ସ୍ମାର୍ଟ ସିଟି ର‍୍ୟାଙ୍କିଙ୍ଗ୍‌ରେ ନୈରାଶ୍ୟଜନକ ପ୍ରଦର୍ଶନ: ୧୫ ନମ୍ବରରେ ଭୁବନେଶ୍ୱର

ଶୀର୍ଷରେ ଭୋପାଳ; ସୁରତ ଦ୍ୱିତୀୟ, ଇନ୍ଦୋର ତୃତୀୟ

ପରବର୍ତ୍ତୀ ର‍୍ୟାଙ୍କିଙ୍ଗ୍‌ରେ ଆମେ ଭଲ କରିବୁ: ବିଏସ୍‌ସିଏଲ୍

ଭୁବନେଶ୍ୱର : ଏକଦା ସ୍ମାର୍ଟ ସିଟି ପ୍ରତିଯୋଗିତାରେ ଭୁବନେଶ୍ୱର ଦେଶରେ ଏକ ନମ୍ବର ସ୍ଥାନ ହାସଲ କରି ଜାତୀୟ ମଞ୍ଚରେ ପୁରସ୍କୃତ ହୋଇଥିଲା। ଭୁବନେଶ୍ବରକୁ ସ୍ମାର୍ଟ ସିଟି କରିବା ପାଇଁ ବିଏସ୍‌ସିଏଲ୍‌(ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌) କର୍ତ୍ତୃପକ୍ଷ ଅନେକ ଅଭିନବ ଯୋଜନା ଓ ପ୍ରକଳ୍ପ ପ୍ରସ୍ତୁତ କରି ଏଭଳି ସଫଳତା ଆଣି ଦେଇଥିଲ‌େ। ମାତ୍ର ରାଜଧାନୀବାସୀଙ୍କୁ ଏତେ ସ୍ବପ୍ନ ଦେଖାଇଥିବା ବିଏସ୍‌ସିଏଲ୍‌ର ନୈରାଶ୍ୟଜନକ ପ୍ରଦର୍ଶନ ଯୋଗୁଁ ଭୁବନେଶ୍ବର ଏବେ ରୢାଙ୍କିଙ୍ଗ୍‌ ତାଲିକାରେ ୧୫ ନମ୍ବର ସ୍ଥାନକୁ ଖସିଯାଇଛି।

ଦେଶର ୧୦୦ଟି ସ୍ମାର୍ଟ ସିଟିର ପ୍ରଦର୍ଶନକୁ ବିଚାରକୁ ନେଇ ସେପ୍ଟେମ୍ବରରେ ପ୍ରକାଶିତ ହୋଇଥିବା ସ୍ମାର୍ଟ ସିଟି ଜିଏମ୍‌ଆଇଏସ୍‌ ର‍୍ୟାଙ୍କିଙ୍ଗ୍‌ ମୁତାବକ, ଭୋପାଳ ତାଲିକାର ଶୀର୍ଷରେ ରହିଥିବାବେଳେ ସୁରତ ଓ ଇନ୍ଦୋର ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି। ସେହିପରି ୪ ନମ୍ବରରେ ଅହମ୍ମଦାବାଦ, ୫ନମ୍ବରରେ ଆଗ୍ରା, ୬ନମ୍ବରରେ କାକିନାଡ଼ା,‌ ୭ନମ୍ବରରେ ବାରାଣସୀ, ୮ନମ୍ବରରେ ଉଦୟପୁର, ୯ନମ୍ବରରେ କୋଟା, ୧୦ନମ୍ବରରେ ସାଲେମ୍‌, ୧୧ନମ୍ବରରେ ରାଞ୍ଚି, ୧୨ନମ୍ବରରେ ଆଜ୍‌ମେର୍‌, ୧୩ ନମ୍ବରରେ ବିଶାଖାପାଟଣା, ୧୪ ନମ୍ବରରେ ତୁମକୁର ଓ ୧୫ ନମ୍ବରରେ ରହିଛି ଭୁବନେଶ୍ବର। ଭୋପାଳ, ସୁରଟ, ଅହମଦାବାଦ, ଆଗ୍ରା ଆଦି ସହର ୬ ପଏଣ୍ଟ ଲେଖାଏଁ ପାଇଥିବାବେଳେ ଭୁବନେଶ୍ବରକୁ କେବଳ ୨.୨୪ ପଏଣ୍ଟ ମିଳିଛି।

ଉଲ୍ଲେଖଯୋଗ୍ୟ ଯେ ୨୦୧୬ ମସିହାରେ ଭୁବନେଶ୍ବର ଦେଶର ସବୁ ସ୍ମାର୍ଟ ସିଟିକୁ ପଛରେ ପକାଇ ୧ ନମ୍ବର ମାନ୍ୟତା ପାଇଥିଲା। ତେବେ ଏହା ପରଠାରୁ ପ୍ରକଳ୍ପଗୁଡ଼ିକୁ ଯଥା ସମୟରେ ସଂପୂର୍ଣ୍ଣ କରିବାରେ ବିଫଳତା ଯୋଗୁଁ ଭୁବନେଶ୍ବର ପଛରେ ପଡ଼ି ଯାଇଥିଲା। ୬ ମାସ ତଳେ ହୋଇଥିବା ରୢାଙ୍କିଙ୍ଗ୍‌ରେ ଭୁବନେଶ୍ବର ୨୨ ନମ୍ବରରେ ସ୍ଥାନରେ ରହିଥିବା‌ବେଳେ ଏବେ ଏଥିରେ ସାମାନ୍ୟ ସୁଧାର ଆଣି ୧୫ ନମ୍ବର ସ୍ଥାନରେ ରହିଛି। ତେବେ ଅକ୍ଟୋବର ୧୫ ତାରିଖରେ ଆଉ ଏକ ର‍୍ୟାଙ୍କିଙ୍ଗ୍‌ ପ୍ରକାଶ ପାଇବାକୁ ଅଛି। ଏଥିରେ ଭୁବନେଶ୍ବର ଆହୁରି ଉପରକୁ ଯାଇଥିବ ବୋଲି ବିଏସ୍‌ସିଏଲ୍ କର୍ତ୍ତୃପକ୍ଷ ଆଶାବାଦୀ ଅଛନ୍ତି।

ଭୁବନେଶ୍ବର ସ୍ମାର୍ଟ ସିଟି ଲି‌ମିଟେଡ୍‌ର ଏଭଳି ପ୍ରଦର୍ଶନ ପଛରେ କ’ଣ କାରଣ ରହିଛି ସେ ନେଇ ଚର୍ଚ୍ଚା ଜୋର ଧରିଛି। ମୁଖ୍ୟତଃ ପ୍ରସ୍ତାବିତ ପ୍ରକଳ୍ପଗୁଡ଼ିକୁ ନିର୍ଦ୍ଧାରିତ ସମୟରେ ସମ୍ପୂର୍ଣ୍ଣ କରି ନପାରିବା ଏବଂ ଅନୁଦାନ ଅର୍ଥ ଖର୍ଚ୍ଚ କରି ନ ପାରିବା ଯୋଗୁଁ ଭୁବନେଶ୍ବର ପଛରେ ପଡ଼ି ଯାଉଥିବା‌ କୁହାଯାଉଛି। ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ତଥ୍ୟ ମୁତାବକ, ୨୦୧୬ ମସିହାରୁ ଏ ପର୍ଯ୍ୟନ୍ତ ମୋଟ ପ୍ରକଳ୍ପର କେବଳ ୨୫ ପ୍ରତିଶତ ସମ୍ପୂର୍ଣ୍ଣ ହୋଇଛି। ୩୫ ପ୍ରତିଶତ ପ୍ରକଳ୍ପ ଟେଣ୍ଡର ସ୍ତରରେ ରହିଛି। ଏଯାଏ କେନ୍ଦ୍ର ସରକାର ୩୯୨ କୋଟି ଟଙ୍କାର ଅନୁଦାନ ପ୍ରଦାନ କରିଥିବାବେଳେ ବିଏସ୍‌ସିଏଲ୍‌ ପାଖରେ ଏବେ ବି ପାଖାପାଖି ୧୮୦ କୋଟି ଟଙ୍କା ଖର୍ଚ୍ଚ ନହୋଇ ପଡ଼ି ରହିଛି। ଖୁବଶୀଘ୍ର କେନ୍ଦ୍ର ଓ ରାଜ୍ୟ ସରକାର ଆଉ ଶହେ କୋଟି ଲେଖାଏଁ ଅନୁଦାନ ଦେବେ ବୋଲି ଜଣାପଡ଼ିଛି। ଏହି ଅନୁଦାନ ଅର୍ଥ ମିଳିଲେ ବିଏସ୍‌ସିଏଲ୍‌କୁ ୨୦୨୨ ମାର୍ଚ୍ଚ ସୁଦ୍ଧା ୩୮୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ହେବ। କେବଳ ସେତିକି ନୁହେଁ; ଗତ ଛଅ ମାସରେ ବିଏସ୍‌ସିଏଲ୍‌ ରୢାଙ୍କିଙ୍ଗ୍‌ ତାଲିକାରେ ଆଗରେ ଥିବା ଅନ୍ୟ ସହରଗୁଡ଼ିକ ତୁଳନାରେ ୫୦ ପ୍ରତିଶତ ଅର୍ଥ ଖର୍ଚ୍ଚ କରିବାକୁ ସମର୍ଥ ହୋଇଛି। ସେହିଭଳି ଅଞ୍ଚଳ ଆଧାରିତ ବିକାଶ(ଏବିଡି) କାର୍ଯ୍ୟକ୍ରମରେ ମଧ୍ୟ ଉନ୍ନତମାନର ପ୍ରଦର୍ଶନ କରିପାରି ନାହିଁ। ଯେଉଁ ଗତିରେ ଭୁବନେଶ୍ବର ସ୍ମାର୍ଟ ସିଟିର କାମ ଚାଲିଛି, ସେଭଳି ଚାଲିଲେ ଧାର୍ଯ୍ୟ ସମୟ ମଧ୍ୟରେ ପ୍ରକଳ୍ପଗୁଡ଼ିକ ଶେଷ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି।

ତେବେ ବିଏସ୍‌ସିଏଲ୍‌ର ଜିଏମ୍ କମଲଜିତ ଦାସ ଏ ସଂପର୍କରେ ପ୍ରତିକ୍ରିୟା ଦେଇ କହିଛନ୍ତି ‌ଯେ ର‍୍ୟାଙ୍କିଙ୍ଗ୍‌ ତାଲିକାରେ ଯେଉଁ ସ୍ଥିତି କଥା‌ କୁହାଯାଉଛି ତାହା ସେପ୍ଟେମ୍ବର ମାସ ଆରମ୍ଭ ସମୟର। ନୂଆ ସିଇଓ ଭାବେ ସଞ୍ଜୟ ସିଂହ ଯୋଗ ଦେବା ପରେ ଅନେକ ଅଧପନ୍ତରିଆ ପ୍ରକଳ୍ପ କାମ ତ୍ବରାନ୍ବିତ ହୋଇଛି। ଅଗଷ୍ଟରେ ୧୯ କୋଟି, ସେପ୍ଟେମ୍ବରରେ ୨୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ଅକ୍ଟୋବର ମାସରେ ବର୍ତ୍ତମାନ ସୁଦ୍ଧା ୧୮ କୋଟି ଟଙ୍କା ଖର୍ଚ୍ଚ ହୋଇ ସାରିଲାଣି। ପ୍ରକୃତରେ ଦେଖିବାକୁ ଗଲେ ଆମକୁ ମିଳିଥିବା ଅନୁଦାନ ଅର୍ଥର ୮୦ ପ୍ରତିଶତ ଆମେ ଖର୍ଚ୍ଚ କରି ସାରିଲୁଣି। କେନ୍ଦ୍ର ସରକାର ଆମକୁ ‌୫୦୦ କୋଟି ଟଙ୍କା ଅନୁଦାନ ଦେବା କଥା। ଏଥିରୁ ଆଉ ପ୍ରାୟ ୧୦୦କୋଟି ଟଙ୍କା ଦେଇନଥିବାରୁ ରାଜ୍ୟ ସରକାର ମଧ୍ୟ ନିଜ ଭାଗ ୧୦୦ କୋଟି ଟଙ୍କା‌ ଦେଇପାରି ନାହାନ୍ତି। ସବୁ ଟଙ୍କା ଆମ ହାତକୁ ଆସି ନଥିବାରୁ ଅନେକ ପ୍ରକଳ୍ପର କାର୍ଯ୍ୟ ଆଗେଇ ପାରୁନାହିଁ। ଟେଣ୍ଡର ପ୍ରକ୍ରିୟା ବିଳମ୍ବିତ ହେଉଛି। ଏହାଛଡ଼ା ଅନେକ ପ୍ରକଳ୍ପରେ ଜବରଦଖଲ ସହ କୋର୍ଟ ଆଦେଶ ବାଧକ ସାଜିଛି। ପ୍ରକଳ୍ପ ଶେଷ ପର୍ଯ୍ୟାୟରେ ଥିଲେ ମଧ୍ୟ କୋର୍ଟ ଆଦେଶ ନ ମିଳିବା ଯୋଗୁଁ କାମ ଶେଷ ହୋଇପାରୁନି। ତେଣୁ ଅକ୍ଟୋବର ୧୫ରେ ଯେଉଁ ର‍୍ୟାଙ୍କିଙ୍ଗ୍‌ ତାଲିକା ଆସିବାକୁ ଅଛି; ସେଥିରେ ଭୁବନେଶ୍ବର ନିଶ୍ଚୟ ଆଗରେ ରହିବ ଏଥିରେ ସନ୍ଦେହ ନାହିଁ।

ସମ୍ବନ୍ଧିତ ଖବର