ ଖର୍ଚ୍ଚ କରିପାରିନାହାନ୍ତି। ତେଣୁ ଅଧାରୁ ଅଧିକ ଟଙ୍କା ଖର୍ଚ୍ଚ କରିବା ପରେ ବାକି ଟଙ୍କା ଦିଆଯିବ ବୋଲି କୁହାଯାଇଛି। ଏପଟେ ରାଜ୍ୟ ସରକାର ଗତ ଦୁଇ ବର୍ଷ ହେଲା ତାଙ୍କ ଭାଗ ଅର୍ଥ ନଦେବା ନେଇ ପଚାରିବାରୁ ଜାଣିବାକୁ ମିଳିଛି ଯେ, କେନ୍ଦ୍ର ସରକାର ତାଙ୍କ ଭାଗ ଦେଲେ ଆମେ ଆମ ଭାଗ ଦେବୁ। ରାଜ୍ୟ ସରକାର ଟଙ୍କା ଦେବାରେ କିଛି ଅସୁବିଧା ନାହିଁ।

ଖୁବ୍‌ଶୀଘ୍ର କାର୍ଯ୍ୟକ୍ଷମ ହେବାକୁ ଥିବା ପ୍ରକଳ୍ପ
ସହିଦ ନଗର ଓ ୟୁନିଟ-୨ରେ ୭୯ କୋଟି ଟଙ୍କାରେ ନିର୍ମାଣ ହେଉଥିବା ବହୁତଳ କାର୍‌ ପାର୍କିଂ ବ୍ୟବସ୍ଥା, ୭୯.୫୬ କୋଟିର ସ୍ମାର୍ଟ ଜନପଥ ରାସ୍ତା, ୬କୋଟିର ସୋସିଆଲ ଇକ୍ୟୁଟି ସେଣ୍ଟର, ୨କୋଟିର ଇଣ୍ଟିଗ୍ରେଟେଡ୍‌ ପବ୍ଲିକ ସର୍ଭିସ୍‌ ସେଣ୍ଟର, ୪୨କୋଟିର କମନ୍‌ ପେମେଣ୍ଟ କାର୍ଡ ସିଷ୍ଟମ, ୧୪.୬୯କୋଟିର ଅତ୍ୟାଧୁନିକ ଟ୍ରାଫିକ ପରିଚାଳନା ପ୍ରକଳ୍ପର କାର୍ଯ୍ୟ ଚାଲିଛି। ପ୍ରାୟ ୫୫ଟି ଟ୍ରାଫିକ୍‌ ପୋଷ୍ଟ ଆଧୁନିକୀକରଣ କାର୍ଯ୍ୟ ଶେଷ ହୋଇଥିବାବେଳେ ବାକି କାର୍ଯ୍ୟ ଆସନ୍ତା ଦୁଇ ମାସ ମଧ୍ୟରେ ସରିବ। କମନ୍‌ ପେମେଣ୍ଟ କାର୍ଡ ବ୍ୟବସ୍ଥାରେ ସଂସ୍ଥା ଚୟନ ହୋଇଥିଲେ ବି ଲୋକଙ୍କ ପାଇଁ ଏହି ସୁବିଧା ଆରମ୍ଭ ହୋଇପାରିନି। ୯.୫୦ କୋଟି ପବ୍ଲିକ ବାଇସାଇକେଲ୍‌ ସେୟାରିଂ ଯୋଜନା ହେବାକୁ ଥିବାବେଳେ ଏହାର ସମସ୍ତ ପ୍ରକ୍ରିୟା ଶେଷ ହୋଇଛି। ମୋ ବାଇକ୍‌ ସଂସ୍ଥାକୁ ଏହାର କାର୍ଯ୍ୟାଦେଶ ମିଳିଛି ଖୁବ୍‌ ଶୀଘ୍ର ଏହା ଆରମ୍ଭ ହେବ ବୋଲି କୁହାଯାଇଛି। ୧୭.୮୫କୋଟିର ‘ସମ୍ମାନ’ ପ୍ରକଳ୍ପରେ ଶୌଚାଳୟ ନିର୍ମାଣ କାର୍ଯ୍ୟ ଚାଲିଥିବାବେଳେ ପ୍ରାୟ ୩୦ରୁ ଅଧିକ ଶୌଚାଳୟ ନିର୍ମାଣ ସରି କାର୍ଯ୍ୟକ୍ଷମ ହେଲାଣି। ସହିଦନଗରରେ ବିଏମ୍‌ସି ଭବାନି ମଲ୍‌ରେ ନିର୍ମାଣ ହେଉଥିବା ସିଟି କଣ୍ଟ୍ରୋଲ କମାଣ୍ଡ ସେଣ୍ଟର ନିର୍ମାଣ କାର୍ଯ୍ୟ ଚାଲିଥିବାବେଳେ ଏଥିରେ ସାରା ସହର ଉପରେ ନଜର ରଖି ହେବ। ଏହାକୁ ଖୁବ୍‌ ଶୀଘ୍ର କାର୍ଯ୍ୟକ୍ଷମ କରାଯିବ। ବିଏମ୍‌ସିର ନୂଆ କାର୍ଯ୍ୟାଳୟରେ ଏହା ନିର୍ମାଣ ହେବାକୁ ଥିଲେ ହେଁ ଏବେ ଅସ୍ଥାୟୀ ଭାବେ ଭବାନୀ ମଲ୍‌ରେ ନିର୍ମାଣ ହେବ।

ସମ୍ବନ୍ଧିତ ଖବର