ଭୁବନେଶ୍ବର: ଫୋନ୍ କଲ୍ଠାରୁ ଆରମ୍ଭ କରି ଅନ୍ଲାଇନ୍ରେ ଯାବତୀୟ ସେବା ଓ ସୁବିଧା ଯୋଗାଇଦେବା ପାଇଁ ଭୁବନେଶ୍ବର ସ୍ମାର୍ଟସିଟି ଲିମିଟେଡ୍ (ବିଏସ୍ସିଏଲ୍) ‘ସ୍ମାର୍ଟ କିଓସ୍କ’ ବ୍ୟବସ୍ଥା କରିଛି। କିନ୍ତୁ ଦୁର୍ବଳ ଭିତ୍ତିଭୂମି, ପରିଚାଳନାଗତ ତ୍ରୁଟି, ଜନସଚେତନତା ଅଭାବରୁ ବାକି ପ୍ରକଳ୍ପ ଭଳି ଏ ପ୍ରକଳ୍ପ ବି ଲୋକଙ୍କ କାମରେ ଆସୁନି। ଫଳରେ ୫କୋଟି ଟଙ୍କାରେ ସହରର ବିଭିନ୍ନ ସ୍ଥାନରେ ନିର୍ମିତ ହୋଇଥିବା ଏହି କିଓସ୍କଗୁଡ଼ିକ ଏବେ ଖତ ଖାଇବାକୁ ବସିଲାଣି।
ଟ୍ରେଡ୍ ଲାଇସେନ୍ସ ଆବେଦନ, ଅଭିଯୋଗ ପଞ୍ଜୀକରଣ, ଜନ୍ମ, ମୃତ୍ୟୁ ଓ ବିବାହ ପ୍ରମାଣପତ୍ର ପାଇଁ ଆବେଦନ ସହ ପାଣି, ଫୋନ୍ ଓ ବିଦ୍ୟୁତ୍ ବିଲ୍ ପଇଠ, କମନ୍ ପେମେଣ୍ଟ କାର୍ଡ ରିଚାର୍ଜ, ମୋ ବସ୍ ଟିକେଟ୍ କିଣିବା, ପ୍ରିଣ୍ଟ ଆଉଟ୍ କାଢ଼ିବା, ମୋବାଇଲ୍ ଚାର୍ଜ ଓ ରିଚାର୍ଜ କରିବା ଭଳି କାହିଁ କେତେପ୍ରକାରର ସେବା ରାଜଧାନୀବାସୀଙ୍କୁ ହାତପାଆନ୍ତାରେ ଯୋଗାଇ ଦେବାର ଉଦ୍ଦେଶ୍ୟ ନେଇ ‘ସ୍ମାର୍ଟ କିଓସ୍କ’ର ପରିକଳ୍ପନା କରାଯାଇଥିଲା। ଉନ୍ନତ ଓ ଅତ୍ୟାଧୁନିକ ଜ୍ଞାନକୌଶଳରେ ସେବା ଯୋଗାଇବା ପାଇଁ ପ୍ରାୟ ୫୦୦ କୋଟି ଟଙ୍କାର ‘ସ୍ମାର୍ଟ ସଲ୍ୟୁସନ୍ ପ୍ରକଳ୍ପ’ ଅଧୀନରେ ଏହା କାର୍ଯ୍ୟକ୍ଷମ ହୋଇଥିଲା।
ତଦନୁଯାୟୀ, ୨୦୨୦ ମସିହା ସୁଦ୍ଧା ୭୫ଟି କିଓସ୍କ (୫୦ଟି ଇନ୍ଡୋର୍ ଓ ୨୫ଟି ଆଉଟଡୋର୍)ରେ କାର୍ଯ୍ୟକ୍ଷମ କରିବାକୁ ଯୋଜନା କରାଯାଇଥିଲା। କିନ୍ତୁ ଏହାର ଦେଢ଼ ବର୍ଷ ପରେ ଅର୍ଥାତ୍ ୨୦୨୧ ଶେଷ ଆଡ଼କୁ ୬୨ଟି କାର୍ଯ୍ୟକ୍ଷମ ହେଲା। ତତ୍କାଳୀନ କମିସନର ତଥା ବିଏସ୍ସିଏଲ୍ ସିଇଓ ପ୍ରେମଚନ୍ଦ୍ର ଚୌଧରୀଙ୍କ ସମୟରେ ଏହି ସବୁ କିଓସ୍କ କିଣାଯାଇ ବିଭିନ୍ନ ସ୍ଥାନରେ ସ୍ଥାପନ କରାଯାଇଥିଲା। କିନ୍ତୁ ଉଦ୍ବେଗର ବିଷୟ ହେଲା ହାତଗଣତି କେତୋଟିକୁ ଛାଡ଼ି ଦେଲେ ଏହି ସବୁ କିଓସ୍କରେ ବାକି ସେବାଗୁଡ଼ିକ ମିଳି ପାରୁନାହିଁ।
ଏବେ କେବଳ ଏଥିରେ ଟ୍ରେଡ୍ ଲାଇସେନ୍ସ ଆବେଦନ, ଅଭିଯୋଗ ପଞ୍ଜୀକରଣ, ଜନ୍ମ, ମୃତ୍ୟୁ ଓ ବିବାହ ପ୍ରମାଣପତ୍ର ଆବେଦନ କରିହେଉଛି। କିନ୍ତୁ ଇଣ୍ଟରନେଟ୍ ସେବା ଏତେ ଦୁର୍ବଳ ଯେ ପ୍ରୋସେସିଂ ପାଇଁ ଲୋକଙ୍କୁ ଅଧଘଣ୍ଟାଏ ଲେଖାଏଁ ଗୋଡ଼ ଭାଙ୍ଗି କିଓସ୍କ ଆଗରେ ଠିଆ ହେବାକୁ ପଡ଼ୁଛି। ଫଳରେ ଥରେ ବ୍ୟବହାର କଲା ପରେ ସଂପୃକ୍ତ ଲୋକଟି ଆଉ କିଓସ୍କ ଯିବାକୁ ପସନ୍ଦ କରୁନାହିଁ। ଅପରପକ୍ଷେ, ଏହି କିଓସ୍କ ସବୁ ଭୁବନେଶ୍ବର କମାଣ୍ଡ ସେଣ୍ଟର (ବିସିସି) ସହ ସଂଯୁକ୍ତ ହୋଇଥିଲା। କେହି ଅସୁବିଧାରେ ପଡ଼ିଲେ, ଏଥିରେ ଥିବା ଏମର୍ଜେନ୍ସି କଲ୍ ବଟନ(ଇସିବି) କ୍ଲିକ୍ କଲେ ଏଥିରେ ଲାଗିଥିବା ଉଚ୍ଚଶକ୍ତି ସମ୍ପନ୍ନ କ୍ୟାମେରା ଆପେ କାର୍ଯ୍ୟକ୍ଷମ ହେବା ସହ ସେଠାକାର ସମସ୍ତ ଦୃଶ୍ୟ ବିସିସିକୁ ତତ୍କ୍ଷଣାତ୍ ସ୍ଥାନାନ୍ତର କମାଣ୍ଡ ସେଣ୍ଟରକୁ ପଠାଇଦେବ। ପୀଡ଼ିତାଙ୍କ ବାବଦରେ ବିସିସି ସୂଚନା ପାଇବା ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ।
ଏହାଦ୍ବାରା ରାସ୍ତାଘାଟରେ ହେଉଥିବା ବିଭିନ୍ନ ଅପରାଧ ରୋକାଯାଇ ପାରିବ। କିନ୍ତୁ ମେସିନ୍ ଥାଇ ସୁଦ୍ଧା ଏ ସେବା ଉପଲବ୍ଧ ହେଉ ନଥିବାରୁ ବୁଦ୍ଧିଜୀବୀ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ସେମାନଙ୍କ କହିବା କଥା, ରାଜଧାନୀରେ ଅପରାଧ ନିୟନ୍ତ୍ରଣ କମିସନରେଟ୍ ପୁଲିସ୍ ପାଇଁ ଏବେ ମୁଖ୍ୟ ଚ୍ୟାଲେଞ୍ଜ ହୋଇଛି। ପ୍ରତିଦିନ କୌଣସି ନା କୌଣସି ସ୍ଥାନରେ ଅପରାଧ ଘଟୁଛି। ଏହି ସେବା ଉଭୟ ପୁଲିସ ଓ ଜନସାଧାରଣଙ୍କୁ ବହୁମାତ୍ରାରେ ସାହାଯ୍ୟ କରିପାରନ୍ତା। କିନ୍ତୁ ମେସିନ୍ ଥାଇ ସେବା ଉପଲବ୍ଧ ନ ହେବା ଆଶ୍ଚର୍ଯ୍ୟର ବିଷୟ ବୋଲି ସେମାନେ କହିଛନ୍ତି। କେବଳ ସେତିକି ନୁହେଁ, ଭୁବନେଶ୍ବର ବାହାରୁ ଆସୁଥିବା ଲୋକ ଏହି କିଓସ୍କ ମାଧ୍ୟମରେ ‘ଭିଜିଟ୍ ଭୁବନେଶ୍ବର’ ୱେବସାଇଟ୍ ଖୋଲି ଭୁବନେଶ୍ବରରେ ରହିବା, ଖାଇବା, ବୁଲିବା ପ୍ରଭୃତି ସ୍ଥାନ ସମ୍ପର୍କରେ ଅବଗତ ହୋଇପାରନ୍ତେ। କିନ୍ତୁ ତାହା ବି ସ୍ବପ୍ନରେ ରହି ଯାଇଛି। ବଡ଼କଥା ହେଲା, ଏହି କିଓସ୍କଗୁଡ଼ିକର ବ୍ୟବହାର ସଂପର୍କରେ ଲୋକଙ୍କୁ ସଚେତନ କରାଯାଇ ନଥିବାରୁ ଅଧା ରାଜଧାନୀବାସୀ ଏହା କ’ଣ ବୋଲି ମଧ୍ୟ ଏଯାବତ୍ ଜାଣିନାହାନ୍ତି।
ଅପରପକ୍ଷେ ବ୍ୟବହାରରେ ଆସୁ ନଥିବାରୁ ଏହି କିଓସ୍କଗୁଡ଼ିକର ଅପବ୍ୟବହାର ବଢ଼ୁଛି। ନିକଟ ଅତୀତରେ କିଛି ଅସାମାଜିକ ପିଲା ଏଥିରେ ପର୍ଣ୍ଣ-ୱେବ୍ସାଇଟ୍ ଖୋଲୁଥିଲେ। ଏ ନେଇ ଅଭିଯୋଗ ଆସିବା ପରେ ବିଏସ୍ସିଏଲ୍ ବିଭିନ୍ନ ୱେବ୍ସାଇଟ୍କୁ ବ୍ଲକ୍ କରିଛି।
ଉଲ୍ଲେଖଯୋଗ୍ୟ, ଆଉଟ୍ଡୋର୍ରେ ଲାଗିଥିବା ୨୫ଟି କିଓସ୍କ ମଧ୍ୟରୁ ଏବେ ୧୮ଟି କାମ କରୁଛି। ସେଗୁଡ଼ିକ ଇନ୍ଫୋସିଟି, କିଟ୍ ଛକ ବିଗ୍ବଜାର ପାଖ, କଳିଙ୍ଗ ଷ୍ଟାଡିୟମ ୮ ନମ୍ବର ଗେଟ୍, କ୍ୟାପିଟାଲ ହସ୍ପିଟାଲ, ଶିଶୁଭବନ ଛକ, ଏମ୍ସ ଛକ, ଆର୍ବିଆଇ, ବିଏମ୍ସି ଅଫିସ୍, ଆଚର୍ଯ୍ୟବିହାର, ମଧୁସୂଦନ ପାର୍କ, ଆଇଜି ପାର୍କ, ତନିସ୍କ ସାମ୍ନା ଗ୍ରିନ୍ ମାର୍କେଟ୍, ବୁଦ୍ଧ ପାର୍କ, ଆଇଡି ମାର୍କେଟ୍, ପୋଖରିପୁଟ୍ ରିଲାଏନ୍ସ ଫ୍ରେସ୍, ରାମମନ୍ଦିର ପାଖ, ବାଣୀବିହାର ପାଖ, ରୁଚିକା ମାର୍କେଟ୍ରେ ରହିଛି। ତେବେ ଅନ୍ୟଗୁଡ଼ିକ ଖୁବ୍ଶୀଘ୍ର କାର୍ଯ୍ୟକ୍ଷମ ହେବା ସହ ସମସ୍ତ ସେବା ଉପଲବ୍ଧ ହେବ ବୋଲି ବିଏସ୍ସିଏଲ୍ ପକ୍ଷରୁ କୁହାଯାଇଛି।