ୱେବସାଇଟ୍ ଅଛି ବୋଲି ଲୋକ ଜାଣିନାହାନ୍ତି
ସିଙ୍ଗାପୁରର ‘ୱାନ୍ ମ୍ୟାପ୍’ ଢାଞ୍ଚାରେ କରିଥିଲେ
ଭୁବନେଶ୍ୱର,(ବିଶ୍ୱଜିତ ଦାଶ): ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ(ବିଏସ୍ସିଏଲ୍)ର ପ୍ରଥମ ପ୍ରକଳ୍ପ ହେଉଛି ଭୁବନେଶ୍ୱର ୱାନ୍। ଏହାକୁ ଏମିତି ଏକ ୱେବସାଇଟ୍ରେ ପରିଣତ କରାଯାଇଥାନ୍ତା ଯେଉଁଥିରେ କ୍ଲିକ୍ କଲେ ପୂରା ଭୁବନେଶ୍ୱରର ଖବର କ୍ଷଣକରେ ମିଳିଯାଇଥାନ୍ତା। ଲୋକଙ୍କ ହାତ ପାହନ୍ତାରେ ସବୁ ତଥ୍ୟ ମିଳିଥାନ୍ତା। ସ୍ମାର୍ଟ ସିଟିର ବାସିନ୍ଦାଙ୍କ ଜୀବନଶୈଳୀ ସ୍ମାର୍ଟ କରିବା ପାଇଁ ବିଏସ୍ସିଏଲ୍ ସିଙ୍ଗାପୁରର ‘ୱାନ୍ ମ୍ୟାପ୍’ ଡିଜାଇନ୍ରେ ଏହି ‘ଭୁବନେଶ୍ୱର ୱାନ୍’ ୱେବସାଇଟ୍ ପ୍ରସ୍ତୁତ କରିଥିଲା। କିନ୍ତୁ ‘ମାଗି ଆଣିବା ତିଅଣ ହାପୁଡ଼େ’ ଭଳି ଭୁବନେଶ୍ୱର ୱାନ୍ ୱେବସାଇଟ୍ ଅବସ୍ଥା। ସିଙ୍ଗାପୁରର ‘ୱାନ୍ ମ୍ୟାପ୍’କୁ ନକଲ କରି ଏଠାରେ ସିନା ଯୋଜନା କଲେ ହେଲେ ଏହା କିପରି କାର୍ଯ୍ୟକାରୀ ହେବ, ଲୋକ ବ୍ୟବହାର କରିପାରିବେ ସେ ଯୋଜନା କଲେନି।
ସ୍ମାର୍ଟ ସିଟି ଘୋଷଣାକୁ ଆଉ ମାସ କେଇଟାରେ ୫ବର୍ଷ ପୂରିବ। ବହୁ ପ୍ରକଳ୍ପ ଅଧପନ୍ତରା ହୋଇପଡ଼ିଛି। ବହୁ ପ୍ରକଳ୍ପ ଆରମ୍ଭ ହୋଇନି। ଏଭଳି ସ୍ଥିତିରେ ଭୁବନେଶ୍ବର ସ୍ମାର୍ଟ ସିଟିର ପ୍ରଥମ ପ୍ରକଳ୍ପ ଭୁବନେଶ୍ବର ୱାନ୍ ଫେଲ୍ ମାରିଛି। ଯେଉଁ ୱେବସାଇଟ୍କୁ ୪ବର୍ଷ ତଳେ ଦୈନିକ ପ୍ରାୟ ୨୯୫୮୮ ଜଣ ଦେଖୁଥିଲେ ସେହି ୱେବସାଇଟ୍କୁ ଆଜିକା ଦିନରେ ଜଣେ ବି ଖୋଲୁନାହାନ୍ତି। ୱେବସାଇଟ୍ ଖୋଲିଲେ କ’ଣ ସେବା ମିଳିବ, କି ପ୍ରକାରର ସୁବିଧା ମିଳିବ ସେ ବିଷୟରେ ଜାଣିବା ଦୂର କଥା। ଭୁବନେଶ୍ବର ୱାନ୍ ବୋଲି ଏକ ୱେବସାଇଟ୍ ଅଛି ଏକଥା ରାଜଧାନୀବାସୀ ଜାଣିନାହାନ୍ତି। ଯିଏ ୪ ବର୍ଷ ତଳେ କାହାଠୁ ଶୁଣି କମ୍ପ୍ୟୁଟରରେ ଏହି ୱେବସାଇଟ୍ ଖୋଲିଥିଲେ ସେମାନେ ବି ଏହାର ନାମ ଭୁଲିଗଲେଣି। ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡର କିଛି ଅଧିକାରୀଙ୍କ ଅପାରଗତା ପାଇଁ ଆଜି ସ୍ମାର୍ଟ ସିଟିର ପ୍ରଥମ ଯୋଜନା ଫେଲ୍ ମାରିଛି।
ରାଜଧାନୀର ରାସ୍ତାଘାଟର ସୂଚନାରୁ ଆରମ୍ଭ କରି ସରକାରୀ କାର୍ଯ୍ୟାଳୟ, ସିନେମା ହଲ୍ ପର୍ଯ୍ୟନ୍ତ ସବୁ ସୂଚନା ଏହି ୱେବସାଇଟ୍ରେ ମିଳିଥାନ୍ତା। କିନ୍ତୁ ଏଥିରେ କେବଳ ପୁରୁଣା ତଥ୍ୟ ଏବଂ ମ୍ୟାପ୍ ରହିଛି। ଲୋକଙ୍କୁ ହଠାତ୍ ଯାହା ଦରକାର, ସ୍ମାର୍ଟ ଲାଇଫ୍ଷ୍ଟାଇଲ୍ ପାଇଁ ଯେଉଁ ସବୁ ସୁବିଧା ଦରକାର ତାହା ନାହିଁ। ଏପରିକି ଏହି ୱେବସାଇଟ୍ କମ୍ପ୍ୟୁଟର, ଲାପଟପ୍ ଆଦିରେ ଖୋଲୁଥିବାବେଳେ ମୋବାଇଲ୍ ଆପ୍ ନଥିବାରୁ ଏହାକୁ ଠିକ୍ ଭାବେ ବ୍ୟବହାର କରାଯାଇପାରୁନି।
ପୂର୍ବରୁ ଏହି ପ୍ରକଳ୍ପ ବିଡିଏର ଜଣେ ଅଧିକାରୀ ପରିଚାଳନା କରୁଥିବାବେଳେ ପ୍ରାୟ ଅଢେଇ ବର୍ଷ ହେଲା ଏହାକୁ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ ପରିଚାଳନା କରୁଛି। ଏହାକୁ ଉନ୍ନତୀକରଣ କରିବା ନାଁରେ ବିଏସ୍ସିଏଲ୍ ଏହାକୁ ନେଇଛି କିନ୍ତୁ ଆଜି ପର୍ଯ୍ୟନ୍ତ ଏହା ନୂଆ ରୂପ ପାଇପାରୁନି।
ଭୁବନେଶ୍ବର ଵାନ୍ ତା’ର ମୂଳ ଲକ୍ଷ୍ୟ ଠାରୁ ଦୂରେଇ ଯିବା ନେଇ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଆମର ଏହି ୱେବସାଇଟ୍ରେ ଲୋକଙ୍କର ନିତିଦିନିଆ ବ୍ୟବହାର ଉପଯୋଗୀ ସମସ୍ତ ଡାଟା ଅପଡେଟ୍ ହୋଇନି। ଏପରିକି ଭୁବନେଶ୍ବରଵାନ୍.ଇନ୍ ଖୋଲିବାକୁ ହେଲେ ସିଧା ଏହାର ୱେବସାଇଟ୍ ଟାଇପ୍ କରିବାକୁ ପଡ଼ିବ। ଏଥିପାଇଁ କୌଣସି ଲିଙ୍କ୍ ଦିଆଯାଇନି। ଯେଉଁଥିପାଇଁ ଏହାକୁ ଅଧିକ ଲୋକ ବ୍ୟବହାର କରିପାରୁନାହାନ୍ତି। ଏହି ୱେବସାଇଟ୍ରେ ଅଧିକା˚ଶ ତଥ୍ୟ ମ୍ୟାପ୍ରେ ଉପଲବ୍ଧ ହେଉଥିବାରୁ ଏହାକୁ ଶିକ୍ଷିତ ଲୋକ ସହଜରେ ଜାଣି ପାରିବେ। ହେଲେ କେବଳ ମୋବାଇଲ ଓ କମ୍ପ୍ୟୁଟର ବ୍ୟବହାର ଶିଖିଥିବା ଲୋକ ଏହାକୁ ବ୍ୟବହାର କରିପାରିବନି। ପୂର୍ବରୁ ବିଡିଏ, ବିଏମ୍ସି, ବିଏସ୍ସିଏଲ୍ ସମେତ ରାଜ୍ୟ ସରକାରଙ୍କ ସମସ୍ତ ୱେବସାଇଟ୍ରେ ଏହାର ଲିଙ୍କ୍ ଦେବାର ଥିଲା। ହେଲେ କୌଣସି ୱେବସାଇଟ୍ରେ ବି ଏହାର ଲିଙ୍କ ଦିଆଯାଇନଥିବାରୁ ଲୋକମାନେ ଏହା ବିଷୟରେ ଜାଣିପାରୁନାହାନ୍ତି।