ଭୁବନେଶ୍ବର: ସ୍ମାର୍ଟ ସିଟି ଘୋଷଣା ହେବା ପରେ ରାଜଧାନୀବାସୀ ବହୁ ସ୍ବପ୍ନ ଦେଖିଥିଲେ। ରାଜରାସ୍ତାରେ ଖାଲଖମା ରହିବନି ଓ ରାସ୍ତା ସବୁ ଚକାଚକ୍ ହେବ। ଏମିତି ଅନେକ ଗୋଲାପୀ ଚିତ୍ର ଆଙ୍କି ହୋଇଯାଇଥିଲା ରାଜଧାନୀବାସୀଙ୍କ ମନରେ। ହେଲେ ବାସ୍ତବ ଚିତ୍ର ଓଲଟା ଦେଖିବାକୁ ମିଳୁଛି। ରାଜଧାନୀର ରାଜରାସ୍ତା ଅବସ୍ଥା କୌଣସି ଅଗ୍ୟମ ଗାଁ ରାସ୍ତାଠାରୁ ବି ଭଲ ନୁହେଁ। ଖୋଦ୍ ସ୍ମାର୍ଟ ଜନପଥର ଚିତ୍ର ଗାଁ ରାସ୍ତା ଭଳି ଖାଲଖମାରେ ଭର୍ତ୍ତି ହେବା ସହ ଅସଜଡ଼ା ହୋଇପଡ଼ିଛି। ଏହି ରାସ୍ତା ଦେଇ ପ୍ରତ୍ୟେହ ନେତା, ମନ୍ତ୍ରୀ ଓ ସରକାରୀ ପଦାଧିକାରୀମାନେ ଯାଉଥିବା ବେଳେ ଏହା ଉପରେ କାହା ନଜର ନପଡ଼ିବା ରାଜଧାନୀବାସୀଙ୍କୁ ବିସ୍ମିତ କରିଛି।
ରାଜଧାନୀରେ ସବୁଠାରୁ ଜନଗହଳିପୂର୍ଣ୍ଣ ରାସ୍ତା ହେଉଛି ଜନପଥ। ଏହା ଭିଆଇପି ରେଡ୍ ଭାବେ ମଧ୍ୟ ଜଣାଶୁଣା। ହେଲେ ଏହି ରାସ୍ତା ଏବେ ଖାଲଖମାପୂର୍ଣ୍ଣ। କୌଣସି ପାହାଡ଼ିଆ ଉପାନ୍ତ ଅଞ୍ଚଳର ରାସ୍ତାର ଚିତ୍ର ଏଠାରେ ଦେଖିବାକୁ ମିଳୁଛି। ବାଣୀବିହାର ଛକ ଠାରୁ ମାଷ୍ଟର କ୍ୟାଣ୍ଟିନ ଛକ ପର୍ଯ୍ୟନ୍ତ ସବୁଆଡ଼େ ଖାଲଖମା। ବାଣୀବିହାର ଛକ ଠାରୁ ଶିଶୁଭବନ ଛକ ଯାଏ ରାସ୍ତାକୁ ସ୍ମାର୍ଟଜନପଥ ଭାବେ ଘୋଷଣା କରାଯାଇଛି। ଏହି ରାସ୍ତାର ଉନ୍ନତୀକରଣ ପାଇଁ ୨୦୧୭ମସିହା ଠାରୁ ପ୍ରକଳ୍ପ କାର୍ଯ୍ୟ ଚାଲିଛି। ଏହା ଭିତରେ ଅନେକ କାମ ସରିଆସିଲାଣି ମାତ୍ର ସ୍ମାର୍ଟସିଟି ଲିମିଟେଡ୍ ରାସ୍ତା ଉପରେ ଧ୍ୟାନ ଦେଉନାହିଁ।
/sambad/media/post_attachments/wp-content/uploads/2021/10/654f654hsffffffffffffffffff.jpg)
ବାଣୀବିହାର ଛକ ଠାରୁ ମାଷ୍ଟରକ୍ୟାଣ୍ଟିନ ଛକ ଯାଏ ୪୨ଟି ସ୍ଥାନରେ ଛୋଟ ବଡ଼ ଖାଲ ହୋଇଗଲାଣି। ଏମିତିକି ଅନେକ ସ୍ଥାନରୁ ପିଚୁ ଉଠିଗଲାଣି। ରାସ୍ତା ମଝିରେ ପିଚୁ ଉଠି ଯାଇଥିବାରୁ ବଡ଼ ବଡ଼ ଖାଲ ସୃଷ୍ଟି ହୋଇଛି। ଫଳରେ ଯାତ୍ରୀ ମାନେ ଯିବା ସମୟରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସହିଦନଗରସ୍ଥିତ କଲ୍ୟାଣ ଜୁଏଲାରି ସମ୍ମୁଖ ରାସ୍ତାରେ ବଡ଼ ଗାତ ସୃଷ୍ଟି ହୋଇଛି। ସେଠାରେ ମୋ ବସ୍ଷ୍ଟାଣ୍ଡ ରହିଛି। ଖାଲଖମା ଯୋଗୁଁ ଲୋକେ ଅସୁବିଧାରେ ପଡ଼ୁଛନ୍ତି। ସେହିପରି ସହିଦନଗର ପେଟ୍ରୋଲ ପମ୍ପ ନିକଟରେ ନୂଆ କରି ପକାଯାଇଥିବା ଟାଇଲ୍ ଉଠିଯାଇ ରାସ୍ତାରେ ବଡ଼ ଗାତ ସୃଷ୍ଟି ହୋଇଛି।
ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ଆଗରେ ବଡ଼ ବଡ଼ ୩ଟି ଖାଲ ହୋଇଛି। ସହିଦନଗର ଦୁର୍ଗାପୂଜା ମଣ୍ଡପ ସମ୍ମୁଖ ରାସ୍ତାର ବି ସମାନ ଅବସ୍ଥା। ରୂପାଲି ଛକ ଟ୍ରାଫିକ୍ ପୋଷ୍ଟ ରାସ୍ତାର ପାର୍ଶ୍ବ ଖୋଳି ହୋଇ ବଡ଼ ବଡ଼ ଗାତ ସୃଷ୍ଟି ହୋଇଛି। ଫଳରେ ଟ୍ରାଫିକ୍ ସିଗ୍ନାଲ ଷ୍ଟପ୍ ଥିବା ସମୟରେ ଗାଡ଼ି ଜାମ୍ ହେଉଛି। ମହର୍ଷି କଲେଜ ଛକରେ ମଧ୍ୟ ସମାନ ଅବସ୍ଥା। ସତ୍ୟନଗର ଛକରୁ ରାମ ମନ୍ଦିର ଆଡ଼କୁ ଯିବା ରାସ୍ତା ମଝିରେ ପିଚୁ ଉଠି ରାସ୍ତାର ଅବସ୍ଥା ଖରାପ ହୋଇଗଲାଣି। ସେହିପରି ରାମମନ୍ଦିର ଛକରେ କେବୁଲ ପକାଇବା ପାଇଁ ରାସ୍ତାକୁ ଖୋଳାଯାଇଥିଲା। ମାତ୍ର ରାସ୍ତାର ମରାମତି କରିବା ପରିବର୍ତ୍ତେ ସେଠାରେ ମାଟି ଆଉ କ୍ରସର ଡଷ୍ଟ ଏବଂ କିଛି ଗୋଡ଼ି ପକାଇ ସମାନ କରାଯାଇଥିଲା। ରାସ୍ତା କାମ ହେବାର ୨ଦିନ ପରେ ସେଠାରୁ ଗୋଡ଼ି ଉଠି ରାସ୍ତାରେ ଖାଲ ସୃଷ୍ଟି ହେଲାଣି। ଫଳରେ ଗାଡ଼ି ଗୋଡ଼ିରେ ଖସି ଦୁର୍ଘଟଣା ଘଟୁଛି।
ମାଷ୍ଟରକ୍ୟାଣ୍ଟିନ ଛକରେ ବହୁଦିନ ହେଲାଣି ରାସ୍ତା ଶୋଚନୀୟ ହୋଇପଡ଼ିଛି। ରାସ୍ତାରେ ବଡ଼ ବଡ଼ ଗାତ ସୃଷ୍ଟି ହୋଇଛି। ସ୍ଥାନୀୟ ବାସିନ୍ଦା ରାଜକିଶୋର ପାଢ଼ୀଙ୍କ କହିବା କଥା ବିଭିନ୍ନ ସଂସ୍ଥା କିଏ କେବୁଲ ପକାଇବା ପାଇଁ ଆଉ କିଏ ପାଇପ ପକାଇବା ପାଇଁ ରାସ୍ତାକୁ ଖୋଳି ଦେଉଛନ୍ତି। ମରାମତି କରିବା ବଦଳରେ କାମଚଳା ଭାବେ କ୍ରସର ଗୁଣ୍ଡ ପକାଉଥିବାରୁ କିଛିଦିନ ପରେ ରାସ୍ତାରେ ଖାଲ ହେଉଛି। ବର୍ଷା ହେଲେ କ୍ରସର ଗୁଣ୍ଡ ଉଠି ପୁଣି ଖାଲ ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/465465h4sf65hsffffffffffffffff.jpg)