ଭୁବନେଶ୍ୱର: ସ୍ମାର୍ଟ ଜନପଥର ସ୍ମାର୍ଟ କିଓସ୍କ ପୁଣି ଥରେ ବିବାଦକୁ ଆସିଛି। ପୂର୍ବରୁ ଏଠାରେ ବ୍ୟବସାୟ କରୁଥିବା ଦାବିଦାରଙ୍କୁ ସ୍ମାର୍ଟ କିଓସ୍କ ନ ଦେଇ ଏବେ ବିଏମ୍ସି ବିବାଦକୁ ଆମନ୍ତ୍ରଣ କରୁଛି। ଜନପଥରେ ଖାଲି ପଡ଼ିଥିବା ପାଖାପାଖି ୧୦୦ କିଓସ୍କକୁ ବାଣ୍ଟି ଦେବାକୁ ଯୋଜନା ହୋଇଛି। ତାହା ପୁଣି ଏଠାରେ ପାଇବାକୁ ଯୋଗ୍ୟଥିବା ବ୍ୟବସାୟୀଙ୍କୁ ନୁହେଁ। ଅସଲରେ ଷ୍ଟୁଆର୍ଟ ସ୍କୁଲ୍ରୁ ସିଆରପି ଛକ ପର୍ଯ୍ୟନ୍ତ ବସିଥିବା ବ୍ୟବସାୟୀଙ୍କୁ ଏଠାରେ ଆଣି ଥଇଥାନ କରିବାକୁ ନୀଳନକ୍ସା ପ୍ରସ୍ତୁତ ହୋଇଛି। କେବଳ ଯୋଜନା ପ୍ରସ୍ତୁତ ହୋଇନାହିଁ, ହିତାଧିକାରୀଙ୍କ ତାଲିକା ବି ପ୍ରସ୍ତୁତ ହୋଇ ସାରିଲାଣି। କିନ୍ତୁ ଏଠାରେ ଦୋକାନ ପାଇବାକୁ ଯୋଗ୍ୟ ହିତାଧିକାରୀଙ୍କ ମଧ୍ୟରୁ ୧୦୦ ଜଣ ହାଇକୋର୍ଟର ଦ୍ବାରସ୍ଥ ହୋଇଛନ୍ତି। ମାମଲା ବିଚାରାଧୀନ ଥିବା ବେଳେ ବିଏମ୍ସି ସିଆରପି ଛକରୁ ବ୍ୟବସାୟୀଙ୍କୁ ଡାକି ଦୋକାନ ବାଣ୍ଟି ଦେବାକୁ ବସିଛି। ଫଳରେ ବିବାଦ ବଢ଼ିଛି। ୨୦୧୪ ମସିହାରେ ହୋଇଥିବା ସର୍ଭେ ସମୟରେ ବିଏମ୍ସି ଅଧିକାରୀଙ୍କର ଆକ୍ରୋଶର ଶିକାର ହୋଇ ବାଦ୍ ପଡ଼ିଥିବା ବ୍ୟବସାୟୀମାନେ ପୁଣି ଥରେ କୋର୍ଟ ଯିବାପାଇଁ ଯୋଜନା କରିଛନ୍ତି।
ସେପଟେ ସେମାନଙ୍କୁ କିଓସ୍କ ଦିଆଯିବ ନାହିଁବୋଲି ବିଏମ୍ସି ମଧ୍ୟ ଜିଦ୍ ଧରିଛି। ସ୍ମାର୍ଟସିଟି ପ୍ରକଳ୍ପ ଅଧୀନରେ ସ୍ମାର୍ଟ ଜନପଥରେ ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ୍ (ବିଏସ୍ସିଏଲ୍) ୨୩୧ଟି କିଓସ୍କ ନିର୍ମାଣ କରିଥିଲା। ୨୦୨୦ ଏପ୍ରିଲ ୨୯ ତାରିଖ ଠାରୁ ଏହାର ଆବଣ୍ଟନ ଆରମ୍ଭ ହୋଇଥିଲା। ୨୦୧୪ ମସିହାରେ ବିଏମ୍ସି ଏହି ଜନପଥରେ ସର୍ଭେ କରିଥିଲା। ଏହି ସମୟରେ ହୋଇଥିବା ସର୍ଭେରେ ଯେଉଁ ତାଲିକା ହୋଇଥିଲା ସେମାନଙ୍କୁ ଏଠାରେ କିଓସ୍କ ଦେଇଥିଲା ବିଏମ୍ସି। ପ୍ରଥମ ପର୍ଯ୍ୟାୟରେ ୯୦, ଦ୍ୱିତୀୟ ପର୍ଯ୍ୟାୟରେ ୩ ଓ ପରେ ୨୫, ୨୨, ୩୬ ଓ ୩୮ଏଭଳି ୨୧୪ ଗୋଟି କିଓସ୍କ ବଣ୍ଟା ଯାଇଥିଲା। ଯେଉଁ ଜାଗାରେ ବ୍ୟବସାୟୀମାନେ ବ୍ୟବସାୟ କରୁଥିଲେ ସେହି ଜାଗା ଛାଡ଼ି ସେମାନଙ୍କୁ ୩ରୁ ୪ କିଲୋମିଟର ଦୂରରେ ଦିଆଯାଇଥିବାରୁ କେତେକ କିଓସ୍କ ନେଇଥିଲେ ମଧ୍ୟ ଖୋଲୁନଥିଲେ। ପୁଣି ସବୁ କିଓସ୍କର ଆକାର ସମାନ କରିବାକୁ ଯୋଜନା ହୋଇଥିଲେ ମଧ୍ୟ କିଛି କିଓସ୍କ ୬ଫୁଟ ଲମ୍ବା ୪ଫୁଟ ଓସାର ଥିବା ବେଳେ କିଛି ୬ଫୁଟରେ ୩ଫୁଟ ରହିଥିଲା। କିନ୍ତୁ ବ୍ୟବସାୟୀଙ୍କଠାରୁ ସମାନ ଭଡ଼ା ନିଆଯାଉଥିଲା। ଦୋକାନ ଭଡ଼ା ବାବଦକୁ ବର୍ଷକ ପାଇଁ ୧୨ହଜାର ଟଙ୍କା ଜମା କରିବାକୁ ପଡ଼ୁଥିଲା। ଟ୍ରେଡ୍ ଲାଇସେନ୍ସ ବାବଦକୁ ୪ ବର୍ଷ ପାଇଁ ୪ ହଜାର ଟଙ୍କା ଅଗ୍ରୀମ ଦେବାକୁ ପଡ଼ୁଥିଲା।
୨୦୧୪ରେ ହୋଇଥିବା ସର୍ଭେରେ ପ୍ରୀୟାପ୍ରୀତି ତୋଷଣ ଅଭିଯୋଗ ହୋଇଥିଲା। ବର୍ଷ ବର୍ଷ ଧରି ଜନପଥରେ ଦୋକାନ କରି ପେଟ ପୋଷୁଥିବା ବ୍ୟବସାୟୀଙ୍କୁ ତାଲିକାରୁ ବାଦ୍ ଦେଇ ନୂଆଲୋକଙ୍କୁ ଯୋଗ କରାଯାଇଥିଲା। ଏଥିପାଇଁ ମୋଟାଅଙ୍କର ହାତଗୁଞ୍ଜା କାରବାର ଅଭିଯୋଗ ହୋଇଥିଲା। ସତ୍ୟନଗରର ମା’ ମଙ୍ଗଳା ଭେଣ୍ଡିଂ ଜୋନ୍ରେ ଥିବା ୪୩ ଜଣ ବ୍ୟବସାୟୀଙ୍କୁ ଜନପଥରେ ଦୋକାନ ଦେବାକୁ ଅଧିକାରୀମାନେ ଲୋଭ ଦେଖାଇଥିଲେ। ସେତେବେଳେ ମନ୍ଦିରରେ ଭୋଜି ହେବାସହ ବ୍ୟବସାୟୀଙ୍କଠାରୁ ୧୦ ହଜାର ଟଙ୍କା ଲେଖାଏଁ ଆଦାୟ କରାଯାଇଥିବା ବଡ଼ ଅଭିଯୋଗ ସାମ୍ନାକୁ ଆସିଥିଲା। ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିଲା। ଏହା ଛଡ଼ା କିଛି ବ୍ୟବସାୟୀଙ୍କୁ ପଚରାଉଚରା ନ କରି ନାଁ କାଟି ଦେଇଥିବା ଅଭିଯୋଗ ହୋଇଥିଲା। ଏଭଳି ବାଦ୍ ପଡ଼ିଥିବା ୧୦୦ ଜଣ ବ୍ୟବସାୟୀ କୋର୍ଟର ଦ୍ବାରସ୍ଥ ହୋଇଛନ୍ତି। ମାମଲା କୋର୍ଟରେ ବିଚାରାଧୀନ ରହିଥିବାବେଳେ ସିଆର୍ପି ଛକରୁ ବ୍ୟବସାୟୀଙ୍କୁ ଆଣି ଏଠାରେ ଥଇଥାନ ଯୋଜନା କରି ବିଏମ୍ସି କଳି ମଞ୍ଜି ପୋତିଛି ବୋଲି ବ୍ୟବସାୟୀ ସଂଘମାନେ ମତ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/12/bmc.jpg)