ବିଏମ୍‌ସିକୁ ଜନପଥ କଣ୍ଟା; ସ୍ମାର୍ଟ ଜନପଥ କାମ ରାଜସ୍ୱରେ ବାଧକ ସାଜୁଛି

ରାସ୍ତା କାମ ସରୁନଥିବାରୁ ପାର୍କିଂସ୍ଥଳୀ ନିଲାମ ହେଉନି

୫୫ ପାର୍କିଂସ୍ଥଳୀରୁ ୭ ଗଲା
୫କୋଟିରୁ ପାଇଲେ ୯୦ଲକ୍ଷ
ହୋର୍ଡିଂରୁ ହରାଉଛି ୫କୋଟି

ଭୁବନେଶ୍ୱର : ଜନପଥକୁ ସ୍ମାର୍ଟ ଜନପଥରେ ପରିଣତ କରୁଛି ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ (ବିଏସ୍‌ସିଏଲ୍‌)। କିନ୍ତୁ ୩ବର୍ଷ ହେଲା କାମ ସରୁନି। ଫଳରେ ବିଏମ୍‌ସି ବର୍ଷକୁ ଏଠାରୁ ପ୍ରାୟ ଦେଢ କୋଟି ଟଙ୍କା ରାଜସ୍ବ ହରାଉଛି। ଗତ ୩ ବର୍ଷରେ ଖଣ୍ଡିଆ ଜନପଥ ପାଇଁ କେବଳ ପାର୍କିଂ ବାବଦକୁ ପ୍ରାୟ ସାଢ଼େ ଚାରି କୋଟି ଟଙ୍କା ବିଏମ୍‌ସି ପାଇ ପାରୁ ନାହିଁ। ହେଲେ ବିଏସ୍‌ସିଏଲ୍‌ ଓ ବିଏମ୍‌ସିର ମୁଖିଆ ଜଣେ ହୋଇଥିବାରୁ ଏନେଇ ବିଏମ୍‌ସି ଅଧିକାରୀ ବି ପାଟି ଫିଟାଉନାହାନ୍ତି।

ଶିଶୁ ଭବନ ଛକରୁ ବାଣୀବିହାର ପର୍ଯ୍ୟନ୍ତ ଜନପଥକୁ ବିଏମ୍‌ସି ୫ଟି ପାର୍କିଂ ପ୍ୟାକେଜ୍‌ରେ ବିଭକ୍ତ କରିଛି। ଏଥିପାଇଁ ସର୍ବନିମ୍ନ ମୂଲ୍ୟ ୧କୋଟି ୩୯ଲକ୍ଷ ଟଙ୍କା ରଖିଛି। ଏଥିରେ ଶିଶୁ ଭବନରୁ ରାଜମହଲ ଛକ ପର୍ଯ୍ୟନ୍ତ ଅଞ୍ଚଳ ପାଇଁ ୩୧ଲକ୍ଷ ୩୩ହଜାର, ପ୍ୟାକେଜ୍‌-୨ରେ ଶ୍ରୀ ଲେଦରରୁ ଅଶୋକା ମାର୍କେଟ୍ ପାଇଁ ୨୬ଲକ୍ଷ ୭୬ହଜାର ଟଙ୍କା, ପ୍ୟାକେଜ୍‌-୩ରେ ମାଷ୍ଟର କ୍ୟାଣ୍ଟିନ ଛକରୁ ଶ୍ରୀୟା ଛକ ପର୍ଯ୍ୟନ୍ତ ଅଞ୍ଚଳ ପାଇଁ ୧୭ଲକ୍ଷ ୫୩ହଜାର, ପ୍ୟାକେଜ୍‌-୪ରେ ଶ୍ରୀୟା ଛକରୁ ହୋଟେଲ ନିୟୁ ମାରିଅନ୍‌ ପର୍ଯ୍ୟନ୍ତ ଅଞ୍ଚଳ ପାଇଁ ୨୨ଲକ୍ଷ ୪ହଜାର, ପ୍ୟାକେଜ୍‌-୫ରେ ସହିଦନଗର ଅଞ୍ଚଳ ପାଇଁ ୪୧ଲକ୍ଷ ୪୫ହଜାର ଟଙ୍କା ଅପସେଟ୍‌ ମୂଲ୍ୟ ରଖିଛି। ହେଲେ ଏବେ ସୁଦ୍ଧା ସ୍ମାର୍ଟ ଜନପଥ କାମ ସରିନି। ପୂରା ଜନପଥ ଅସଜଡ଼ା ହୋଇ ପଡ଼ିଛି। ଶିଶୁ ଭବନ ଛକରୁ ରାଜମହଲ ପର୍ଯ୍ୟନ୍ତ କାମ ଶେଷ ହୋଇଥିଲେ ବି ଏଠାରେ ଅପସେଟ୍‌ ମୂଲ୍ୟ ଅଧିକ ରହୁଥିବା କେହି ଟେଣ୍ଡର ପକାଉନାହାନ୍ତି। ବାକି ଅଞ୍ଚଳରେ ଖୋଳାତଡ଼ା ଚାଲିଥିବାବେଳେ ରାସ୍ତା କାମ ସରିନି। ଫଳରେ ଏଠାରେ ପାର୍କିଂ ନିଲାମ ନେଲେ ବି ନିଲାମ ମୂଲ୍ୟ ନଉଠିବା ଆଶଙ୍କାରେ କେହି ଭାଗ ନେଉନାହାନ୍ତି।

କେବଳ ଏହି ୫ଟି ପ୍ୟାକେଜ୍‌ ନୁହେଁ ବାକି ଦୁଇଟି ପ୍ୟାକେଜ୍‌ ଯଥା ପ୍ୟାକେଜ୍‌-୬ରେ ଭୌମନଗର ଅଞ୍ଚଳ ପାଇଁ ୧୩ଲକ୍ଷ ୩୯ହଜାର ଟଙ୍କା ଏବଂ ପ୍ୟାକେଜ୍‌-୭ରେ ୟୁନିଟ-୪ ଅଞ୍ଚଳ ପାଇଁ ୧୭ଲକ୍ଷ ୪୨ହଜାର ଟଙ୍କା ଅପସେଟ୍‌ ମୂଲ୍ୟ ରଖାଯାଇଛି। ତାହା ବି କେହି ନିଲାମ ନେଉନାହାନ୍ତି। ବିଏମ୍‌ସି ପକ୍ଷରୁ ଇତିମଧ୍ୟରେ ଦୁଇ ଥର ଅପସେଟ୍‌ ମୂଲ୍ୟ ସଂଶୋଧନ ହେଲାଣି। ତଥାପି କେହି ଟେଣ୍ଡର ପକାଉନାହାନ୍ତି। ଫଳରେ ବିଏମ୍‌ସି ଏଥିରେ ସର୍ବନିମ୍ନ ୫ କୋଟି ପାର୍କିଂ ଫି’ ବାବଦକୁ ହରାଉଛି।

ଏନେଇ ବିଏମ୍‌ସିର ରାଜସ୍ବ ଦାୟିତ୍ବରେ ଥିବା ଡେପୁଟି କମିସନର ଶ୍ରୀମନ୍ତ ମିଶ୍ର କହିଛନ୍ତି ଯେ, ଆମର ୯ଟି ପ୍ୟାକେଜ୍‌ ଏବଂ ବିଭିନ୍ନ ଅଞ୍ଚଳକୁ ନେଇ ମୋଟ୍‌ ୫୮ଟି ପାର୍କିଂ ସ୍ଥଳର ନିଲାମ ଡକାଯାଇଥିଲା। ଏଥିରେ ୨ଟି ପ୍ୟାକେଜ୍‌ ଯଥା ୟୁନିଟ-୧ ହାଟର ବାହାର ଓ ଭିତର ଅଞ୍ଚଳକୁ ନେଇ ଥିବା ଗୋଟିଏ ପ୍ୟାକେଜ୍‌ ଏବଂ କଳାମନ୍ଦିର ପଛପାର୍ଶ୍ବ, କାମୟାବ ଟିଭି ନିକଟବର୍ତ୍ତୀ ଅଞ୍ଚଳ ଏବଂ ବିଏମ୍‌ସି-କେଶରୀ ମଲ୍‌ ନିକଟବର୍ତ୍ତୀ ଅଞ୍ଚଳର ଟେଣ୍ଡର ଯାଇଛି। ଏହାବାଦ୍‌ ଉତ୍ତର ଜୋନ୍‌ର ପାଲ୍‌ ହାଇଟ୍‌ସ ଏବଂ ଡିଡି ମୋଟର୍ସ ସମ୍ମୁଖ ଅଞ୍ଚଳ ପାର୍କିଂ ନିଲାମ ହୋଇଛି। ଏହାବାବଦକୁ ବିଏମ୍‌ସି ପ୍ରାୟ ୯୦ଲକ୍ଷ ଟଙ୍କା ପାଇବ। ବାକି ୭ଟି ପ୍ୟାକେଜ୍‌ରେ ଥିବା ୨୮ଟି ପାର୍କିଂ ଅଞ୍ଚଳ ଏବଂ ୨୦ଟି ଗୋଟିକିଆ ପାର୍କିଂ ଅଞ୍ଚଳ ପାଇଁ କେହି ନିଲାମ ଧରୁନଥିବାରୁ ପୁଣି ନିଲାମ ଡକାଯାଇଛି। ଚଳିତ ମାସ ଶେଷ ସୁଦ୍ଧା ଏହାର ନିଲାମ ପ୍ରକିୟା ଶେଷ ହେବ। ଚଳିତ ଆର୍ଥିକ ବର୍ଷରେ ଆମେ ପାର୍କିଂ ଅଞ୍ଚଳ ନିଲାମରୁ ପ୍ରାୟ ୨ରୁ ୩କୋଟି ପାଇଯିବୁ।

କେବଳ ପାର୍କିଂ କ୍ଷେତ୍ରରେ ନୁହେଁ। ଅଧପନ୍ତରିଆ ଜନପଥ ପାଇଁ ହୋର୍ଡିଂ ବାବଦକୁ ରାଜସ୍ବ ବି ବିଏମ୍‌ସି ପାଇ ପାରୁ ନାହିଁ। ଏବେ କାମ ଚାଲୁଥିବାରୁ ଏଠାରେ ହୋର୍ଡିଂ ‌କଟକଣା ବି ଲାଗିଛି। ମେଡିଆନ୍‌ ଖୋଳାତଡ଼ା ହେଉଥିବାରୁ ଏବଂ ଏଠାରେ ନୂଆ ଡିଜାଇନର ହୋର୍ଡିଂ ଲଗାଇବାକୁ ନିଷ୍ପତ୍ତି ହୋଇଥିବାରୁ ତାହା ବି ଯାଉନି। ଫଳରେ ବିଏମ୍‌ସି ହୋର୍ଡିଂ ବିଜ୍ଞାପନ ବାବଦକୁ ଜନପଥରେ କେବଳ ୫ କୋଟିରୁ ଅଧିକ ଟଙ୍କା ହରାଉଛି।

ଅର୍ଥ ଲୋଭରେ ବିଏମ୍‌ସିର କାରସାଦି
ନିୟମ ଅନୁଯାୟୀ, ବିଏମ୍‌ସି କୌଣସି ଅଞ୍ଚଳରେ ରାସ୍ତା ଉପରେ ଗାଡ଼ି ପାର୍କିଂ ବାବଦକୁ ଫି’ ଆଦାୟ କରିପାରିବନି। ଅନଷ୍ଟ୍ରିଟ୍‌ ପାର୍କିଂ ବେଆଇନ୍। ହେଲେ ବିଏମ୍‌ସି ଏବେ ନିଲାମ ଡାକୁଥିବା ୪୮ଟି ପାର୍କିଂ ସ୍ଥଳରୁ ୧୦ଟି ଜାଗାରେ ଅନଷ୍ଟ୍ରିଟ୍‌ ପାର୍କିଂ ପାଇଁ ନିଲାମ ଡାକିଛି। ଯଦି କେହି ରାସ୍ତା ଉପରେ ଗାଡ଼ି ପାର୍କିଂ କରୁଛନ୍ତି ତେବେ କମିସନରେଟ୍‌ ପୁଲିସ ଗାଡ଼ି ଉଠାଇ ନେଉଛି। କିନ୍ତୁ ବିଏମ୍‌ସି ଅର୍ଥ ପାଇବା ଲୋଭରେ ଗାନ୍ଧୀ ପାର୍କ, ସ୍ବସ୍ତି ପ୍ରିମିୟମ୍‌ ହୋଟେଲ, ୟୁନିଟ-୨ରେ ଏଜିରୁ ରାଜମହଲ ଛକ, ଆଇଜି ପାର୍କ, କଳ୍ପନା ଛକସ୍ଥିତ ସିସ୍‌ମୋ ହୋଟେଲ ସମ୍ମୁଖ, ପ୍ରଦର୍ଶନୀ ପଡ଼ିଆ ସମ୍ମୁଖ, ୟୁନିଟ-୪ ହାଟ, କର କ୍ଲିନିକ୍‌ ସମ୍ମୁଖ, ସହିଦନଗର ପାଣ୍ଟାଲୁନ୍‌ ସମ୍ମୁଖ ଅଞ୍ଚଳରେ ଅନଷ୍ଟ୍ରିଟ୍‌ ପାର୍କିଂ କରି ବିଏମ୍‌ସି ଅର୍ଥ ଆଦାୟ କରିବାକୁ ଯୋଜନା କରିଛି। ଲୋକ ହୋଟେଲରେ ରହିବେ, ହସ୍ପିଟାଲକୁ ଆସିବେ ମଲ୍‌ରୁ ‌ଜିନିଷ କିଣିବେ କିନ୍ତୁ ସେମାନଙ୍କ ପାଖକୁ ଯିଏ ଆସିବ ସେମାନେ ବିଏମ୍‌ସିକୁ ଟଙ୍କା ଗଣିବେ। ବିଏମ୍‌ସି କାହିଁକି ଉକ୍ତ ସଂସ୍ଥା ଠାରୁ ଇନଷ୍ଟିଚ୍ୟୁସନାଲ୍‌ ପାର୍କିଂ ବାବଦକୁ ଫି’ ନେଇ ଲୋକଙ୍କୁ ମାଗଣା ପାର୍କିଂ ସେବା ଯୋଗାଇବନି ବୋଲି ପ୍ରଶ୍ନ ଉଠୁଛି।

ସମ୍ବନ୍ଧିତ ଖବର