ସମ୍ବାଦ ପ୍ରଭାବ : ଆରମ୍ଭ ହେଲା ସ୍ମାର୍ଟ ଜନପଥ ମରାମତି କାମ

ଭୁବନେଶ୍ୱର : ସ୍ମାର୍ଟ ଜନପଥର ଦୁରବସ୍ଥା ନେଇ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ କର୍ତ୍ତୃପକ୍ଷ ତତ୍ପରତା ଦେଖାଇଛନ୍ତି। ରକ୍ଷଣାବେକ୍ଷଣ ଅଭାବରୁ ସ୍ମାର୍ଟ ଜନପଥର ସୌନ୍ଦର୍ଯ୍ୟୀକରଣ ପାଇଁ ଲାଗିଥିବା ଘାସ ଗାଲିଚାରୁ ଆରମ୍ଭ କରି ବିଭିନ୍ନ ପ୍ରକାରର ଗଛ ମରି ଯାଇଥିବା ବେଳେ ରାସ୍ତା, ଡ୍ରେନ୍‌ର ମରାମତି ଦରକାର ପଡ଼ୁଥିଲା। କିନ୍ତୁ ରାସ୍ତା ନିର୍ମାଣକାରୀ ସଂସ୍ଥା ଆର୍‌କେଡି ଏହା କରୁନଥିଲା। ଖବର ପ୍ରକାଶ ପାଇବା ପରେ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍ କର୍ତ୍ତୃପକ୍ଷ ସ୍ମାର୍ଟ ଜନପଥ ନିର୍ମାଣକାରୀ ସଂସ୍ଥାକୁ ଡାକି ତାଗିଦ୍‌ କରିଥିଲେ। ଏହା ପରଠାରୁ ରାସ୍ତାର ରକ୍ଷଣାବେକ୍ଷଣ କାମ ଆରମ୍ଭ ହୋଇଛି।

ଆଜିଠାରୁ ବିଭିନ୍ନ ସ୍ଥାନରେ ଲାଗିଥିବା ଘାସ ଓ ଗଛରେ ପାଣି ଦିଆଯାଇଛି। ଯେଉଁଠି ଗଛ ପୂରା ମରିଯାଇଛି, ସେଗୁଡ଼ିକୁ ମୂଳରୁ ଉପାଡ଼ି ନୂଆ ଗଛ ଲଗାଯିବ। ରାସ୍ତାକଡ଼ରେ ଗଦା ହୋଇଥିବା ଆବର୍ଜନାଗୁଡ଼ିକୁ ନିୟମିତ ସଫା କରାଯିବ। ସମସ୍ତ ଆଳଙ୍କାରିକ ଲାଇଟ୍‌ ଯେପରି ଜଳିବ, ତାହାର ମରାମତି କରାଯିବ। ଏବେ ଶିଶୁଭବନରୁ ରାଜମହଲ ପର୍ଯ୍ୟନ୍ତ କାମ ଶେଷ ହୋଇଥିବାରୁ ଏହାର ନିୟମିତ ରକ୍ଷଣାବେକ୍ଷଣ କରିବାକୁ ନିର୍ମାଣକାରୀ ସଂସ୍ଥାକୁ କୁହାଯାଇଛି।

ସମ୍ବନ୍ଧିତ ଖବର