ଭୁବନେଶ୍ବର: ସ୍ମାର୍ଟ ସହରର ମାନ୍ୟତା ପରେ ରାଜଧାନୀ ଭୁବନେଶ୍ବରକୁ ସ୍ମାର୍ଟ ରୂପ ଦେବାକୁ ସରକାର ପାଣି ଭଳି କୋଟି କୋଟି ଟଙ୍କା ଖର୍ଚ୍ଚ କଲେ। ସହରର ନବକଳେବର ସ୍ବରୂପ ରାସ୍ତାଘାଟଠାରୁ ଆରମ୍ଭ କରି ଅନ୍ୟାନ୍ୟ ବିକାଶକୁ ଅଗ୍ରାଧିକାର ଦିଆଗଲା। ରାଜଧାନୀକୁ ଅତ୍ୟାଧୁନିକ ଜ୍ଞାନସଂପନ୍ନ ଯନ୍ତ୍ରାଂଶରେ ଭରି ଦିଆଗଲା। ମାନବ ସମ୍ବଳ ବଦଳରେ ଯନ୍ତ୍ରଚାଳିତ ତଥା ଡିଜିଟାଲ୍ ବ୍ୟବସ୍ଥାକୁ ଗୁରୁତ୍ବ ଦିଆଗଲା। କିନ୍ତୁ ପ୍ରକଳ୍ପ ଶେଷ ପରେ ଏହାକୁ ଆଡ଼ଆଖିରେ କେହି ଅନାଉନାହାନ୍ତି। ଫଳସ୍ବରୂପ ଏହି ଯନ୍ତ୍ରଚାଳିତ ଡିଜିଟାଲ୍ ବ୍ୟବସ୍ଥା ଖତ ଖାଇବାରେ ଲାଗିଛି। ଜନସାଧାରଣଙ୍କୁ ସହଜରେ ସରକାରୀ ସେବା ଯୋଗାଇଦେବା ଉଦ୍ଦେଶ୍ୟରେ ରାଜଧାନୀରେ ବସିଥିବା ଡିଜିଟାଲ୍ ସ୍ମାର୍ଟ କିଓସ୍କର ଅଧିକାଂଶ ଅଚଳ ଅବସ୍ଥାରେ ପଡ଼ିଛି। ରାମମନ୍ଦିର ନିକଟରେ ଲାଗିଥିବା ସ୍ମାର୍ଟ କିଓସ୍କ ଦେଖିଲେ ଯେ କେହି ଏହାର ସ୍ଥିତି ଜାଣିପାରିବ। ଗତ ବିଧାନସଭାରେ ବି ଏହି ପ୍ରସଙ୍ଗ ଉଠିଛି। ଭୁବନେଶ୍ବର-ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ବିଧାନସଭାରେ ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କୁ ଏହି ପ୍ରଶ୍ନ କରିଥିଲେ। କେତେ ସ୍ମାର୍ଟ କିଓସ୍କ ସଚଳ ଓ କେତେ ଅଚଳ ଅବସ୍ଥାରେ ରହିଛି, ତାହାର ଜବାବ ମାଗିଥିଲେ। ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର ବି ବହୁ ଜାଗାରେ ସ୍ମାର୍ଟ କିଓସ୍କ ଅଚଳ ଅବସ୍ଥାରେ ପଡ଼ିଥିବା ସ୍ବୀକାର କରିଛନ୍ତି।
୨୦୧୬ ମସିହାରେ ଭୁବନେଶ୍ବର ସ୍ମାର୍ଟସିଟିର ମାନ୍ୟତା ପାଇଥିଲା। ଏହା ପରେ ପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅନୁଦାନରେ ଭୁବନେଶ୍ବରକୁ ସ୍ମାର୍ଟରୂପ ଦେବାକୁ ପ୍ରଚେଷ୍ଟା ଆରମ୍ଭ ହୋଇଯାଇଥିଲା। ଏହାର ଏକ ପ୍ରମୁଖ ଅଂଶବିଶେଷ ଥିଲା ସ୍ମାର୍ଟ କିଓସ୍କ। ଭୁବନେଶ୍ବର ମହାନଗର ନିଗମ ସହଯୋଗରେ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍ ପକ୍ଷରୁ ୨୦୧୯ ମସିହାରେ ରାଜଧାନୀ ଭୁବନେଶ୍ବରର ପ୍ରମୁଖ ଛକ ଓ ୱାର୍ଡ କାର୍ଯ୍ୟାଳୟମାନଙ୍କରେ ସ୍ମାର୍ଟ କିଓସ୍କ ସ୍ଥାପନ କରାଗଲା। ସେ ସମୟରେ ଏ ବାବଦରେ କୋଟି କୋଟି ଟଙ୍କା ବ୍ୟୟ କରି ୭୫ଟି ସ୍କାର୍ଟ କିଓସ୍କ ସ୍ଥାପନ କରାଯାଇଥିଲା। ଯେଉଁଗୁଡ଼ିକ ୱାର୍ଡ କାର୍ଯ୍ୟାଳୟ ପରିସରରେ ସ୍ଥାପନ ହେଲା, ତାକୁ ଇନ୍ଡୋର୍ସ୍ମାର୍ଟ କିଓସ୍କ ଓ ଯେଉଁଗୁଡ଼ିକ ପ୍ରମୁଖ ଛକମାନଙ୍କରେ ସ୍ଥାପନ ହେଲା, ତାକୁ ଆଉଟ୍ଡୋର ସ୍ମାର୍ଟ କିଓସ୍କ କୁହାଗଲା। ନଗର ଉନ୍ନୟନ ବିଭାଗ ତଥ୍ୟ ଅନୁସାରେ ୭୫ଟି ସ୍ମାର୍ଟ କିଓସ୍କରୁ ୫୦ଟି ବିଭିନ୍ନ ୱାର୍ଡ କାର୍ଯ୍ୟାଳୟରେ ସ୍ଥାପିତ ହୋଇଥିଲା। ବାକି ୨୫ଟି ସହରର ପ୍ରମୁଖ ଛକରେ ସ୍ଥାପନ କରାଯାଇଥିଲା। ଜନପଥ, ପ୍ଲାନେଟାରିୟମ, ଜୟଦେବବିହାର-ନନ୍ଦନକାନନ ରାସ୍ତା ଆଦି ସ୍ଥାନରେ ଏସବୁ ବସିଥିଲା। ଏହା ଉପରେ ନଜର ରଖିବା ପାଇଁ ସବୁଠି ସିସିଟିଭି ବ୍ୟବସ୍ଥା ବି ରହିଥିଲା। ସବୁ ସୌରଶକ୍ତିଚାଳିତ ଥିଲା। ଏଥିପାଇଁ ବଡ଼ ବଡ଼ ଦାମୀ ସୋଲାର ପ୍ୟାନେଲ୍ ସ୍ଥାପନ କରାଯାଇଥିଲା। ଯେଉଁଥିରେ ଲାଇଟ୍ ବ୍ୟବସ୍ଥା ବି ରହିଥିଲା। ଉଭୟ ଦିନ ଓ ରାତିରେ ଲୋକେ ଏହି ମେସିନ୍କୁ ଚଳାଇ ପାରିବାର ବ୍ୟବସ୍ଥା ରହିଥିଲା। ବଡ଼ ଏଲ୍ଇଡି ଟଚ୍ସ୍କ୍ରିନ୍ ବି ଥିଲା।
ଏହି ସ୍ମାର୍ଟ କିଓସ୍କର ପ୍ରମୁଖ କାମ ଥିଲା, ଜନସେବାକୁ ସହଜ କରିବା। ଏଥିରେ ଟ୍ରେଡିଂ ଲାଇସେନ୍ସ, ବିବାହ ପଞ୍ଜୀକରଣ, ଜନ୍ମ-ମୃତ୍ୟୁ ପ୍ରମାଣପତ୍ର ଆବେଦନ, ହୋଲ୍ଡିଂ ଟିକସ ଆଦାୟ ସହ ଟ୍ରେନ୍, ବସ୍ ଟିକେଟ୍ ବୁକିଂ ବ୍ୟବସ୍ଥା ରହିଥିଲା। ବିଲ୍ଡିଂ ପ୍ଲାନ, ସେସ୍ପୁଲ୍ ବୁକିଂ, ବିଏମ୍ସି କଲ୍ୟାଣମଣ୍ଡପ ବୁକିଂ ଆଦି ସୁବିଧା ଥିଲା। ଜିପିଏସ୍ ମ୍ୟାପ୍ ଓ ଅନ୍ୟାନ୍ୟ ସୁବିଧା ରହିଥିଲା। କିନ୍ତୁ ରକ୍ଷଣାବେକ୍ଷଣ ଅଭାବରୁ ଏହି ଯୋଜନା ବିଫଳ ହୋଇଛି। ନଗର ଉନ୍ନୟନ ମନ୍ତ୍ରୀ ଡ. ମହାପାତ୍ର କହିଛନ୍ତି, ଇନ୍ଡୋର ସ୍ମାର୍ଟ କିଓସ୍କ କାର୍ଯ୍ୟକ୍ଷମ ଅଛି। କିନ୍ତୁ ଆଉଟ୍ଡୋର ସ୍ମାର୍ଟ କିଓସ୍କରୁ ୧୦ଟି ସଚଳ ଅଛି ଏବଂ ବାକି ଅଚଳ ଅବସ୍ଥାରେ ପଡ଼ିଛି। ଏଗୁଡ଼ିକ ଖୁବ୍ଶୀଘ୍ର ମରାମତି କରାଯିବ।