ସ୍ମାର୍ଟ ଜନପଥ କାମ ସରିବ ତ!

ଓପିଟିସିଏଲ୍ ଅକ୍ଟୋବରରେ ରାସ୍ତା ହସ୍ତାନ୍ତର କରିବାରୁ ବିଳମ୍ବ ହେଉଛି: ସ୍ମାର୍ଟ ସିଟି କର୍ତ୍ତୃପକ୍ଷ

ଭୁବନେଶ୍ବର: ପୁରୁଷ ହକି ବିଶ୍ବକପ୍‌ ଆରମ୍ଭ ହେବାକୁ ଆଉ ମାତ୍ର ୭ଦିନ ଅଛି। ଖେଳାଳି ଓ ଅତିଥିମାନେ ରାଜଧାନୀରେ ପହଞ୍ଚିବା ଆରମ୍ଭ କଲେଣି। କିନ୍ତୁ ସରୁନି ସ୍ମାର୍ଟ ଜନପଥ କାମ। କମ୍ ସମୟ ମଧ୍ୟରେ ଏହି କାମ ଶେଷ ହେବା ଭଳି ବି ଲାଗୁନି। ଯଦି ଏହି ରାସ୍ତା ନୂଆ ରୂପ ନପାଏ ତେବେ ପୂରା ଭୁବନେଶ୍ବରର ସୌନ୍ଦର୍ଯ୍ୟକରଣ କାର୍ଯ୍ୟରେ ଏହା କଳଙ୍କ ପାଲଟିଯିବ। ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌ ପକ୍ଷରୁ ସ୍ମାର୍ଟ ସିଟି ଯୋଜନା‌େର ସ୍ମାର୍ଟ ଜନପଥ ନିର୍ମାଣ ହେଉଛି। ହକି ବିଶ୍ବକପ୍‌ ପୂର୍ବରୁ ଶିଶୁ ଭବନରୁ ରାଜମହଲ ଛକ ପର୍ଯ୍ୟନ୍ତ ଜନପଥକୁ ନୂଆ ରୂପ ଦେବାକୁ ନିଷ୍ପତ୍ତି ହୋଇଥିଲା। ଏହାପରେ ମାଷ୍ଟରକ୍ୟାଣ୍ଟିନ୍ ଛକ ପର୍ଯ୍ୟନ୍ତ କିନ୍ତୁ କାମ ହୋଇଥିଲା। କର୍ତ୍ତୃପକ୍ଷ ରାତି ଦିନ ଏକ କରି କାମ କରୁଥିଲେ ହେଁ କାମ ସରୁନି। ଦିନ ଯେତେ କମୁଛି କାମ ସେତେ ଅଧିକ ଦେଖାଯାଉଛି। ଏହି ରାସ୍ତା କାମ ଏକ ଯୋଜନାବଦ୍ଧ କାର୍ଯ୍ୟ ହୋଇଥିବାରୁ ଏହାର ସ୍ଥାୟିତ୍ବ ପ୍ରତି ଗୁରୁତ୍ବ ଦିଆଯାଉଛି। ତେଣୁ କର୍ତ୍ତୃପକ୍ଷ କୌଣସି କାମରେ ଖିଲାପ କରିବାକୁ ଚାହୁଁନାହାନ୍ତି। ଏବେ ଟାଇଲ୍‌ ବିଛା କାର୍ଯ୍ୟ ହେଉଥିବାବେଳେ ଫୁଟପାଥ୍ ଏବଂ ରାସ୍ତା କଡ଼ରେ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଆରମ୍ଭ ହୋଇଛି। ହେଲେ ରାସ୍ତା କାମ ଶେଷ ହୋଇନଥିବାରୁ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଆଶାନୁରୂପ ଆଗେଇପାରୁନି। ଏନେଇ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଓପିଟିସିଏଲ୍ ଆମକୁ ଜନପଥ ହସ୍ତାନ୍ତର କରିବାରେ ବିଳମ୍ବ କରିବାରୁ ସ୍ମାର୍ଟ ଜନପଥ କାମ ଆରମ୍ଭରେ ବିଳମ୍ବ ହେଲା। ଓପିଟିସିଏଲ୍ ଭୂତଳ କେବୁଲ୍ ବିଛାଉଥିବାରୁ ଜୁନ୍ ‌୩୦ ସୁଦ୍ଧା ଆମକୁ ରାସ୍ତା ହସ୍ତାନ୍ତର କରିବାର ଥିଲା। କିନ୍ତୁ ସେମାନଙ୍କର କାର୍ଯ୍ୟ ବିଳମ୍ବ ହେବାରୁ ଆମେ ସେପ୍ଟେମ୍ବର ମାସ ‌ପର୍ଯ୍ୟନ୍ତ ଅବଧି ଦେଇଥିଲୁ। ହେଲେ ଏହି ସମୟରେ ବି ଶେଷ ହେଲାନି। ଅକ୍ଟୋବର ମାସରେ ଆମକୁ ଜନପଥ ହସ୍ତାନ୍ତର ହେଲା। ଏହାପରେ ଦିନରାତି ଏକ କରି କାମ କରୁଛୁ। ଆଶା କରୁଛୁ ଶିଶୁ ଭବନରୁ ରାଜମହଲ ପର୍ଯ୍ୟନ୍ତ କାମ ସଂପୂର୍ଣ୍ଣ ହୋଇଯିବ। ରାଜମହଲରୁ ମାଷ୍ଟରକ୍ୟାଣ୍ଟିନ୍ ପର୍ଯ୍ୟନ୍ତ କାମ ଶେଷ କରିବାକୁ ଲକ୍ଷ୍ୟ ରଖିଛୁ। ଯାହା ବି କାମ ହେବ ତାହା ଦୀର୍ଘସ୍ଥାୟୀ ଯେପରି ହେବ ତାହାକୁ ଗୁରୁତ୍ବ ଦେଉଛୁ ବୋଲି ଉକ୍ତ ଅଧିକାରୀ ଜଣଙ୍କ କହିଛନ୍ତି।

ସମ୍ବନ୍ଧିତ ଖବର