ଜଳମଗ୍ନ ହେଲା ସ୍ମାର୍ଟ ଜନପଥ

ଭୁବନେଶ୍ବର : ଲଗାଣ ବର୍ଷାରେ ଆଜି ସ୍ମାର୍ଟ ଜନପଥ ଜଳାର୍ଣ୍ଣବ ହୋଇଯାଇଥିଲା। ରାସ୍ତା ଉପରେ ଏତେ ଜଳ ଜମି ରହିଲା ଯେ ସ୍ମାର୍ଟ ଜନପଥ କଡ଼ରେ ଥିବା କିଛି ସରକାରୀ ବାସଭବନ ଭିତରକୁ ପାଣି ପଶି ଯାଇଥିଲା। ରାଜଧାନୀର କେନ୍ଦ୍ର ଅଞ୍ଚଳରେ ଥାଇ ବି ଲୋକେ ନଦୀ କୂଳରେ ଥିବା ଭଳି ବନ୍ୟା ସ୍ଥିତି ଅନୁଭବ କଲେ ବୋଲି କହିଛନ୍ତି। ୟୁନିଟ୍-୩ ସ୍ଥିତ ରୋଡ୍‌ ନଂ- ୮ରେ ପ୍ରାୟ ଦୁଇ ଫୁଟ୍‌ ଉଚ୍ଚରେ ପାଣି ଜମି ଥିଲା ଓ ସେଠାରେ ଥିବା ସରକାରୀ ବାସଭବନ ଭିତରକୁ ପାଣି ପଶି ଯାଇଥିଲା। ସହିଦନଗରର ଅଧିକାଂଶ ସ୍ଥାନରେ ରାସ୍ତା ଉପରେ ପାଣି ଜମିଥିଲା। ସହିଦନଗର ବିଷ୍ଣୁ ମନ୍ଦିର ରାସ୍ତା ପୂରା ବୁଡ଼ି ଯାଇଥିଲା। କେଭି-୧ ରାସ୍ତାରୁ ଖାଓ ଗଳି ଲେନ୍, ପ୍ରେସ୍ କଲୋନିରେ ମଧ୍ୟ ରାସ୍ତା ଉପରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଫୁଟେ ଉଚ୍ଚରେ ପାଣି ଜମି ରହିଥିଲା। ରିକ୍ସା କଲୋନିରେ ଗୋଷ୍ଠୀ ଶୌଚାଳୟ ବୁଡ଼ି ଯାଇଥିଲା। ‘ଆମ ଓଡ଼ିଶା’ ଅଫିସ୍ ପାଖରେ ଏକ ଗଛ ଉପୁଡ଼ି ପଡ଼ିବାରୁ ରାସ୍ତା ବନ୍ଦ ହୋଇଯାଇଥିଲା। ଅଗ୍ନିଶମ ବାହିନୀ ଗଛ କାଟିବା ପରେ ରାସ୍ତାରେ ଯାନବାହାନ ଚଳାଚଳ ହୋଇଥିଲା। ସବୁଠାରେ ‌ଡ୍ରେନ୍‌ ସମସ୍ୟା ହିଁ ରାସ୍ତା ବୁଡ଼ିବାର ମୁଖ୍ୟ କାରଣ ବୋଲି ଅଭିଯୋଗ ହୋଇଛି।

ପୁରୁଣା ଭୁବନେଶ୍ବର ଜଳମଗ୍ନ
ପୁରୁଣା ଭୁବନେଶ୍ବର : ଆଜି ବର୍ଷାରେ ପୁରୁଣା ଭୁବନେଶ୍ବରର ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇ ଯାଇଥିଲା। କେଦାରଗୌରୀ ବିହାର ଅଞ୍ଚଳରେ ରହୁଥିବା ଶତାଧିକ ପରିବାର ପାଣି ଘେରରେ ରହିଥିଲେ। ଲୋକମାନେ ଘରୁ ବାହାରିବା ବେଳେ ପାଣି ଭିତରେ ପଶି ଆସିବାକୁ ବାଧ୍ୟ ହୋଇଥିଲେ। ସେହିପରି ସମାନ ଅବସ୍ଥା ବଡ଼ଗଡ଼ ଇଏ କଲୋନିରେ ଦେଖିବାକୁ ମିଳିଥିଲା। ବର୍ଷା ହେବା ପରେ ପାଣି ନିଷ୍କାସନ ସମସ୍ୟା ଉପୁଜିଥିଲା। ସେହିପରି ନୂଆ ଗାଁ ରାସ୍ତାରେ ପାଣି ଜମି ରହିଥିଲା। ‌ନୂଆ ଗାଁକୁ ପେଟ୍ରୋଲପମ୍ପ କଡ଼ ରାସ୍ତାରେ ପାଣି ଜମି ରହିଥିଲା। ବିଜେବି ନଗର ଗଧିଆ ଖାଲ, ଗୌରୀନଗର ଓ କୋଟି ତୀର୍ଥେଶ୍ବର ରାସ୍ତାରେ ବର୍ଷା ପାଣି ଜମି ରହିଥିଲା। କେତେକ ଅଞ୍ଚଳରେ ବିଏମ୍‌ସି ପକ୍ଷରୁ ମଟର ଲଗାଇ ପାଣି ନିଷ୍କାସନ କରାଯାଇଥିଲା। ତେବେ ବର୍ଷା ପାଣି ସମସ୍ୟା ସମାଧାନ ପାଇଁ ସ୍ଥାନୀୟ ଲୋକ ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ୍‌ କରି ଦାବି କରିଛନ୍ତି। ସମାଜସେବୀ ରଶ୍ମୀ ମହାପାତ୍ର ବିଏମ୍‌ସି ଓ ଅନ୍ୟ କତୃପକ୍ଷଙ୍କୁ ମଧ୍ୟ ଏହି ଦାବି ଜଣାଇଛନ୍ତି।

ଶ୍ୟାମପୁରରେ ରାସ୍ତା ଦବିଗଲା
ଶ୍ୟାମପୁର ଗାଁକୁ ଲମ୍ବିଥିବା ରାସ୍ତାଟି ଲଗାଣ ବର୍ଷା ଯୋଗୁଁ ଦବି ଯାଇଛି। ନିକଟରେ ସ୍ବେରେଜ୍‌ ଲାଇନ୍‌ କାମ ଶେଷ ହୋଇଥିବାରୁ ଖୋଳା ହୋଇ ପଡ଼ିଥିବା ବହୁ ଅଂଶ ଦବି ଯାଇଛି। ଫଳରେ ରାସ୍ତାରେ ବଡ଼ବଡ଼ ଗର୍ତ୍ତ ସୃଷ୍ଟି ହୋଇଛି। ସୂଚନାନୁସାରେ ସ୍ବେରେଜ୍‌ ବିଭାଗ କାମ ସାରି ଦେଇଛି ଓ ପୂର୍ତ୍ତ ବିଭାଗ ରାସ୍ତ‌ା ନବୀକରଣ କରିବା କଥା। ପୂର୍ତ୍ତ ବିଭାଗ ପକ୍ଷରୁ ମଧ୍ୟ କାମ ଆରମ୍ଭ ହୋଇଛି। ମାତ୍ର ଏବେ ବର୍ଷା ଦିନ ଆରମ୍ଭ ହୋଇଯିବାରୁ ଅଧା ରାସ୍ତା ଖୋଳା ହୋଇ ପଡ଼ିଛି। ତେଣୁ ଏହି ଲଗାଣ ବର୍ଷାରେ ରାସ୍ତାର ବହୁ ସ୍ଥାନ ଦବି ଯାଇ ଚାଲିଚାଲି ଯିବା ମଧ୍ୟ କଷ୍ଟକର ହେଉଛି ବୋଲି ସ୍ଥ‌ାନୀୟ ଲୋକେ କହିଛନ୍ତି। ରାତିରେ ଏହି ବିପଦସଂକୁଳ ରାସ୍ତା ପୂରା ବନ୍ଦ ହୋଇ ଯାଉଛି। ଫଳରେ ଗ୍ରାମବାସୀମାନେ ବୁଲି ବୁଲି ଅନ୍ୟ ରାସ୍ତାରେ ଗାଁକୁ ଯା’ଆସ କରୁଛନ୍ତି।

ସମ୍ବନ୍ଧିତ ଖବର