ଜନପଥରୁ ଆରମ୍ଭ ହେବ ସ୍ମାର୍ଟ ପାର୍କିଂ

ତିନିଟି ପ୍ୟାକେଜ୍‌ରେ ବଣ୍ଟା ହେବ ପାର୍କିଂ ସ୍ଲଟ୍‌, ୨୫ତାରିଖରୁ ଦୁଇ ମାସ ପାଇଁ ଲାଗୁ ହେବ

ଭୁବନେଶ୍ବର: ଖୁବ୍ ଶୀଘ୍ର ଜନପଥ‌େ‌ର ଆରମ୍ଭ ହେବ ସ୍ମାର୍ଟ ପାର୍କିଂ ବ୍ୟବସ୍ଥା। ଏଥିପାଇଁ ଆର୍‌ଏଫ୍‌ପି ଆହ୍ବାନ ହୋଇଥିବାବେଳେ ଦୁଇ ମାସ ପାଇଁ ଅସ୍ଥାୟୀ ଭାବେ ଏହାକୁ ଲାଗୁ କରାଯିବ। ଏହା ସଫଳ ହେଲେ ଏହାକୁ ଜନପଥ ସମେତ ରାଜଧାନୀର ସମସ୍ତ ପ୍ରମୁଖ ଅଞ୍ଚଳରେ ଲାଗୁ କରାଯିବ ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ସ୍ମାର୍ଟ ଜନପଥକୁ ତିନିଟି ପ୍ୟାକେଜ୍‌ରେ ବଣ୍ଟାଯିବ। ଏଥିରେ ଶିଶୁଭବନରୁ ମାଷ୍ଟରକ୍ୟାଣ୍ଟିନକୁ ପ୍ୟାକେଜ୍‌-୧, ମାଷ୍ଟରକ୍ୟାଣ୍ଟିନରୁ ରୁପାଲି ଛକ ପ୍ୟାକେଜ୍‌-୨ ଏବଂ ରୁପାଲି ଛକରୁ ବାଣୀବିହାର ଛକ ପର୍ଯ୍ୟନ୍ତ ପ୍ୟାକେଜ୍‌-୩ ହେବ। ଗୋଟିଏ ପ୍ୟାକେଜ୍‌‌େର ଥରେ ଫି’ ଦେଇ ପାର୍କିଂ କଲେ ଏହି ଅଞ୍ଚଳରେ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଆଉ ପାର୍କିଂ କଲେ ଫି’ ଦେବାକୁ ପଡ଼ିବନି। ଗୋଟିଏ ପ୍ୟାକେଜ୍‌ରେ ୪୫୦ରୁ ୫୦୦ ଗାଡ଼ି ପାର୍କିଂ ହେବା ଭଳି ବ୍ୟବସ୍ଥା ହେବ। ପ୍ରତ୍ୟେକ ପାର୍କିଂ ସ୍ଥଳୀ ପାଇଁ ପ୍ରାୟ ୧୦ଫୁଟର ଜାଗା ରହିବ। ଜନପଥରେ କେତେ ପାର୍କିଂସ୍ଥଳୀ ରହିବ ତାହା ସ୍ମାର୍ଟ ଜନପଥ ନିର୍ମାଣ କରୁଥିବା ସଂସ୍ଥା ଆର୍‌କେଡି ନମ୍ବରିଂ କରିବ। ଏହା ଜନପଥର ଉତ୍ତରରୁ ଦକ୍ଷିଣ ଦିଗକୁ ନମ୍ବରିଂ ହେବ। ନିକଟବର୍ତ୍ତୀ ଅଞ୍ଚଳରେ ଥିବା ଲ୍ୟାଣ୍ଡମାର୍କକୁ ନେଇ ପାର୍କିଂ ଅଞ୍ଚଳକୁ ନାମିତ କରାଯିବ। ଗୋଟିଏ ପାର୍କିଂ ଅଞ୍ଚଳରେ ୧୦୦ରୁ ୧୨୦ଇସିଏସ୍‌ ରହିବ। ଗୋଟିଏ ପ୍ୟାକେଜ୍‌ରେ ୪୫୦ରୁ ୫୦୦ ଇସିଏସ୍ ରହିବ। ଯେଉଁ ପ୍ୟାକେଜ୍‌ରେ ଯେତେ ଇସିଏସ୍ ରହିବ ସେହି ଅନୁଯାୟୀ ପାର୍କିଂ ନିଲାମି ଡକାଯିବ। ଏହି ପାର୍କିଂ ବ୍ୟବସ୍ଥାରେ ଅନଲାଇନ୍‌ରେ ପାର୍କିଂସ୍ଥଳୀ ବୁକିଂ କରି ହେବ। ଏହାସହ କେଉଁଠି ପାର୍କିଂ ଅଞ୍ଚଳ ଖାଲି ଅଛି ତାହାକୁ ଅନଲାଇନ୍‌ରେ ଟ୍ରାକିଂ କରିହେବ।

ବେଆଇନ ପାର୍କିଂ କଲେ ଦୁଇ ହଜାର ଟଙ୍କା ଜରିମାନା
ପାର୍କିଂ ପାଇଁ ଚିହ୍ନଟ ହୋଇଥିବା ସ୍ଥାନ ବ୍ୟତୀତ ଅନ୍ୟ ସ୍ଥାନରେ ଗାଡ଼ିଂ ପାର୍କିଂ କଲେ ଏହା ମହଙ୍ଗା ପଡ଼ିବ। ଯଦି‌ କେଉଁଠି ଗାଡ଼ି ବେଆଇନ ଭାବେ ପାର୍କିଂ ହୋଇଥିବ ତେବେ ଗାଡ଼ିକୁ ଉଠାଇ ନିଆଯିବ। ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ତିନିଟି ଟାୱିଙ୍ଗ୍ ଗାଡ଼ି ଆସିବ। ଏହି ଗାଡ଼ି ବେଆଇନ ଭାବେ ପାର୍କିଂ ହୋଇଥିବା ଗାଡ଼ିକୁ ଉଠାଇ ନେଇ ମାଷ୍ଟରକ୍ୟାଣ୍ଟିନ୍, ସତ୍ୟନଗରରେ ନିର୍ମାଣ ହେବାକୁ ଥିବା ନୂଆ ବିଏମ୍‌ସି ମୁଖ୍ୟାଳୟ ଅଞ୍ଚଳ, ସହିଦନଗର ହାଟ ପଛ ପାର୍ଶ୍ବ ଅଞ୍ଚଳରେ ରଖିଦେବ। କାର୍ ମାଲିକ ଆବଶ୍ୟକୀୟ କାଗଜପତ୍ର ଦେଖାଇବା ସହ ବେଆଇନ୍ ପାର୍କିଂ ପାଇଁ ହଜାରେ ଟଙ୍କା ଜରିମାନା ଏବଂ ଗାଡ଼ି ଭିଡ଼ା ହୋଇ ଆସିବା ଖର୍ଚ୍ଚ ହଜାରେ ଟଙ୍କା ଦେଲେ ଗାଡ଼ି ନେଇପାରିବେ ବୋଲି ନିଷ୍ପତ୍ତି ହୋଇଛି। କମିସନରେଟ୍ ପୁଲିସର ଟ୍ରାଫିକ ପୁଲିସ ସହାୟତାରେ ଏହି ପଦକ୍ଷେପ ‌ନିଆଯିବ।

ଟିକେଟ୍‌ର ହାର୍ଡ କପି ପାଇଁ ଧାଡ଼ି

ବିଶ୍ବକପ୍‌ ହକି ଉଦ୍‌ଘାଟନୀ ଉତ୍ସବ ଦେଖିବା ପାଇଁ ଅନ୍‌ଲାଇନ୍‌ରେ ଟିକେଟ୍‌ କାଟିଥିବା ଦର୍ଶକଙ୍କୁ ଆଜି ହାର୍ଡ କପି ପ୍ରଦାନ କରାଯାଇଛି। କଳିଙ୍ଗ ଷ୍ଟାଡିୟମ‌୍‌ର ୪ ନମ୍ବର ଗେଟ୍‌ରେ ୭ଟି କାଉଣ୍ଟର୍‌ କରାଯାଇ ଟିକେଟ ପ୍ରଦାନ କରାଯାଇଛି। ମହିଳାଙ୍କ ପାଇଁ ଦୁଇଟି କାଉଣ୍ଟର୍‌ କରାଯାଇଥିବା ବେଳେ ଅନ୍ୟ ୫ଟି କାଉଣ୍ଟର୍‌ରେ ପୁରୁଷ ଦର୍ଶକ ଟିକେଟ୍‌ ଆଣିଛନ୍ତି। ଆଜି ପାଖାପାଖି ଦେଢ଼ ହଜାର ଟିକେଟ୍‌ ପ୍ରଦାନ କରାଯାଇଛି। କାଉଣ୍ଟର୍‌ରେ ଆଧାର କାର୍ଡ ଓ ଅନ୍‌ଲାଇନ୍‌ ଫଏଲ୍‌କୁ ଦେଖାଇବାକୁ ପଡ଼ୁଛି। ଯେଉଁମାନେ ଅନ୍‌ଲାଇନ୍‌ ଟିକେଟ୍‌ କାଟିଥିଲେ ମଧ୍ୟ ଏହି ହାର୍ଡ କପି ସଂଗ୍ରହ କରିନାହାନ୍ତି ସେମାନେ ଉତ୍ସବ ଦେଖିବାରୁ ବଞ୍ଚିତ ହେବେ ବୋଲି କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି। ତେବେ ପୂବର୍ରୁ ଏ ବାବଦରେ ସୂଚନା ଦିଆଯାଇ ନଥିବାରୁ ଅନେକ ଦର୍ଶକ ସମସ୍ୟାରେ ପଡ଼ିଛନ୍ତି।

ପ୍ଲାନେଟାରିୟମ୍‌ରେ ହେବ ସ୍ବତନ୍ତ୍ର ସୋ’

ହକି ବିଶ୍ବକପ୍ ନେଇ ବାହାରୁ ହଜାର ହଜାର ପର୍ଯ୍ୟଟକ ରାଜଧାନୀକୁ ଆସୁଛନ୍ତି। ରାଜଧାନୀରେ ପ୍ଲାନେଟାରିୟମ୍ ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥାନ ହୋଇଥିବାରୁ ବାହାରୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଆବଶ୍ୟକ ପଡ଼ିଲେ ସ୍ବତନ୍ତ୍ର ସୋ’ ଆୟୋଜିତ ହେବ। ଯେଉଁ ପର୍ଯ୍ୟଟକମାନେ ଗ୍ରୁପ୍‌ରେ ପ୍ଲାନେଟାରିୟମ୍‌ରେ ସୋ’ ଦେଖିବାକୁ ଚାହିଁବେ ସେମାନଙ୍କ ପାଇଁ ସ୍ବତନ୍ତ୍ରଭାବେ ସୋ’ ଆୟୋଜନର ବ୍ୟବସ୍ଥା କରାଯିବ। ଓଟିଡିସି ପକ୍ଷରୁ ଏନେଇ ପ୍ଲାନେଟାରିୟମ କର୍ତୃପକ୍ଷଙ୍କ ସହିତ ଆଲୋଚନା ହୋଇଛି। ଏପରିକି ଓଟିଡିସି ପକ୍ଷରୁ ପର୍ଯ୍ୟଟକଙ୍କ ପାଇଁ ଥିବା ସୂଚନା ପୁସ୍ତିକାରେ ପ୍ଲାନେଟାରିୟମ୍‌ରେ କେଉଁ ସମୟରେ କେଉଁ ସୋ’ ପ୍ରଦର୍ଶିତ ହେଉଛି ତାହା ଉଲ୍ଲେଖ କରାଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର