ସ୍ମାର୍ଟ ଜନପଥ କାମ ସରିବ, ସ୍ମାର୍ଟ ସଚିବାଳୟ ମାର୍ଗ ଆରମ୍ଭ ହେବ

ସ୍ମାର୍ଟ ସିଟି ଯୋଜନାରେ ଶିଶୁଭବନରୁ ବାଣୀବିହାର ପର୍ଯ୍ୟନ୍ତ ସ୍ମାର୍ଟ ଜନପଥ ନିର୍ମାଣ ହେଉଛି। ପ୍ରାୟ ୮୦କୋଟି ଟଙ୍କାରେ ନିର୍ମାଣ ହେଉଥିବା ଏହି ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ଶେଷ ହୋଇଛି। ଶିଶୁଭବନରୁ ରାଜମହଲ ପର୍ଯ୍ୟନ୍ତ ରାସ୍ତା ନୂଆ ରୂପ ପାଇଛି। ୨ବର୍ଷର ଏହି ପ୍ରକଳ୍ପ ଡେଡଲାଇନ୍ ଅକ୍ଟୋବର,୨୦୧୯ରେ ସରିବ। ତେଣୁ ରାଜଧାନୀବାସୀ ଆଶା ରଖିଛନ୍ତି ୨୦୧୯ରେ ସ୍ମାର୍ଟ ରାସ୍ତା ପାଇବେ। ସେହିପରି ୨୦୧୯ରେ ସ୍ମାର୍ଟ ସଚିବାଳୟ ମାର୍ଗ କାମ ଆରମ୍ଭ ହେବ ବୋଲି ନିଷ୍ପତ୍ତି ହୋଇଛି।

ବମିଖାଲ ଓଭରବ୍ରିଜ୍‌ର ପୂର୍ଣ୍ଣାଙ୍ଗ ରୂପ

୨୦୧୨ରୁ ନିର୍ମାଣ ହେଉଥିବା ବମିଖାଲ ଓଭରବ୍ରିଜ୍‌ ୨୦୧୯ରେ ଖୋଲିବ। ନିର୍ମାଣ କାର୍ଯ୍ୟ ୯୫% ଶେଷ ହୋଇଥିବାବେଳେ ଜାନୁଆରି ଶେଷ ସୁଦ୍ଧା ଏହି ଓଭରବ୍ରିଜ୍‌ ଖୋଲିବାକୁ ପୂର୍ତ୍ତ ବିଭାଗ ଲକ୍ଷ୍ୟ ରଖିଛି। ଏହି ଓଭରବ୍ରିଜ୍‌ କାର୍ଯ୍ୟକ୍ଷମ ହେଲେ କଟକରୋଡ୍‌ରୁ ସହିଦନଗରକୁ ଯାତାୟାତ ସୁବିଧା ହେବ। ପୂର୍ବତଟ ରେଳପଥ ମଧ୍ୟ ସହିଦନଗର ଲେଭେଲ୍‌ କ୍ରସିଂ ଉଠାଇଦେବ।

ଭୁବନେଶ୍ବର ଟାଉନ୍ ସେଣ୍ଟର ପାଇଁ ହେବ ଏମ୍‌ଓୟୁ

ସ୍ମାର୍ଟ ସିଟିିର ସବୁଠୁ ବଡ଼ ପିପିପି ପ୍ରକଳ୍ପ ଭୁବନେଶ୍ବର ଟାଉନ୍ ସେଣ୍ଟର ମାଷ୍ଟରକ୍ୟାଣ୍ଟିନ୍ ଅଞ୍ଚଳରେ ନିର୍ମାଣ ହେବ। ଏଥିପାଇଁ ଅଶୋକା ମାର୍କେଟ୍ ଉଚ୍ଛେଦ ପ୍ରାୟ ଶେଷ ହୋଇଥିବାବେଳେ ବିଡିଏ ଆବଶ୍ୟକୀୟ ଜମି ଅଧିଗ୍ରହଣ କରିଛି। ଏହି ପ୍ରକଳ୍ପ ପାଇଁ ବିଡିଏ ଏବଂ ପୂର୍ବତଟ ରେଳପଥ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଏମ୍ଓୟୁ ସ୍ବାକ୍ଷର ହେବ। ଏମ୍‌ଓୟୁ ସ୍ବାକ୍ଷର ନେଇ ୨୦୧୮ରେ ବର୍ଷତମାମ୍ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଟଣାଓଟରା ଲାଗିବା ପରେ ଉଭୟ ପକ୍ଷ ଏମ୍‌ଓୟୁ ସ୍ବାକ୍ଷର ପାଇଁ ବର୍ଷର ଶେଷ ମାସରେ ରାଜି ହୋଇଛନ୍ତି। ଜାନୁଆରିରେ ଏମ୍‌ଓୟୁ ସ୍ବାକ୍ଷର ହେବାର ସମ୍ଭାବନା ଅଛି।

ବିଏମ୍‌ସି ନିର୍ବାଚନ ବିଗୁଲ୍ ବାଜିବ

ଜାନୁଆରି ୧୬ରେ ବିଏମ୍‌ସିର ନିର୍ବାଚିତ ପ୍ରତିନିଧିଙ୍କ କାର୍ଯ୍ୟକାଳ ଶେଷ ହେଉଥିବାବେଳେ ଏବେ ନିର୍ବାଚନ ହେବାର ସମ୍ଭାବନା ନାହିଁ। ପୌର ନିର୍ବାଚନ ଜନିତ ମାମଲାର ସୁପ୍ରିମକୋର୍ଟରେ ଶୁଣାଣି ହେବାର ଥିବାରୁ ଏହାପରେ ହିଁ ବିଏମ୍‌ସି ନିର୍ବାଚନ ନେଇ ନିଷ୍ପତ୍ତି ହେବ। ଏପ୍ରିଲ୍‌- ମେ’ରେ ସାଧାରଣ ନିର୍ବାଚନ ହେବାର ଥିବାରୁ ଏହାପରେ ବିଏମ୍‌ସି ନିର୍ବାଚନ ହୋଇପାରେ ବୋଲି ଚର୍ଚ୍ଚା ହେଉଛି।

ବିଏମ୍‌ସି ମୁଖ୍ୟ କାର୍ଯ୍ୟାଳୟ କାମ ଆରମ୍ଭ ହେବ

ସତ୍ୟନଗର ମଶାଣି ସମ୍ମୁଖରେ ୟୁନିଟ-୯ରେ ବିଏମ୍‌ସିର ମୁଖ୍ୟ କାର୍ଯ୍ୟାଳୟ ପାଇଁ ଦେଢ଼ ବର୍ଷ ହେଲା ଶିଳାନ୍ୟାସ ହୋଇଥିଲେ ହେଁ କାମ ଆରମ୍ଭ ହୋଇପାରୁନି। ଏଥିପାଇଁ ଜମି ଅଧିଗ୍ରହଣ ସରିଥିବାବେଳେ ଟେଣ୍ଡର ପ୍ରକ୍ରିୟା ବି ଶେଷ ହୋଇଛି। ଥରେ ଟେଣ୍ଡର ବାତିଲ୍ ହେବା ପରେ ଦ୍ବିତୀୟ ପର୍ଯ୍ୟାୟରେ ହୋଇଥିବା ଟେଣ୍ଡରରେ ଦୁଇଟି ସଂସ୍ଥା ଭାଗ ନେଇଥିଲେ। ଫାଇନାନସିଆଲ୍‌ ବିଡିଂ ଶେଷ ହୋଇଥିବାବେଳେ ଏଲ୍‌-୧ ବିଡର ସହିତ ଖୁବ୍‌ ଶୀଘ୍ର ଚୁକ୍ତି ସ୍ବାକ୍ଷର ହେବ। ଆସନ୍ତା ଦୁଇ ମାସ ଭିତରେ କାମ ଆରମ୍ଭ ହେବାର ସମ୍ଭାବନା ଅଛି। ଇପିସି ମୋଡ୍‌ରେ କାମ ହେବାକୁ ଥିବାବେଳେ ଦୁଇ ବର୍ଷରେ ଏହାର ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି।

ସମ୍ବନ୍ଧିତ ଖବର