ସ୍ମାର୍ଟ ସିଟି ପ୍ରକଳ୍ପ ସମୀକ୍ଷା: ମାର୍ଚ୍ଚରେ ଆସିବ କମନ୍‌ ପେମେଣ୍ଟ କାର୍ଡ

ହକି ବିଶ୍ୱକପ୍‌ ପୂର୍ବରୁ ବହୁ ପ୍ରକଳ୍ପ ଶେଷ ହେବ

ଭୁବନେଶ୍ୱର: ସ୍ମାର୍ଟ ସିଟି ଭୁବନେଶ୍ୱରର ବହୁ ପ୍ରକଳ୍ପ ଏବେ ଡିଜାଇନ୍‌ ଏବଂ ଟେଣ୍ଡର ସ୍ଥିତିରେ ଥିବାବେଳେ ଏହାର କାମ ଶୀଘ୍ର ଆରମ୍ଭ କରିବାକୁ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ନିର୍ଦ୍ଦେଶ ଦେଇଛନ୍ତି। ଆଜି ସ୍ମାର୍ଟ ସିଟି ଭୁବନେଶ୍ୱରର ପ୍ରକଳ୍ପଗୁଡ଼ିକ ସମୀକ୍ଷା ପରେ ନିଷ୍ପତ୍ତି ହୋଇଛି ଯେ, ସବୁ ଦେୟ ପାଇଁ ଗୋଟିଏ କାର୍ଡ (କମନ୍‌ ପେମେଣ୍ଟ କାର୍ଡ) ଆସନ୍ତା ମାର୍ଚ୍ଚରେ ଲୋକାର୍ପିତ ହେବ। ଏନେଇ ଆଇସିଆଇସିଆଇ ବ୍ୟାଙ୍କ୍‌ କାର୍ଯ୍ୟାଦେଶ ପାଇଥିବାବେଳେ ପ୍ରସ୍ତୁତି ଶେଷ କରିବାକୁ କୁହାଯାଇଛି। ସେହିପରି ଏପ୍ରିଲ୍‌ ଶେଷ ସୁଦ୍ଧା ରାଜଧାନୀର ସମସ୍ତ ଛକରେ ସ୍ୱୟଂଚାଳିତ ଟ୍ରାଫିକ ବ୍ୟବସ୍ଥା ଆରମ୍ଭ ହେବ। ହକି ବିଶ୍ୱ କପ୍‌ ପୂର୍ବରୁ ରାଜଧାନୀରେ ସ୍ମାର୍ଟ ସିଟିର ଅନୁଭୂତି ମିଳିବ।

ଏହି ବୈଠକରେ ସ୍ମାର୍ଟ ସିଟି ଭୁବନେଶ୍ୱରର ପାନ୍‌ ସିଟି ଏବଂ ସ୍ମାର୍ଟ ଡିଷ୍ଟ୍ରିକ୍ଟର ବିଭିନ୍ନ ପ୍ରକଳ୍ପ ଉପରେ ସମୀକ୍ଷା ହୋଇଥିଲା। ସ୍ମାର୍ଟ ସିଟିର ସମସ୍ତ କାର୍ଯ୍ୟ ଅନଲାଇନ୍‌ ମାଧ୍ୟମରେ କରିବା, ପୂରା ସହରରେ ଓ୍ଵାଇଫାଇ ସେବା ଆଦି ପାଇଁ ମାଷ୍ଟର ସିଷ୍ଟମ ଇଣ୍ଟିଗ୍ରେଟର ଯୋଜନା ନେଇ ହାଇକୋର୍ଟ ଲଗାଇଥିବା ସ୍ଥଗିତାଦେଶ ଉଠାଇ ଦେଇଥିବାରୁ ଏହାକୁ ତୁରନ୍ତ ଆରମ୍ଭ କରିବାକୁ ହନିେଓ୍ଵଲ୍‌ ଅଟୋମେସନ୍‌ ଇଣ୍ଡିଆ ଲିମିଟେଡକୁ କୁହାଯାଇଛି। ଏହି ପ୍ରକଳ୍ପ ଦୁଇ ବର୍ଷରେ ଚୂଡ଼ାନ୍ତ ରୂପ ନେବାକୁ ଥିବାବେଳେ ସମସ୍ତ କାର୍ଯ୍ୟ ତୁରନ୍ତ ଆରମ୍ଭ କରି ଧାର୍ଯ୍ୟ ସମୟ ସୀମାରେ ସାରିବାକୁ କୁହାଯାଇଛି। ସେହିପରି ସାଇକେଲ୍‌ ସେୟାରିଂ ବ୍ୟବସ୍ଥା ଆସନ୍ତା ଦୁଇ ମାସରେ ଆରମ୍ଭ ହେବ। ଭୁବନେଶ୍ୱର ଓ୍ଵାନ୍‌ େଓ୍ଵବସାଇଟ୍‌ କିପରି ଅଧିକ ଲୋକଙ୍କ ବ୍ୟବହାର ଉପଯୋଗୀ ହୋଇପାରିବ ସେଥିପାଇଁ ସ୍ମାର୍ଟ ସିଟି କର୍ତ୍ତୃପକ୍ଷ ପଦକ୍ଷେପ ନେବେ। ଏଥିରେ ସ୍କୁଲ, ହସ୍ପିଟାଲ, ବିଭିନ୍ନ ସରକାରୀ କାର୍ଯ୍ୟାଳୟ, ସହରର ସମସ୍ତ ଅଞ୍ଚଳର ଜିଆଇଏସ୍‌ ଟ୍ୟାଗିଂ ହୋଇଥିବାବେଳେ ଏହାକୁ ଲୋକାଭିମୁଖୀ କରିବାକୁ ବୈଠକରେ କୁହାଯାଇଛି। ସେହିପରି ପୂରା ସହର ପାଇଁ ୫ଟି ପ୍ରମୁଖ ପ୍ରକଳ୍ପରେ ୭୮୬କୋଟି ଖର୍ଚ୍ଚ ହେବାକୁ ଥିବାବେଳେ ସବୁ ପ୍ରକଳ୍ପର ନିୟମିତ ସମୀକ୍ଷା କରାଯିବ। ଏହାବାଦ୍‌ ସ୍ମାର୍ଟ ଜନପଥ, ସହିଦନଗର ଓ ରାଜମହଲର ବହୁତଳ କାର୍‌ ପାର୍କିଂ ବ୍ୟବସ୍ଥା ଭୂତଳ କେବୁଲିଂ, ସ୍ମାର୍ଟ ପାର୍କ, ଭୁବନେଶ୍ୱର ଅର୍ବାନ୍‌ ନଲେଜ୍‌ ସେଣ୍ଟର, ବିଏମ୍‌ସି ମୁଖ୍ୟ କାର୍ଯ୍ୟାଳୟ, ଆବାସ ମିସନରେ ଚନ୍ଦ୍ରଶେଖରପୁର, ଗାଡ଼କଣ, ସତ୍ୟନଗର, ଶାନ୍ତିନଗରରେ ହେବାକୁ ଥିବା ଗୃହ ପ୍ରକଳ୍ପ, ଡିଷ୍ଟ୍ରିକ୍ଟ-୧ର ତଳର ବର୍ଜ୍ୟବସ୍ତୁ ପ୍ଲାଣ୍ଟ, ଇ-ରିକ୍ସା, ଆଇ ଆମ୍‌ ଭୁବନେଶ୍ୱର, ଇ-ଆବର୍ଜନା ପରିଚାଳନା, ସେନସୋରି ପାର୍କ ଭଳି ୨୦ଟି ପ୍ରକଳ୍ପରେ ୩୧୭୦କୋଟି ଖର୍ଚ୍ଚ ହେବାକୁ ଥିବାବେଳେ ଏହାକୁ ତୁରନ୍ତ ଆରମ୍ଭ କରି ଚୂଡ଼ାନ୍ତ ରୂପ ଦେବାକୁ କୁହାଯାଇଛି। ଏସବୁ ବାଦ୍‌ ୪ଟି ପ୍ରକଳ୍ପର ଡିପିଆର୍‌ ପ୍ରସ୍ତୁତ ହେଉଥିବାବେଳେ ଏହାକୁ ତୁରନ୍ତ ଶେଷ କରିବାକୁ ସ୍ମାର୍ଟ ସିଟି କର୍ତ୍ତୃପକ୍ଷଙ୍କୁ କୁହାଯାଇଛି।

ଆଜିର ସମୀକ୍ଷା ବୈଠକରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ସଚିବ ଜି.ମାଥିଭାଥନନ୍‌, ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡର ପରିଚାଳନା ନିର୍ଦ୍ଦେଶକ କ୍ରିଷନ କୁମାର ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭିନୀଲ କ୍ରିଷ୍ଣା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର