ପ୍ରସ୍ତୁତ ହେଉଛି ସ୍ମାର୍ଟ ଜନପଥ: ବେଆଇନ ପାର୍କିଂ ଉପରେ ଜୋର୍‌ଦାର ଚଢ଼ଉ

ଭୁବନେଶ୍ୱର: ପ୍ରସ୍ତୁତ ହେଉଛି ସ୍ମାର୍ଟ ଜନପଥ। ବେଆଇନ ପାର୍କିଂ ଓ ଉଠାଦୋକାନୀଙ୍କ ଉପରେ ଜୋରଦାର ଚଢ଼ଉ ଆରମ୍ଭ ହୋଇଛି। ବିଏମ୍‌ସି ଓ ବିଏସ୍‌ସିଏଲ୍‌ର ସ୍ବତନ୍ତ୍ର ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ଲଗାତାର ଚଢ଼ଉ ଜାରି ରଖିଛି। ଗତ ୭ ଦିନ ଭିତରେ ୨୫ ହଜାରରୁ ଉର୍ଦ୍ଧ୍ବ ଜରିମାନା ଆଦାୟ ହୋଇଥିବା ବେଳେ ପ୍ରାୟ ଦେଢଶହ ଦୋକାନୀଙ୍କୁ ହଟାଯାଇଛି। ତେବେ କେବଳ ଉଠାଦୋକାନୀ ନୁହନ୍ତି ବରଂ ଅନେକ ବଡ଼ ବଡ଼ ତଥା ପ୍ରତିଷ୍ଠିତ ବ୍ୟବସାୟୀ ଜନପଥ ଜବରଦଖଲ କରୁଥିବା ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ଚିହ୍ନଟ କରିଛି। ବ୍ୟବସାୟୀମାନେ ସୋ ରୁମ୍‌ ବାହାରେ ଜିନିଷ ଗଦାଇବା ସହ ଗ୍ରାହକମାନଙ୍କ ଗାଡ଼ି ଜନପଥରେ ପାର୍କିଂ କରିବାକୁ ପ୍ରୋତ୍ସାହିତ କରୁଛନ୍ତି। ଏହାକୁ ବିଏସ୍‌ସିଏଲ୍‌(ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌) ଗୁରୁତ୍ବର ସହ ନେଇଛି। ଏହି ବ୍ୟବସାୟୀଙ୍କ ଉପରେ ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ସୋ ରୁମ୍‌ ସାମ୍ନାରେ ପାର୍କିଂ କରିବାକୁ ହେଲେ ସମ୍ପୃକ୍ତ ବ୍ୟବସାୟୀମାନଙ୍କ ଉପରେ ପାର୍କିଂ ଭଡ଼ା କଷିବା ପାଇଁ ବିଏସ୍‌ସିଏଲ୍‌ ଯୋଜନା କରିଛି।

ବିଏସ୍‌ସିଏଲ୍‌ର ବିଭିନ୍ନ ପ୍ରକଳ୍ପର ଭିତ୍ତିଭୂମି ଉନ୍ନୟନ କାର୍ଯ୍ୟ ଜୋର୍‌ସୋର୍‌ରେ ଚାଲିଛି। କିନ୍ତୁ ଜବରଦଖଲ ଓ ବେଆଇନ ପାର୍କିଂ ଏବେ ଏହି ଜନପଥ ପ୍ରକଳ୍ପ ପାଇଁ ବାଧକ ସାଜିଛି। ସେଥିପାଇଁ ଉଚ୍ଛେଦ କାର୍ଯ୍ୟକୁ ନିୟମିତ କରିବା ପାଇଁ ସ୍ବତନ୍ତ୍ର ଟିମ୍‌ ନି‌ୟୋଜିତ କରାଯାଇଛି। ଏଠାରେ ଯେଭଳି ବେଆଇନ ପାର୍କିଂ ନ ହୁଏ ସେଥିପାଇଁ ଦୁଇଟି ମଲ୍ଟିଲେବୁଲ କାର୍‌ ପାର୍କିଂ ପ୍ରସ୍ତୁତ ହେଉଛି। ବେଆଇନ ଭାବେ ପାର୍କିଂ ହେଲେ ଜାଣିବା ପାଇଁ ଜନପଥରେ ସେନ୍ସର ଲଗାଯାଇଛି। ଉଠା ଦୋକାନୀମାନେ ଯେଭଳି ରାସ୍ତାକଡ଼ରେ ନ ବସିବେ ସେଥିପାଇଁ ସେମାନଙ୍କୁ ସ୍ବତନ୍ତ୍ର କିଓସ୍କ ଜରିଆରେ ଥଇଥାନ କରାଯାଉଛି। ଏଠାରେ ପାଖାପାଖି ୫ଶହ ସ୍ବତନ୍ତ୍ର କିଓସ୍କ ସ୍ଥାପନ ହେବା ଯୋଜନା ରହିଛି।

ସମ୍ବନ୍ଧିତ ଖବର