ଭୁବନେଶ୍ୱର: ପାର୍ବଣ ଋତୁ ଦଶହରାକୁ ନେଇ ସାରା ରାଜ୍ୟରେ ଉତ୍ସବର ମାହୋଲ ସୃଷ୍ଟି ହୋଇଛି। ଗାଁଠୁ ସହର ପର୍ଯ୍ୟନ୍ତ ସବୁଠାରେ ମା’ଙ୍କ ପୂଜା ପାଇଁ ଉତ୍ସବମୁଖର ଦେଖାଯାଉଛି। ଏହାରି ମଧ୍ୟରେ ନବରାତ୍ରୀ ଆରମ୍ଭ ହୋଇଯାଇଥିବାରୁ ଦେବୀ ମନ୍ଦିରଗୁଡ଼ିକ ଚଳଚଞ୍ଚଳ ହୋଇଉଠିଛି। ତିନି ଦିନ ପରେ ମଣ୍ଡପଗୁଡ଼ିକରେ ମା’ ଦୁର୍ଗାଙ୍କ ପୂଜା ଆରମ୍ଭ ହୋଇଯିବ। ପୂଜାମଣ୍ଡପଗୁଡ଼ିକରେ ଏବେ ଯୁଦ୍ଧକାଳୀନ ଭିତ୍ତିରେ କାମ ଚାଲିଛି। ମୂର୍ତ୍ତି କାରିଗରଙ୍କ ଠାରୁ ଟେଣ୍ଟ ମାଲିକମାନେ କାମକୁ ଜୋର୍‌ କରିଦେଇଛନ୍ତି। ପୂଜାମଣ୍ଡପରେ ସାଜସଜ୍ଜା କାମ ପାଇଁ ଦିନ-ରାତି ଏକ ହୋଇଯାଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ। କାରଣ ‌ଲୋକେ ମଣ୍ଡପମୁହାଁ ହେବେ। ପୂଜାମଣ୍ଡପଗୁଡ଼ିକରେ ହଜାର ହଜାର ଶ୍ରଦ୍ଧାଳୁଙ୍କର ଭିଡ଼ ଲାଗିବ। ମାଙ୍କ ଦର୍ଶନ ସହିତ ଲୋକେ ମେଳାରୁ ଜିନିଷ କିଣିବେ ଓ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପ‌ଭୋଗ କରିବେ। 

Advertisment

Rasulgarh

ତେବେ ପୂଜାମଣ୍ଡପରେ ଦର୍ଶକଙ୍କର ପ୍ରବଳ ଭିଡ଼ ହେବାର ସମ୍ଭାବନା ଥିବା ବେଳେ ପ୍ରଶାସନ ପକ୍ଷରୁ ସଡ଼କ ଭିତ୍ତିଭୂମିକୁ ଗୁରୁତ୍ବ ଦିଆ ନଯାଇଥିଲା ଭଳି ମନେ ହେଉଛି। ରାଜଧାନୀ ଭୁବନେଶ୍ବର‌ରେ ଚଳିତ ଥର ୧୭୨ଟି ମଣ୍ଡପରେ ଦୁର୍ଗାପୂଜାର ଆୟୋଜନ ହେଉଛି। ବରମୁଣ୍ଡା, ନୟାପଲ୍ଲୀ, ରସୁଲଗଡ଼, ବମିଖାଲ, ଲକ୍ଷ୍ମୀସାଗର, ଷ୍ଟେସନବଜାର, ପଳାଶୁଣୀ, ପଟିଆ, ଚନ୍ଦ୍ରଶେଖରପୁରରେ ଅତି ଆକର୍ଷଣୀୟ ସହିତ ଆୟୋଜନ ହେଉଛି। ଏହି ସବୁ ପୂଜା ମଣ୍ଡପରେ ଲକ୍ଷାଧିକ ଲୋକଙ୍କର ଭିଡ଼ ରହିବ। 

e5bf1db8-a8b6-408a-a32a-cbd98d7f7b51

ରସୁଲଗଡ଼ ଦୁର୍ଗାପୂଜା ୧୬ ନମ୍ବର ଜାତୀୟ ରାଜପଥ କଡ଼ ଏବଂ ରାଜଧାନୀର ଅନ୍ୟତମ ଗୁରୁତ୍ବପୂଣ୍ଣ ଛକ ହୋଇଥିଲେ ମଧ୍ୟ ଏଠାରେ ଏପର୍ଯ୍ୟନ୍ତ ରାସ୍ତା ମରାମତି କରାଯାଇପାରିଲା ନାହିଁ। ରସୁଲଗଡ଼ ଦୁର୍ଗାପୂଜା ସମ୍ମୁଖରେ ଖାଲଖମା ଭର୍ତ୍ତି ହୋଇଛି। ଗାତଗୁଡ଼ିକରେ ପାଣି ଭର୍ତ୍ତି ହୋଇଛି। ସତେ ଅବା ଏହି ସ୍ଥାନଟି ଦୁର୍ଘଟଣାକୁ ଆମନ୍ତ୍ରଣ କରୁଛି ଭଳି ଲାଗୁଛି। ଏହି ଗୁରୁତ୍ବପୂର୍ଣ୍ଣ ରାସ୍ତା ଦେଇ ପ୍ରତିଦିନ ବଡ଼ବଡ଼ ଅଧିକାରୀ ଓ ନେତାମାନେ ଯାତାୟତ କରୁଥିଲେ ମଧ୍ୟ ସେମାନଙ୍କୁ ଏଠାକାର ସମସ୍ୟା ଦେଖାଯାଉ ନଥିଲା ଭଳି ଅନୁମାନ ହେଉଛି। ଏଠାରେ ଆଶ୍ବିନ ଶୁକ୍ଲପକ୍ଷ ‌ଷଷ୍ଠୀ ଅବସରରେ ଆସନ୍ତା ୨୮ ତାରିଖ ଠାରୁ ପୂଜା ଆରମ୍ଭ ହେବ। ଅକ୍ଟୋବର ୨ ତାରିଖ (ଦଶହରା) ପର୍ଯ୍ୟନ୍ତ ଲୋକଙ୍କର ପ୍ରବଳ ଭିଡ଼ ରହିବ। 

ସ୍ମାର୍ଟସିଟି ଭୁବନେଶ୍ବରର ସବୁ ରାସ୍ତାଗୁଡ଼ିକ ସ୍ମାର୍ଟ ନୁହେଁ। ଏକଥାକୁ ଯେକେହିବି ସ୍ବୀକାର କରିବେ। ରସୁଲଗଡ଼ ଦୁର୍ଗାପୂଜା ମଣ୍ଡପ ସାମ୍ନାରୁ ମଞ୍ଚେଶ୍ବର ରେଳ‌ ଷ୍ଟେସନ ରାସ୍ତାରେ ଆପଣ ଗାଡ଼ି ନେଇକି ଗଲେ ଭୁବନେଶ୍ବର କେତେ ସ୍ମାର୍ଟ ସହଜରେ ଜାଣିପାରିବେ।  

କେବଳ ରସୁଲଗଡ଼ ଦୁର୍ଗାପୂଜା ମଣ୍ଡପ ସାମ୍ନାରେ ଖାଲ ଭର୍ତ୍ତି ହୋଇ ନାହିଁ। ଭୁବନେଶ୍ବରର ଅନ୍ୟ ସ୍ଥାନରେ ମଧ୍ୟ ଏଭଳି ଅବସ୍ଥା ରହିଛି। ବୀର ସୁରେନ୍ଦ୍ର ସାଏ ନଗର ଦୁର୍ଗାପୂଜା ସାମ୍ନାରେ ବିଗତ ୨ ବର୍ଷ ହେଲା ବ୍ରିଜ ନିର୍ମାଣ ଜାରି ରହିଛି। ଦୁର୍ଗାପୂଜାର ୫୦ ମିଟିର ପରିଧି ଭିତରେ ନିର୍ମାଣ କାମ ଜାରି ଥିବାରୁ ଦୁର୍ଗାପୂଜା ସମୟରେ ଏଠାରେ ମଧ୍ୟ ଭିଡ଼ ପରିଚାଳନା କରିବା ପୁଲିସ ସାମ୍ନାରେ ବଡ଼ ଚ୍ୟାଲେଞ୍ଜ ରହିଛି। ଭିଏସ୍‌ଏସ୍‌ ନଗର ଠାରୁ ଅଳ୍ବଦୂରରେ ଅବସ୍ଥିତ ଚକେଇସିହାଣୀ ଦୁର୍ଗାପୂଜା ମଣ୍ଡପ ନିକଟରେ ମଧ୍ୟ ରାସ୍ତାର ଅବସ୍ଥା ଅତି ଶୋଚନୀୟ। ପୂଜା ମଣ୍ଡପ ନିକଟରେ ମରାମତି କାମ ଚାଲି ଥିବା ବେଳେ ଶନି ମନ୍ଦିର ସମ୍ମୁଖ ଦେଇ ଯାଇଥିବା ରାସ୍ତାରେ ଅର୍ଥାତ ତ୍ରିନାଥ ମନ୍ଦିର ନିକଟରେ ଥିବା ବଡ଼ବଡ଼ ଗାତ ଉପରେ ପ୍ରଶାସନ ଦୃଷ୍ଟି ଦେଉ ନଥିବା ଅଭିଯୋଗ ହେଉଛି। ଏହି ବଡ଼ବଡ଼ ଗାତଗୁଡ଼ିକ ଦେଖିଲେ ଲାଗୁଛି ଏହା କୌଣସି ଉପାନ୍ତ ଓ ଦୁର୍ଗମ ଅଞ୍ଚଳର ରାସ୍ତାଠାରୁ କମ ନୁହେଁ। 

ଯାଉଥିବାବେଳେ ରାସ୍ତାଘାଟ ଓ ଗମନାଗମନ ନେଇ ଭୁବନେଶ୍ୱର, କଟକ ସମେତ ସବୁ ସହର ଓ ରାଜ୍ୟବାସୀ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି, ତା ଉପରେ ଦୃଷ୍ଟି ଦେବାକୁ ବିଭାଗୀୟ ଯନ୍ତ୍ରୀମାନଙ୍କୁ ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଗତ ୬ ତାରିଖରେ ନିର୍ଦ୍ଦେଶ ଦେଇଥିଲେ। ସଂପୃକ୍ତ ଇଂଜିନିୟରମାନେ କ୍ଷେତ୍ର ପରିଦର୍ଶନ କରି ଦୁଇଦିନ ଭିତରେ ରାସ୍ତାର ସ୍ଥିତି ସଂପର୍କିତ ବିସ୍ତୃତ ରିପୋର୍ଟ ଦେବା ସହ ସେପ୍ଟେମ୍ବର ୨୦ ଭିତରେ ରାସ୍ତାର ଖାଲଖମା ମରାମତି ପାଇଁ କହିଥିଲେ। ରାସ୍ତାର ସ୍ଥିତାବସ୍ଥା ନେଇ ପୂର୍ତ୍ତ ମନ୍ତ୍ରୀ ଶ୍ରୀ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ୟୁନିଟ୍-୫ସ୍ଥିତ ନିର୍ମାଣ ସୌଧ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଭୁବନେଶ୍ୱର, କଟକ, ବ୍ରହ୍ମପୁର, ରାଉରକେଲା, ସମ୍ବଲପୁର ସହ ସବୁ ପ୍ରମୁଖ ସହର ଓ ସମସ୍ତ ଜିଲ୍ଲାର ରାସ୍ତାଘାଟର ସ୍ଥିତି ଅନୁଧ୍ୟାନ କରିଥିଲେ। ମନ୍ତ୍ରୀ କହିଥିଲେ, ବର୍ଷାଋତୁ ଆସିଲେ ରାସ୍ତାରେ ଖାଲଖମା ହେବା ଏବଂ ରାସ୍ତା ଖରାପ ହେବା ଏକ ସାଧାରଣ ପ୍ରକ୍ରିୟା। ତେବେ ଏହାକୁ ତୁରନ୍ତ ମରାମତି କରି ଜନସାଧାରଣଙ୍କୁ ଏକ ସୁଖଦ ଅନୁଭୂତି ପ୍ରଦାନ କରିବା ଆମ ସରକାରଙ୍କ ନୈତିକ ଦାୟିତ୍ୱ ଓ କର୍ତ୍ତବ୍ୟ ମଧ୍ୟ। 

rd

ଦୁର୍ଗାପୂଜାକୁ ଦୃଷ୍ଟିରେ ରଖି ଆସନ୍ତା ୨୦ ତାରିଖ ସୁଦ୍ଧା ରାଜ୍ୟର ସବୁ ପ୍ରମୁଖ ରାସ୍ତାକୁ ଖାଲଖମାମୁକ୍ତ କରିବା ଏବଂ ପରବର୍ତ୍ତୀ ଅକ୍ଟୋବର ୨ରୁ ଖରାପ ଅବସ୍ଥାରେ ଥିବା ରାସ୍ତାର ସମ୍ପୂର୍ଣ୍ଣ ନବୀକରଣ କରିବା ପାଇଁ ଇଞ୍ଜିନିୟରମାନଙ୍କୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ବୈଠକରେ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହ କହିଥିଲେ, ଅନେକ ସମୟରେ ବିଭିନ୍ନ ସଂସ୍ଥା ବିନା ଅନୁମତିରେ ପାଇପ୍ ବିଛାଇବା, ଇଲେକ୍ଟ୍ରି ଲାଇନ୍ ପକାଇବା ଅବା ଅନ୍ୟ ୟୁଟିଲିଟି କରିଡର ନାମରେ ଭଲଥିବା ରାସ୍ତାକୁ ଖୋଳି ପକାଉଛନ୍ତି। ଏହା ଦ୍ୱାରା ପରବର୍ତ୍ତୀ ସମୟରେ ସମ୍ପୂର୍ଣ୍ଣ ରାସ୍ତାଟି ଖରାପ ହୋଇଯାଉଛି। ସେହିଭଳି ବିଏମ୍‌ସି, ଇଡ୍‌କୋ, ଓପିଟିସିଏଲ୍, ୱାଟ୍‌କୋ ଆଦିର ଅଧିକାରୀଙ୍କ ମଧ୍ୟରେ ସମନ୍ୱୟ ଅଭାବରୁ ରାସ୍ତା-ଡ୍ରେନ୍ ଆଦି ଖରାପ ହେଉଛି। ତେଣୁ ରାସ୍ତାର ମରାମତି, ସ୍ଥାୟିତ୍ୱ ଓ କ୍ଷତିଭରଣା ପାଇଁ କ’ଣ କରାଯାଇପାରିବ, ସେ ଉପରେ ଆଲୋଚନା କରିଥିଲେ। 

Bhubaneswar | Durga Puja