ପଛରେ ପଡ଼ିଗଲାଣି ଭୁବନେଶ୍ୱର : ଅନିଶ୍ଚିତତାରେ ସ୍ମାର୍ଟ ସିଟିର ମୁଖ୍ୟ ପ୍ରକଳ୍ପ

ଭୁବନେଶ୍ୱର : ସ୍ମାର୍ଟ ସିଟିର ସବୁ କାର୍ଯ୍ୟ ଅନଲାଇନ୍‌ ମାଧ୍ୟମରେ ହେବ। ସାରା ସହରରେ ସ୍ମାର୍ଟ ଟେକ୍ନୋଲୋଜି ବ୍ୟବହାର ହେବ। ପୂରା ରାଜଧାନୀରେ ଓ୍ଵାଇଫାଇ ସେବା ଉପଲବ୍ଧ ହେବ। ଏଥିପାଇଁ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍‌ ପକ୍ଷରୁ ମାଷ୍ଟର ସିଷ୍ଟମ ଇଣ୍ଟିଗ୍ରେଟର ଯୋଜନା ପ୍ରସ୍ତୁତ ହୋଇଛି। ଏଥିପାଇଁ ବି ସମସ୍ତ ପ୍ରକ୍ରିୟା ଶେଷ ହୋଇଛି। ରାଜ୍ୟ ସରକାର ବି ଏହା ଉପରେ ମୋହର ମାରିଛନ୍ତି। କିନ୍ତୁ ପ୍ରକଳ୍ପ ଆଗେଇପାରୁନି। କାମ ଆରମ୍ଭ ଉପରେ ହାଇକୋର୍ଟ ସ୍ଥଗିତାଦେଶ ଲଗାଇଦେଇଛନ୍ତି। ଯେଉଁଥିପାଇଁ ଏବେ ସ୍ମାର୍ଟ ସିଟି ତାଲିକାରେ ଏକ ନମ୍ବର ସ୍ଥାନରେ ଥିବା ଭୁବନେଶ୍ୱର ପ୍ରକଳ୍ପ ଆରମ୍ଭ କରିବାରେ ଅନ୍ୟ ସ୍ମାର୍ଟ ସିଟି ତୁଳନାରେ ପଛରେ ପଡ଼ିଗଲାଣି।

ସ୍ମାର୍ଟ ଭୁବନେଶ୍ୱର ପାଇଁ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଥିଲେ ହେଁ ଟେଣ୍ଡର ପାଇଥିବା ସଂସ୍ଥାକୁ କାର୍ଯ୍ୟାଦେଶ ଦିଆଯାଇନଥିବାରୁ ଏହି ସବୁ ପ୍ରକଳ୍ପ ଏବେ ଅନ୍ଧାରକୁ ଠେଲି ହୋଇଯାଇଛି। ସ୍ମାର୍ଟ ସିଟି ତାଲିକା ଘୋଷଣା ହେବାର ଦେଢ଼ ବର୍ଷ ବିତିଯାଇଥିଲେ ହେଁ ଆଜି ପର୍ଯ୍ୟନ୍ତ ଆଖିଦୃଶିଆ ପ୍ରକଳ୍ପ ଆରମ୍ଭ ନହେବା ସ୍ମାର୍ଟ ସିଟି କର୍ତୃପକ୍ଷ ପାଇଁ ଏକ ଚାଲେଞ୍ଜ ହୋଇଛି। କନସଲଟାନ୍ସି ଚୟନ, ଆରଏଫ୍‌ପି ପ୍ରସ୍ତୁତି, ଟେଣ୍ଡର ପ୍ରକ୍ରିୟା, ଜମି ଅଧିଗ୍ରହଣ ବାହନା ଦେଖାଇ କର୍ତ୍ତୃପକ୍ଷ ପ୍ରକଳ୍ପ ଆରମ୍ଭ କରିବାକୁ ଦେଢ଼ ବର୍ଷ ଗଡ଼ାଇବା ପରେ ଏବେ ହାଇକୋର୍ଟଙ୍କ ସ୍ଥଗିତାଦେଶ ସ୍ମାର୍ଟ ସିଟିର ସବୁଠୁ ଗୁରୁତ୍ୱପୂର୍ଣ୍ଣ ତଥା ମୁଖ୍ୟ ପ୍ରକଳ୍ପ କେବେ ଆରମ୍ଭ ହେବ ସେ ନେଇ ଅନିଶ୍ଚିତତା ସୃଷ୍ଟି କରିଛି।

ମାଷ୍ଟର ସିଷ୍ଟମ ଇଣ୍ଟିଗ୍ରେଟର ଯୋଜନା କାର୍ଯ୍ୟକାରୀ ହୋଇ ନ ପାରିବା ନେଇ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍‌ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଡିସେମ୍ବର ସୁଦ୍ଧା ଆମର ସ୍ମାର୍ଟ ପାର୍କିଂ ସୁବିଧା, ଟ୍ରାଫିକ ମ୍ୟାନେଜମେଣ୍ଟ, ବିଲ୍‌ ପେମେଣ୍ଟ, ଅନଲାଇନ୍‌ରେ ଅଭିଯୋଗ ଶୁଣାଣି ଆଦି ଆରମ୍ଭ କରିବାକୁ ଯୋଜନା କରିଥିଲୁ। ଏଥିପାଇଁ ଟେଣ୍ଡର ପ୍ରକ୍ରିୟା ବି ନିର୍ଦ୍ଧାରିତ ସମୟରେ ଶେଷ କରିଥିଲୁ। ହନିେଓ୍ଵଲ୍‌ ଅଟୋମେସନ ଇଣ୍ଡିଆ ଲିମିଟେଡ୍‌ ସଂସ୍ଥା ଲୋୟର ବିଡର୍‌ ହିସାବରେ ବି ଟେଣ୍ଡର ପାଇଥିଲା। କିନ୍ତୁ ଟେଣ୍ଡର ପ୍ରକ୍ରିୟାରେ ଦ୍ୱିତୀୟ ଲୋୟର ବିଡର୍‌ ହୋଇଥିବା ଲାର୍ସନ ଆଣ୍ଡ ଟର୍ବୋ ଲିମିଟେଡ୍‌ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ତେଣୁ ଟେଣ୍ଡର ପାଇଥିବା ସଂସ୍ଥାକୁ କାର୍ଯ୍ୟାଦେଶ ଦେବା ଉପରେ ଏବେ ହାଇକୋର୍ଟ ସ୍ଥଗିତାଦେଶ ଜାରି କରିଛନ୍ତି। କିନ୍ତୁ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଛି, ଟେଣ୍ଡର କମିଟି ନିଷ୍ପତ୍ତି ଅନୁଯାୟୀ ହନିେଓ୍ଵଲ୍‌ ଅଟୋମେସନ ଇଣ୍ଡିଆ ଲିମିଟେଡ୍‌କୁ ୬୧୬କୋଟି ଟଙ୍କା(ଟିକସ ବାଦ୍‌)ରେ କାର୍ଯ୍ୟାଦେଶ ଦେବାକୁ ନିଷ୍ପତ୍ତି ନେଇଛି। କୋର୍ଟ ମାମାଲାର ଶୁଣାଣି କରିବା ପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବାକୁ ରାଜ୍ୟସ୍ତରୀୟ ଉଚ୍ଚକ୍ଷମତା ସଂପନ୍ନ କମିଟି ବୈଠକରେ ସ୍ଥିର ହୋଇଛି।

କେଉଁ ସୁବିଧା ସୁଯୋଗ ମିଳିବ

ମାଷ୍ଟର ସିଷ୍ଟମ ଇଣ୍ଟିଗ୍ରେଟର ଯୋଜନା ଟର୍ଣ୍ଣ କି ପ୍ରକଳ୍ପ ଭାବେ ହେବ। ଯେଉଁ ସଂସ୍ଥା ସମସ୍ତ ସୁବିଧା ସୁଯୋଗ ଯୋଗାଇବ ଏବଂ ଯେଉଁ ଯନ୍ତ୍ରପାତି ଲଗାଇବ ତାହାର ମରାମତି ଓ ରକ୍ଷଣାବେକ୍ଷଣ କରିବ। କାର୍ଯ୍ୟାଦେଶ ପାଇବାର ୨ବର୍ଷ ମଧ୍ୟରେ ପ୍ରକଳ୍ପ ଶେଷ କରିବ। ଆଉ କାର୍ଯ୍ୟ ଆରମ୍ଭରୁ ୭ବର୍ଷ ପର୍ଯ୍ୟନ୍ତ ଏହାର ମରାମତି ଓ ରକ୍ଷଣାବେକ୍ଷଣ କରିବ। ଏଥିରେ ଭୁବନେଶ୍ୱରକୁ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳର ସହର ଭାବେ ନିର୍ମାଣ କରାଯିବ। ଲୋକଙ୍କ ଅଭିଯୋଗ ଶୁଣାଣିଠାରୁ ଆରମ୍ଭ କରି ସମସ୍ୟା ସମାଧାନ, ବିଲ୍‌ ପେମେଣ୍ଟ, ପାର୍କିଂ ସୁବିଧା, ଟ୍ରାଫିକ ମ୍ୟାନେଜମେଣ୍ଟ, ଜରିମାନା ଆଦାୟ, କୌଣସି କାର୍ଯ୍ୟ ପାଇଁ ସରକାରୀ ଓ ଘରୋଇ କାର୍ଯ୍ୟାଳୟରେ ଆବେଦନ ପର୍ଯ୍ୟନ୍ତ ସବୁ କାର୍ଯ୍ୟ ଅନଲାଇନ୍‌ ମାଧ୍ୟମରେ ହେବ। ଭୁବନେଶ୍ୱର ସ୍ମାର୍ଟ ସିଟି କାର୍ଯ୍ୟାଳୟରୁ ସବୁ କାର୍ଯ୍ୟ ନିୟନ୍ତ୍ରଣ ହେବ। ଏହି ପ୍ରକଳ୍ପରେ ସ୍ମାର୍ଟ ପାର୍କିଂ ବ୍ୟବସ୍ଥାରେ ୫୫୦୦ଟି ଅନ୍‌ ଷ୍ଟ୍ରିଟ୍‌ ପାର୍କିଂ ଏବଂ ୧୫୦୦ଟି ବହୁତଳ କାର୍‌ ପାର୍କିଂ ବ୍ୟବସ୍ଥା ହେବ। ୧୧୨ ଡାଏଲ୍‌ କଲେ ଜରୁରୀକାଳୀନ ସେବା ମିଳିବ। ରାଜଧାନୀରେ ୧୦୦୦ଟି ସିସିଟିଭି ଏବଂ ୩୦ଟି ଜରୁରୀକାଳୀନ କଲ୍‌ ବାକ୍ସ ରହିବ। ରାଜଧାନୀରେ ୨୪ଘଣ୍ଟା ଓ୍ଵାଇଫାଇ ସେବା ଉପଲବ୍ଧ ହେବ। ଏଥିପାଇଁ ୧୮୦୦ଟି ଓ୍ଵାଇଫାଇ ଆକ୍ସେସ୍‌ ପଏଣ୍ଟ ରହିବ। ଏହି ବ୍ୟବସ୍ଥାରେ ପ୍ରଥମ ୩୦ ମିନିଟ ଲୋକଙ୍କୁ ମାଗଣାରେ ଇଣ୍ଟରନେଟ ସୁବିଧା ମିଳିବ। ଏହି ସମୟରେ ୨ ଏମ୍‌ବିପିଏସ୍‌ ଡାଉନ୍‌ଲୋଡ୍‌ କରିବାକୁ ସୁଯୋଗ ମିଳିବ। ଏହାପରେ ଇଣ୍ଟରନେଟ୍‌ ବ୍ୟବହାର କଲେ ରିଚାର୍ଜ କରିବାକୁ ଯୋଜନା ଅଛି।

ଟେଣ୍ଡର ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇଲା ସଂସ୍ଥା

ସୂଚନା ଅନୁଯାୟୀ, ମାଷ୍ଟର ସିଷ୍ଟମ ଇଣ୍ଟିଗ୍ରେଟର ପ୍ରକଳ୍ପ ପାଇଁ ୮୦ଟି ସଂସ୍ଥା ଆଗ୍ରହ ଦେଖାଇଥିବାବେଳେ ଟେଣ୍ଡର ପ୍ରକ୍ରିୟାରେ ବହୁ ସଂସ୍ଥା ଭାଗ ନେଇଥିଲେ। ବୈଷୟିକ ମୂଲ୍ୟାୟନ ପର୍ଯ୍ୟାୟ, ବାଣିଜ୍ୟିକ ମୂଲ୍ୟାୟନ ପର୍ଯ୍ୟାୟରେ ସଂସ୍ଥା ଚୟନ କରାଯାଇଥିଲା। ପରବର୍ତ୍ତୀ ପର୍ଯ୍ୟାୟକୁ ଚାରିଟି ସଂସ୍ଥା ଯାଇଥିବାବେଳେ ଟେକ୍‌ ମହିନ୍ଦ୍ରା ଲିମିଟେଡ୍‌ ଏବଂ ଷ୍ଟେରେଲାଇଟ୍‌ ଟେକ୍ନୋଲୋଜିଜ୍‌ ଲିମିଟେଡ ସ୍କୃଟିନି କମିଟି ଯାଞ୍ଚ ସମୟରେ ବାଦ୍‌ ପଡ଼ିଥିଲେ। ଏଥିରେ ୬୨୪.୦୭କୋଟିରେ ବିଡିଂ ଡାକିଥିବା ହନିେଓ୍ଵଲ୍‌ ଅଟୋମେସନ୍‌ ଇଣ୍ଡିଆ ଲିମିଟେଡ୍‌ ଏବଂ ୯୬୦କୋଟିରେ ବିଡିଂ ଡାକିଥିବା ଲାର୍ସନ ଆଣ୍ଡ ଟର୍ବୋ ଚୂଡ଼ାନ୍ତ ପର୍ଯ୍ୟାୟକୁ ଯାଇଥିଲେ। ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍‌ ମୁଖ୍ୟ କାର୍ଯ୍ୟନିର୍ବାହୀ ଭିନିଲ୍‌ କ୍ରିଷ୍ଣାଙ୍କ ଅଧ୍ୟକ୍ଷତାରେ ବସିଥିବା କମିଟି ହନିେଓ୍ଵଲ୍‌ ଅଟୋମେସନ୍‌ ଇଣ୍ଡିଆ ଲିମିଟେଡ୍‌କୁ ବାଛିଥିଲେ। ଏହାପରେ ଟେଣ୍ଡର ସର୍ତ୍ତାବଳୀ ଅନୁଯାୟୀ ଟେଣ୍ଡର ପାଇଥିବା ସଂସ୍ଥା ଏବଂ ସ୍ମାର୍ଟ ସିଟି କର୍ତ୍ତୃପକ୍ଷଙ୍କ ମଧ୍ୟରେ ମୂଲଚାଲ୍‌ ପରେ ଓ୍ଵାଇଫାଇ ଭୁବନେଶ୍ୱର ପ୍ରକଳ୍ପ ଉପରେ ହନିେଓ୍ଵଲ୍‌ ୪କୋଟି ଛାଡ଼ କରିବାକୁ ଏବଂ ଫାଇବର୍‌ ବିଛାଇବା ଉପରେ ୮କୋଟି ରିହାତି ଦେବାକୁ ପ୍ରସ୍ତାବ ଦେଇଥିଲା। ଓ୍ଵାଇଫାଇ ଉପରେ ରିହାତି ନେଲେ ଆମକୁ ପରିଚାଳନା କରିବାକୁ ଥିବାରୁ କେବଳ ଫାଇବର୍‌ ବିଛାଇବା ଉପରେ ଆମେ ରିହାତି ଗ୍ରହଣ କରିଥିଲୁ। ଏହାପରେ ପ୍ରକଳ୍ପ ଖର୍ଚ୍ଚ ୬୧୬କୋଟି ୨ଲକ୍ଷ ୭୭ହଜାର ୨୭୦ଟଙ୍କା ବାଦ୍‌ ଜିଏସ୍‌ଟି ଲାଗୁ ହେବ ବୋଲି ନିଷ୍ପତ୍ତି ହୋଇଛି। କିନ୍ତୁ ଲାର୍ସନ ଆଣ୍ଡ ଟର୍ବୋ ଟେଣ୍ଡର ପ୍ରକ୍ରିୟାରେ ସ୍ୱଚ୍ଛତା ଗ୍ରହଣ କରାଯାଇନଥିବା ଅଭିଯୋଗ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି। ଏହାପରେ କୋର୍ଟ କାର୍ଯ୍ୟାଦେଶ ଦେବା ଉପରେ ସ୍ଥଗିତାଦେଶ ଲଗାଇଛନ୍ତି। କିନ୍ତୁ ଏହି ସମୟରେ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍‌ କର୍ତ୍ତୃପକ୍ଷ ସମସ୍ତ ଟେଣ୍ଡର ପ୍ରକ୍ରିୟା ଶେଷ କରିବାକୁ କହିଛନ୍ତି। ଏହା ଅନୁଯାୟୀ ଆମେ ସମସ୍ତ ପଦକ୍ଷେପ ନେଇଛୁ ବୋଲି ଉକ୍ତ ଅଧିକାରୀ ଜଣଙ୍କ କହିଛନ୍ତି।

ସମ୍ବନ୍ଧିତ ଖବର