ସ୍ମାର୍ଟ ସିଟିର ସବୁ ପ୍ରକଳ୍ପ ଅବଧି ୩ମାସ ବଢ଼ିଲା

ଏବର୍ଷ ପାଇଁ ୩୯୮କୋଟିର ବଜେଟ୍‌, ରାଜଧାନୀରେ ଅଧିକ ମୋ’ ସାଇକେଲ୍‌ ଗଡ଼ିବ

ଭୁବନେଶ୍ବର : ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ (ବିଏସ୍‌ସିଏଲ୍‌) ଅଧୀନରେ ଏବେ କାର୍ଯ୍ୟକ୍ଷମ ହେଉଥିବା‌ ପ୍ରକଳ୍ପଗୁଡ଼ିକର ଅବଧି ତିନି ମାସ ବଢ଼ାଇ ଦିଆଯାଇଛି। ଯେଉଁ ପ୍ରକଳ୍ପ ଯେବେ ଶେଷ ହେବ ବୋଲି ଧାର୍ଯ୍ୟ ହୋଇଥିଲା ତା’ଠାରୁ ଅଧିକ ତିନି ମାସ ପରେ ଏହାକୁ ସାରିବାକୁ ନିଷ୍ପତ୍ତି ହୋଇଛି। ଆସନ୍ତା ଜୁଲାଇ, ଅଗଷ୍ଟ ଓ ସେପ୍ଟେମ୍ବରରେ ଶେଷ ହେବାକୁ ଥିବା ପ୍ରକଳ୍ପଗୁଡ଼ିକର ଡେଟ୍‌ଲାଇନ୍ ଯଥାକ୍ରମେ ଅକ୍ଟୋବର, ନଭେମ୍ବର ଓ ଡିସେମ୍ବରକୁ ଘୁଞ୍ଚାଇ ଦିଆଯାଇଛି। ଏହାସହ ସମସ୍ତ ନିର୍ମାଣାଧୀନ ପ୍ରକଳ୍ପକୁ ଚଳିତ ଆର୍ଥିକ ବର୍ଷରେ ଶେଷ କରିବାକୁ ବିଏସ୍‌ସିଏଲ୍‌ର ୧୬ତମ ବୋର୍ଡ ବୈଠକରେ ନିଷ୍ପତ୍ତି ହୋଇଛି।

ଗତ ବର୍ଷକ ମଧ୍ୟରେ ବାତ୍ୟା ଫନି, ନିର୍ବାଚନ, କରୋନା ସଂକ୍ରମଣ ଯୋଗୁଁ କାମ ପ୍ରଭାବିତ ହୋଇଥିଲା। ଏପରିକି ଠିକାଦାରମାନଙ୍କ ମାସିକିଆ ବିକ୍ଷୋଭ ଏବଂ କରୋନା ଲକ୍‌ଡାଉନ୍ ପାଇଁ ୫୯ଦିନ କାମ ବନ୍ଦ ହେବାରୁ ସମସ୍ତ କାମକୁ ମାର୍ଚ୍ଚ ୨୦୨୧ ସୁଦ୍ଧା ଶେଷ କରିବାକୁ ନିଷ୍ପତ୍ତି ହୋଇଛି। ଏଥିପାଇଁ ଠିକାସଂସ୍ଥାଗୁଡ଼ିକୁ ମଧ୍ୟ ଜଣାଇ ଦିଆଯିବ ବୋଲି ଆଜିର ବୋର୍ଡ ବୈଠକରେ କୁହାଯାଇଛି।

ସେହିପରି ଚଳିତ ଆର୍ଥିକ ବର୍ଷ ୨୦୨୦-୨୧ରେ ବିଏସ୍‌ସିଏଲ୍‌ର ୩୯୮କୋଟିର ବଜେଟ୍‌ ହୋଇଛି। ଏହି ଆର୍ଥିକ ବର୍ଷରେ ସବୁ ଟଙ୍କା ଖର୍ଚ୍ଚ କରିବାକୁ ବି ଲକ୍ଷ୍ୟ ରଖାଯାଇଛି। ଏହାସହ ବିଏସ୍‌ସିଏଲ୍‌ର ଏଚ୍‌ଆର୍‌ ପଲିସି, ଆକାଉଣ୍ଟ ପଲିସିକୁ ଅନୁମୋଦନ ମିଳିଛି। ଆଇବିଆଇ ଗ୍ରୁପ୍‌ର କାର୍ଯ୍ୟକାଳ ଆହୁରି ୯ ମାସ ବଢ଼ାଯାଇଛି। ଆଜିର ବୋର୍ଡ ବୈଠକରେ ନିଷ୍ପତ୍ତି ହୋଇଛି ଯେ, ରାଜଧାନୀ‌େର ଅଧିକ ମୋ’ ସାଇକେଲ୍‌ ଗଡ଼ିବ। ସବୁ ସାଇକେଲ୍‌ ଡକିଂ ଷ୍ଟେସନରେ ଅଧିକ ମୋ’ ସାଇକେଲ୍‌ ରଖିବାକୁ କ୍ରୁଟ୍‌ କର୍ତ୍ତୃପକ୍ଷଙ୍କୁ କୁହାଯାଇଛି। ରାଜଧାନୀରେ ଯେପରି ଅଧିକ ମୋ ସାଇକେଲ୍‌ ଗଡ଼ିବ ସେନେଇ ସଚେତନତା‌ ସୃଷ୍ଟି କରାଯିବ।

ଲୋକସେବା ଭବନରେ ଉନ୍ନୟନ କମିସନର ତଥା ବିଏସ୍‌ସିଏଲ୍‌ର ଅଧ୍ୟକ୍ଷ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅର୍ଥ ବିଭାଗ ପ୍ରମୁଖ ସଚିବ ଅଶୋକ କୁମାର ମୀନା, ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଜି.ମାଥିଭାଥନନ୍, ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ, ବିଏସ୍‌ସିଏଲ୍‌ ସିଇଓ ପ୍ରେମଚନ୍ଦ୍ର ଚୌଧରୀ, ଆଇଟି ବିଭାଗ ସଚିବ ମନୋଜ କୁମାର ମିଶ୍ର ଏବଂ ଅନ୍ୟ ବୋର୍ଡ ସଦସ୍ୟମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର