ମାର୍ଚ୍ଚ ସୁଦ୍ଧା ସରିବ ବହୁ ସ୍ମାର୍ଟ ସିଟି ପ୍ରକଳ୍ପ, ଜୁଲାଇ-ଅଗଷ୍ଟରେ ସାଢ଼େ ୬କୋଟିର କାମ ହୋଇଛି

ଭୁବନେଶ୍ୱର : କରୋନା ମହାମାରୀ ପାଇଁ ସ୍ମାର୍ଟ ସିଟି ପ୍ରକଳ୍ପଗୁଡ଼ିକ ଅଧାପନ୍ତରା ହୋଇପଡ଼ିଛି। କାହାର ଧାର୍ଯ୍ୟ ସମୟ ପୂରିଗଲାଣି ତ କାହାର ଅବଧି ମାସେରୁ ଦୁଇ ମାସ ଭିତରେ ସରିବ। ସ୍ମାର୍ଟ ଜନପଥରୁ ଆରମ୍ଭ କରି ବହୁତଳ କାର୍ ପାର୍କିଂ, ବିଏମ୍‌ସି ମୁଖ୍ୟାଳୟ କାର୍ଯ୍ୟ ପର୍ଯ୍ୟନ୍ତ ସବୁ କାମ ପ୍ରଭାବିତ ହୋଇଛି। ଏପରିକି ଲେକ୍‌ ନିଉଟ୍ରାଲ ପ୍ରକଳ୍ପରୁ ଆରମ୍ଭ କରି ଜନପଥ ଗୃହ ପୁନଃଉନ୍ନତୀକରଣ ପ୍ରକଳ୍ପ ପର୍ଯ୍ୟନ୍ତ ବହୁ ପ୍ରକଳ୍ପ ଏପର୍ଯ୍ୟନ୍ତ ଆରମ୍ଭ ହୋଇପାରୁନି। ସ୍ମାର୍ଟ ଜନପଥ ଭଳି ଅଧାପନ୍ତରା ପ୍ରକଳ୍ପକୁ ଯିଏ ଦେଖୁଛି ସେ ପଚାରୁଛି ଏ କାମ କେବେ ସରିବ?

ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡର ବହୁ ପ୍ରକଳ୍ପ କାମ ଆସନ୍ତା ମାର୍ଚ୍ଚ ସୁଦ୍ଧା ଶେଷ ହେବ। ସ୍ମାର୍ଟ ଜନପଥ କାମରୁ ଆରମ୍ଭ କରି ବହୁତଳ କାର୍ ପାର୍କିଂ କାମ ମାର୍ଚ୍ଚ ସୁଦ୍ଧା ଶେଷ କରିବୁ ବୋଲି ବିଏସ୍‌ସିଏଲ୍‌ର ମହାପ୍ରବନ୍ଧକ (ଇଞ୍ଜିନିୟରିଂ) ଅଶ୍ବିନୀ ବିଶ୍ବାଳ କହିଛନ୍ତି। ଗତ ସପ୍ତାହରେ ବିଏସ୍‌ସିଏଲ୍‌ର ପ୍ରକଳ୍ପ ସମୀକ୍ଷା ପରେ ଏହି ନିଷ୍ପତ୍ତି ହୋଇଛି। କରୋନା ଯୋଗୁଁ କାମ ପ୍ରଭାବିତ ହୋଇଥିଲେ ହେଁ ଏବେ ପୂର୍ବାପେକ୍ଷା ଜୋରରେ କାମ ଚାଲିଛି। ଆସନ୍ତା ମାସକ ମଧ୍ୟରେ ବହୁ କାମ ଶେଷ ହୋଇଯିବ। କିନ୍ତୁ ସମସ୍ତ ଅଧାପନ୍ତରା ପ୍ରକଳ୍ପ କାମ ମାର୍ଚ୍ଚ ୨୦୨୧ ସୁଦ୍ଧା ଚୂଡ଼ାନ୍ତ ରୂପ ପାଇବ। ଯେପରି ଠିକା ସଂସ୍ଥା ଜଲ୍‌ଦି କାମ କରିବେ, ଅର୍ଥର କୌଣସି ସମସ୍ୟା ରହିବନି ସେ ବ୍ୟବସ୍ଥା କରାଯାଇଛି। ଜୁଲାଇ ଓ ଅଗଷ୍ଟ ମାସରେ ୯କୋଟି ଟଙ୍କାର କାମ କରିବାକୁ ଟାର୍ଗେଟ୍ ରଖାଯାଇଥିବାବେଳେ ସାଢ଼େ ୬କୋଟି ଟଙ୍କାର କାମ ଶେଷ ହୋଇଛି। ସେହି ଅନୁଯାୟୀ ଠିକା ସଂସ୍ଥାଙ୍କୁ ଅର୍ଥ ଦିଆଯାଇଛି। ଦଶହରା ପୂର୍ବରୁ ବହୁ କାମ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ଶ୍ରୀ ବିଶ୍ବାଳ କହିଛନ୍ତି। ବିଏସ୍‌ସିଏଲ୍‌ କର୍ତ୍ତୃପକ୍ଷ କହିଛନ୍ତି ଯେ, ଏବେ ଶ୍ରମିକ ସମସ୍ୟା ବିଶେଷ ନାହିଁ। ରାଜ୍ୟ ସରକାରଙ୍କର ସଙ୍ଗରୋଧ ନିୟମ ବି କୋହଳ ହୋଇଗଲାଣି। ତେଣୁ ଏବେ ବାହାର ରାଜ୍ୟରୁ ଏବଂ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଶ୍ରମିକ ଆସିଗଲେଣି। ଠିକା ସଂସ୍ଥା ଯେପରି ମଜୁରି ଦେବାରେ କୌଣସି ସମସ୍ୟା କରିବେନି ‌କି କୌଣସି ପ୍ରକାରର ବାହନା ଦେଖାଇ ପ୍ରକଳ୍ପ କାମ ଘୁଞ୍ଚାଇବେନି ସେଥିପାଇଁ ଆଗୁଆ ସତର୍କ କରାଇ ଦିଆଯାଇଛି। ଶ୍ରମିକମାନେ କରୋନା ଆକ୍ରାନ୍ତ ହେବା ଯୋଗୁଁ ବିଭିନ୍ନ ସମୟରେ କାମ ବନ୍ଦ ହୋଇଥିଲା। ତେଣୁ ଏବେ ଯେପରି ଅଧିକ ଶ୍ରମିକ କରୋନା ଆକ୍ରାନ୍ତ ହେବେନି ‌‌ସେଥିପାଇଁ ଆବଶ୍ୟକୀୟ ପ୍ରତିଷେଧମୂଳକ ପଦକ୍ଷେପ ନିଆଯାଉଛି। ଅଧିକ ଶ୍ରମିକଙ୍କୁ ଏକାଠି ହେବାକୁ ଦିଆଯାଉନି। ସେମାନେ ଖାଇବା ଠାରୁ ଆରମ୍ଭ କରି ଶୋଇବା ପର୍ଯ୍ୟନ୍ତ ସବୁ ଅଲଗା ଅଲଗା କରୁଛନ୍ତି। ତେଣୁ ମାର୍ଚ୍ଚ ସୁଦ୍ଧା ଟାର୍ଗେଟ୍ ପ୍ରକଳ୍ପ କାମ ଶେଷ କରିବୁ।

ବିଏସ୍‌ସିଏଲ୍‌ର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ୨୦୧୯ରେ ବାତ୍ୟା ଫନି, ସାଧାରଣ ନିର୍ବାଚନ, ଠିକାଦାରଙ୍କ ମାସିକିଆ ବିକ୍ଷୋଭ ପରେ ଚଳିତବର୍ଷ ମାର୍ଚ୍ଚ ମାସରୁ କରୋନା ଜନିତ ଲକ୍‌ଡାଉନ୍ ଯୋଗୁଁ ୫୯ଦିନ କାମ ବନ୍ଦ ରହିଲା। ସବୁ କାମ ଧାର୍ଯ୍ୟ ସମୟ ଠାରୁ ବିଳମ୍ବରେ ଚାଲିଥିଲା। ତେଣୁ ଗତ ଜୁନ୍‌ ୨୫ ତାରିଖରେ ବସିଥିବା ବିଏସ୍‌ସିଏଲ୍‌ର ବୋର୍ଡ ବୈଠକରେ ନିଷ୍ପତ୍ତି ହୋଇଥିଲା ଯେ, ସବୁ ପ୍ରକଳ୍ପ ଅବଧି ତିନି ମାସ ଲେଖାଏଁ ବଢ଼ାଯିବ। ଯେଉଁ ପ୍ରକଳ୍ପ ଯେବେ ଶେଷ ହେବ ବୋଲି ଧାର୍ଯ୍ୟ ହୋଇଥିଲା ତା’ଠାରୁ ଅଧିକ ତିନି ମାସ ପରେ ଏହାକୁ ସାରିବାକୁ ନିଷ୍ପତ୍ତି ହୋଇଥିଲା। କିନ୍ତୁ ଏହାପରେ କାମ କରୁଥିବା ଶ୍ରମିକ କରୋନା ଆକ୍ରାନ୍ତ ହେବାରୁ ୧୦ରୁ ୧୫ଦିନ ଲେଖାଏ କାମ ବନ୍ଦ ରହିଲା, ପ୍ରବାସୀ ଶ୍ରମିକ ଫେରିବା ବିଳମ୍ବ ହେଲା। ତେଣୁ ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ସବୁ ପ୍ରକଳ୍ପ ଶେଷ କରିବୁ। ଯେଉଁ ସବୁ ପ୍ରକଳ୍ପ କାମ ଆରମ୍ଭ ହୋଇନି ସେଗୁଡ଼ିକୁ ବି ଚଳିତ ବର୍ଷ ଶେଷ ସୁଦ୍ଧା ଆରମ୍ଭ କରାଯିବ। ଖୁବ୍‌ ଶୀଘ୍ର ଜମି ଅଧିଗ୍ରହଣ କରି ଟେଣ୍ଡର ପ୍ରକ୍ରିୟା କରାଯିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର