ସ୍ମାର୍ଟ ଇଣ୍ଡିଆ ହାକାଥାନ୍‌-୨୦୧୮ ଉଦ୍‌ଯାପିତ

ଭୁବନେଶ୍ୱର : ଶନିବାର ସନ୍ଧ୍ୟାରେ ସ୍ମାର୍ଟ ଇଣ୍ଡିଆ ହାକାଥାନ୍‌-୨୦୧୮ର ଗ୍ରାଣ୍ଡ ଫିନାଲେ ଉଦ୍‌ଯାପିତ ହୋଇଯାଇଛି। ରାଜ୍ୟର ଏକ ମାତ୍ର ନୋଡାଲ୍‌ ସେଣ୍ଟର ସିଭି ରମଣ ଇଂଜିନିୟରିଂ କଲେଜରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ମାନବ ସମ୍ବଳ ବିକାଶ ବିଭାଗର ମୁଖ୍ୟ ଶାସନ ସଚିବ ଆର୍‌ ସୁବ୍ରମଣ୍ୟମ୍‌ ମୁଖ୍ୟ ଅତିଥିଭାବେ ଯୋଗ ଦେଇ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ। ସିଭି ରମଣ କଲେଜକୁ ଦିଆଯାଇଥିବା ୯ଟି ସମସ୍ୟାର ସମାଧାନ ପାଇଁ ଲାଗିଥିବା ୩୫୨ ଜଣ ଇଂଜିନିୟରିଂ ଛାତ୍ରଛାତ୍ରୀ ଓ ସେମାନଙ୍କ ସହ ସାମିଲ ଥିବା ୮୦ ଜଣ ମେଣ୍ଟର୍‌ ଦୀର୍ଘ ୩୬ ଘଣ୍ଟା କାଳ ଅବିଚ୍ଛିନ୍ନଭାବେ କାମ କରି ବେଶ୍‌ ସଫଳତା ପାଇଥିବା ସୂଚନା ମିଳିଛି।

ଚଳିତ ବର୍ଷ ଏହି କାର୍ଯ୍ୟକ୍ରମରେ ମୋଟ୍‌ ୧୦,୩୦୦ ଜଣ ଛାତ୍ରଛାତ୍ରୀ ସାମିଲ୍‌ ହୋଇଥିଲେ। କେନ୍ଦ୍ରର ୨୭ଟି ମନ୍ତ୍ରାଳୟ ଓ ୧୮ଟି ରାଜ୍ୟ ସରକାରଙ୍କ ପକ୍ଷରୁ ଆସିଥିବା ୩୪୦ ସମସ୍ୟାର ସମାଧାନ ପାଇଁ ଏହି ହାକାଥାନ୍‌ର ଗ୍ରାଣ୍ଡ୍‌ ଫିନାଲେ ଆୟୋଜନ କରାଯାଇଥିଲା। ସମଗ୍ର ଦେଶରେ ମୋଟ୍‌ ୨୩ଟି ନୋଡାଲ୍‌ ସେଣ୍ଟର ହୋଇଥିଲା ଓ ଓଡ଼ିଶାରୁ କେବଳ ସିଭି ରମଣ ଇଂଜିନିୟରିଂ କଲେଜକୁ ଏହି ସୁଯୋଗ ମିଳିଥିଲା। ଗତବର୍ଷ ସିଭି ରମଣ କଲେଜ ଏହି କାର୍ଯ୍ୟକ୍ରମକୁ ବେଶ୍‌ ଭଲରେ ସମ୍ପନ୍ନ କରି ପୁରସ୍କୃତ ହୋଇଥିଲା।

କାର୍ଯ୍ୟକ୍ରମ ପ୍ରାରମ୍ଭରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡ଼େକର ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ କହିଥିଲେ ଯେ, ଚଳିତ ବର୍ଷ ହାକାଥାନ୍‌ କେବଳ ମାତ୍ର ଡିଜିଟାଲ୍‌ ସମାଧାନ ପାଇଁ ଉଦ୍ଦିଷ୍ଟ ନଥିଲା, ବରଂ ହାର୍ଡେଓ୍ଵର୍‌ ସମସ୍ୟା ସମାଧାନ ପାଇଁ ଅଧିକ ଚ୍ୟାଲେଞ୍ଜ୍‌ ଥିଲା। ମନ୍ତ୍ରାଳୟମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଥିବା ପଛରେ ଦେଶର ଯୁବପିଢ଼ିଙ୍କୁ ଦେଶ ଗଠନରେ ସାମିଲ୍‌ କରାଇବା ଓ ସେମାନଙ୍କ ଅନ୍ତର୍ନିହିତ ଜ୍ଞାନକୌଶଳକୁ ଉପଯୋଗ କରିବା ମୂଳ ଲକ୍ଷ୍ୟ ବୋଲି ମନ୍ତ୍ରୀ ଜଭଡ଼େକର କହିଥିଲେ। ଶୁକ୍ରବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିଯୋଗୀମାନଙ୍କୁ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ସମ୍ବୋଧିତ କରିଥିଲେ। ଶନିବାର ଉଦ୍‌ଯାପନୀ ଉତ୍ସବରେ ସିଭି ରମଣ ଗ୍ରୁପ୍‌ ଅଫ୍‌ ଇନ୍‌ଷ୍ଟିଚ୍ୟୁସନ୍‌ର ଅଧ୍ୟକ୍ଷ ଇଂ ସଂଜୀବ କୁମାର ରାଉତ ଉପସ୍ଥିତ ଥିଲେ। ସିଭି ରମଣ ନୋଡାଲ ସେଣ୍ଟର୍‌ରୁ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଦଖଲ କରିଥିବା ଗ୍ରୁପ୍‌କୁ ଯଥାକ୍ରମେ ୧ ଲକ୍ଷ, ୭୫ ହଜାର ଓ ୫୦ ହଜାର ଟଙ୍କା ପୁରସ୍କୃତ କରାଯାଇଥିଲା।

ସମ୍ବନ୍ଧିତ ଖବର