ଭୁବନେଶ୍ୱର: ଟ୍ରେଡ୍‌ ଲାଇସେନ୍ସ, ଜନ୍ମ, ମୃତ୍ୟୁ ଓ ବିବାହ ପ୍ରମାଣପତ୍ର ପାଇଁ ଆବେଦନ ସହ ପାଣି, ଫୋନ୍‌ ଓ ବିଦ୍ୟୁତ୍‌ ବିଲ୍‌ ପଇଠ, ମୋ ବସ୍‌ ଟିକେଟ୍‌ କିଣିବା ଭଳି କାହିଁ କେତେପ୍ରକାରର ସେବା ହାତପାଆନ୍ତାରେ ଯୋଗାଇ ଦେବାକୁ ‘ସ୍ମାର୍ଟ କିଓସ୍କ’ ପରିକଳ୍ପନା କରାଯାଇଥିଲା। ସ୍ମାର୍ଟ ସିଟି ଲିମିଟେଡ୍‌ ପକ୍ଷରୁ ହୋଇଥିବା ଏହି ପରିକଳ୍ପନା କିନ୍ତୁ ଲୋକଙ୍କ କାମରେ ଆସୁନି। ଦୁର୍ବଳ ଭିତ୍ତିଭୂମି, ପରିଚାଳନାଗତ ତ୍ରୁଟି, ଜନ ସଚେତନତା ଅଭାବରୁ କୋଟି କୋଟି ଟଙ୍କାରେ ସହରର ବିଭିନ୍ନ ସ୍ଥାନରେ ରଖାଯାଇଥିବା ଏହି କିଓସ୍କଗୁଡ଼ିକ ଏବେ ଖତ ଖାଇବାକୁ ବସିଲାଣି। 

Advertisment

୨୦୨୦ ମସିହା ସୁଦ୍ଧା ୭୫ଟି କିଓସ୍କ (୫୦ ଇନ୍‌ଡୋର୍‌ ଓ ୨୫ ଆଉଟ୍‌ଡୋର୍‌)ରେ କାର୍ଯ୍ୟକ୍ଷମ କରିବାକୁ ଯୋଜନା କରାଯାଇଥିଲା। କିନ୍ତୁ ୨୦୨୧ ଶେଷ ଆଡ଼କୁ ୬୨ଟି କାର୍ଯ୍ୟକ୍ଷମ ହେଲା। ହେଲେ ଉଦ୍‌‌‌ବେଗର ବିଷୟ ଯେ ସେଥିମଧ୍ୟରୁ ଅଧିକାଂଶ କିଓସ୍କ ବର୍ତ୍ତମାନ କାମ କରୁନି। କେଉଁଥିରେ ସ୍କ୍ରିନ୍‌ ସମ୍ପୁର୍ଣ୍ଣ ଅନ୍ଧାର ହୋଇଯାଇଛି ତ କେଉଁଥିରେ ଲାଇଟ୍‌ ଜଳିଲେ ବି ସ୍କ୍ରିନ ଟଚ୍‌ କଲେ କିଛି ହେଉନାହିଁ। ପୁଣି ବ୍ୟବହାର ନ ହେବା ଫଳରେ ଏଥିରେ ଲୋକେ ପୋଷ୍ଟର୍‌ ଲଗାଇ ଦେଲେଣି। ଫଳରେ ରାଜଧାନୀ ବାସିନ୍ଦାଙ୍କୁ ସ୍ମାର୍ଟ ସେବା ଯୋଗାଇ ଦେବା ପ୍ରତିଶ୍ରୁତିରେ ସ୍ଥାପନ କରାଯାଇଥିବା ଏହି କିଓସ୍କ ସବୁ ଜନପଥକୁ ବିକୃତ କରୁଥିବା ଅଭିଯୋଗ ହେଉଛି। 

ସହରର ମାର୍କେଟ ବିଲଡିଂ, ରାମ ମନ୍ଦିର, ବାଣୀବିହାର ପାଖ, ଆଚାର୍ଯ୍ୟବିହାର, ଆଇଜି ପାର୍କ, ରାଜମହଲ ଛକ ଆଦି ସ୍ଥାନରେ ‘ସ୍ମାର୍ଟ କିଓସ୍କ’ ଅଚଳ ପଡ଼ିଛି। ତେବେ ଏନେଇ ସ୍ମାର୍ଟ ସିଟିର ମହାପ୍ରବନ୍ଧକ ପୁରନ୍ଦର ନନ୍ଦ କହିଛନ୍ତି, ଵାର୍ଡ କାର୍ଯ୍ୟାଳୟରେ ଏହା କାର୍ଯ୍ୟକ୍ଷମ ଅଛି। ବର୍ତ୍ତମାନ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଖରେ ମୋବାଇଲ୍‌ ଆପ୍‌ ଥିବାରୁ ଆଉ ଛକଗୁଡ଼ିକରେ ଥିବା କିଓସ୍କ ବ୍ୟବହାର କରୁନାହାନ୍ତି। ଖୁବ୍‌ଶୀଘ୍ର ଏହି କିଓସ୍କଗୁଡ଼ିକୁ କାର୍ଯ୍ୟକ୍ଷମ କରିବା ସହିତ ଏଥିରେ ଆହୁରି ସୁବିଧା ଯୋଡ଼ାଯିବ ବୋଲି ସେ କହିଛନ୍ତି।