ଫେଲ୍‌ ମାରିଲା ସ୍ମାର୍ଟ ଟ୍ରାଫିକ୍ ବ୍ୟବସ୍ଥା

ଭୁବନେଶ୍ବର ଅପରେସନ୍ ସେଣ୍ଟର କାମରେ ଲାଗିଲାନି, କୁଆଡ଼େ ଗଲା କମିସନରେଟ୍ ପୁଲିସର ‘ୱି କେୟାର, ୱି ଡେୟାର’

ଭୁବନେଶ୍ବର : ‘ସ୍ମାର୍ଟ ସିଟି’ ଯୋଜନାରେ ରାଜଧାନୀର ଚିତ୍ର ବଦଳାଇ ଦେଇଛନ୍ତି ସରକାର। କିନ୍ତୁ ଏହା କେବଳ ସୋ’ବାଜି ତାହା ଆଜି ପ୍ରମାଣିତ ହୋଇଛି। ସ୍ମାର୍ଟ ସିଟି ଯୋଜନାରେ ହୋଇଥିବା ସ୍ମାର୍ଟ ଟ୍ରାଫିକ୍ ବ୍ୟବସ୍ଥା, ଭୁବନେଶ୍ବର ଉପରେ ନଜର ରଖିବା ପାଇଁ ଲାଗିଥିବା ସିସିଟିଭି, ପୂରା ଭୁବନେଶ୍ବରକୁ ଗୋଟିଏ କୋଠରିରେ ବସି ପରିଚାଳନା କରିବା ପାଇଁ ଭୁବନେଶ୍ବର ଅ‌ପରେସନ୍ ସେଣ୍ଟର (ବିଓସି) ଯୋଜନା ଆରମ୍ଭ ହୋଇଛି। ରାଜଧାନୀରେ ଭିଡ଼ ନିୟନ୍ତ୍ରଣଠାରୁ ଆରମ୍ଭ କରି ଜରୁରୀକାଳୀନ ପରିସ୍ଥିତି ପର୍ଯ୍ୟନ୍ତ ସବୁକୁ ଠିକଣା ଢଙ୍ଗରେ ମୁକାବିଲା କରିବା ପାଇଁ ଏହି ସବୁ ଯୋଜନା ହୋଇଛି ବୋଲି ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌ କର୍ତ୍ତୃପକ୍ଷ କହୁଥିଲେ। କିନ୍ତୁ ଆଜିର ଘଟଣା ପରେ ଏହା ସବୁ ପ୍ରହେଳିକା ବୋଲି ପ୍ରମାଣିତ ହୋଇଛି। ଭିଡ଼ରେ ଫସି ଜଣେ କୁନି ଶିଶୁର ଜୀବନ ଚାଲିଗଲା, ହଜାରହଜାର ଲୋକ ପ୍ରାୟ ସାଢ଼େ ୩ଘଣ୍ଟା ଭିଡ଼ରେ ଫସିଗଲେ। କିନ୍ତୁ ସ୍ମାର୍ଟ ସିଟି ଯୋଜନା କାମ କଲାନି।

ହକି ବିଶ୍ବକପ୍‌ ପୂର୍ବରୁ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ କର୍ତ୍ତୃପକ୍ଷ ଛାତି ଫୁଲାଇ କହିଲେ ଏଣିକି ରାଜଧାନୀରେ କୌଣସି ଜରୁରୀକାଳୀନ ପରିସ୍ଥିତି ଉପୁଜିଲେ, ଟ୍ରାଫିକ ଡାଇଭର୍ଟ କରିବାକୁ ହେଲେ ବା ସର୍ବସାଧାରଣ ସୂଚନା ହଠାତ୍ ଦେବାକୁ ଥିଲେ ତତ୍‌କ୍ଷଣାତ୍ ଲୋକଙ୍କ ପାଖରେ ସୂଚନା ପହଞ୍ଚିଯିବ। ଏଥିପାଇଁ ୭ଟି ଛକରେ ମାଇକ୍ ଲଗାଇ ପ୍ରଚାର କରାଯିବ। ରୁପାଲି ଛକ, କଳ୍ପନା ଛକ, ବିମାନବନ୍ଦର ଛକ, ନିକୋ ପାର୍କ ଛକ, ପାୱାର ହାଉସ୍ ଛକ, କଳିଙ୍ଗ ହସ୍ପିଟାଲ ଛକ, ପଟିଆ ଛକରେ ଏହି ବ୍ୟବସ୍ଥା ରହିବ। ଏଠାରେ ମାଇକ୍ରୋଫୋନ୍, ଲାଉଡ୍‌ ସ୍ପିକର୍, ଆମ୍ପ୍ଲିଫାୟାର ରହିଛି। ଏହି ସବୁ ସ୍ଥାନରେ ଏହା ବି ଲାଗିଛି। ଆଜି ଜନପଥରେ ଅଚଳାବସ୍ଥା ସୃଷ୍ଟି ହୋଇଥିଲେ ବି ବିଓସି ପକ୍ଷରୁ ଏହାକୁ ବ୍ୟବହାର କରାଯାଇ ନଥିଲା। ଲୋକଙ୍କୁ ଆଗୁଆ ସଚେତନ କରା ନଯିବାରୁ ଭିଡ଼ରେ ଫସିଲେ। କିନ୍ତୁ ନିୟମ କରିଥିବା ଅଧିକାରୀ ଏସବୁ ବିଷୟରେ ଅଜ୍ଞ ଥିଲେ। ବୋଧହୁଏ କର୍ତ୍ତୃପକ୍ଷଙ୍କ ଏହା ଜରୁରୀକାଳୀନ ପରିସ୍ଥିତି ନଥିଲା କି ଅସମ୍ଭାଳ ଭିଡ଼ ଜମି ନଥିଲା।

ପ୍ରାୟ ସାଢ଼େ ୩ଘଣ୍ଟା ପୂରା ଅଚଳାବସ୍ଥା ସୃଷ୍ଟି ହୋଇଗଲା। ରାସ୍ତା ଉପରେ ପିଲାରୁ ବୁଢ଼ା ଯିଏ ଯେଉଁଠି ଥିଲେ ସେଇଠି ରହିଗଲେ। ଟ୍ରାଫିକ ପୁଲିସ ପୂରା ପଙ୍ଗୁ ପାଲଟିଗଲା କମିସନେରଟ୍ ପୁଲିସର ନାରା ‘ୱି କେୟାର, ୱି ଡେୟାର’ ଆଜି ପ୍ରହସନ ପାଲଟିଗଲା। ନା ଥିଲା କେୟାର, ନା ଥିଲା ଭିଡ଼ରୁ ବାହାର କରିବାର ଡେୟାର। ଯାହା ଘଟୁଥିଲା ସେମତି ଘଟିବାକୁ ଛାଡ଼ି ଦେଇଥିଲେ। ଏହିଭଳି ଘଟଣା ଆଜି ନୂଆ ନଥିଲା କିନ୍ତୁ କମିସନରେଟ୍ ପୁଲିସ ପୂର୍ବରୁ ଏମିତି କେବେ ପଙ୍ଗୁ ପାଲଟି ଯାଇନଥିଲା।

ରାଜଧାନୀର ଭିଡ଼କୁ ନିୟନ୍ତ୍ରଣ କରିବାକୁ ଆରମ୍ଭ ହୋଇଛି ସ୍ବୟଂଚାଳିତ ଟ୍ରାଫିକ ସିଗନାଲ୍‌ ବ୍ୟବସ୍ଥା। ଏଥିରେ କେବଳ ଟ୍ରାଫିକ୍ ସିଗନାଲ୍‌ ସ୍ବୟଂଚାଳିତ ହୋଇନି ବରଂ ଟ୍ରାଫିକ ଭିତ୍ତିଭୂମିକୁ ସୁଦୃଢ଼ କରାଯାଇଛି। ଦୁଇ ମାସ ହେଲା ଏହା ପୂର୍ଣ୍ଣ କାର୍ଯ୍ୟକ୍ଷମ ହେଉଥିବା କର୍ତ୍ତୃପକ୍ଷ କହୁଥିଲେ ହେଁ ଏହା କେଉଁ କାମରେ ଲାଗୁଛି ତାହା କେହି ଜାଣିପାରୁନାହାନ୍ତି।

୮୦କିମିର ପ୍ରମୁଖ ରାସ୍ତାରେ କେଉଁଠି କ’ଣ ହେଉଛି ତାହା ଉପରେ ସିସିଟିଭି ନଜର ରଖୁଛି। ଏପରିକି ଯଦି କେଉଁଠି ହଠାତ୍ ଭିଡ଼ ଜମିବ ତତ୍‌କ୍ଷଣାତ୍ ଭୁବନେଶ୍ବର ଅପରେସନ୍ ସେଣ୍ଟରରୁ କମିସନରେଟ୍ ପୁଲିସକୁ ଖବର ପହଞ୍ଚାଇ ଦିଆଯିବ। ସେଠାରେ ଟ୍ରାଫିକ ପୁଲିସ ପହଞ୍ଚି ଭିଡ଼ ନିୟନ୍ତ୍ରଣ କରି‌େବ। ଏହିଭଳି ବ୍ୟବସ୍ଥା ଆଜି ପର୍ଯ୍ୟନ୍ତ ରାଜଧାନୀରେ ଲାଗୁ ହୋଇପାରିଲାନି। ବରଂ ଭିଡ଼ ବେଳେ କୌଣସି ପୁଲିସ ଅଧିକାରୀ ଦେଖିବାକୁ ନମିଳିବା ରାଜଧାନୀବାସୀ ବହୁବାର ଅନୁଭବ କଲେଣି। କମିସନରେଟ୍ ପୁଲିସର କାର୍ଯ୍ୟଶୈଳୀକୁ ସୁଦୃଢ କରିବାକୁ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ ପକ୍ଷରୁ ଭିତ୍ତିଭୂମି ଯୋଗାଇ ଦିଆଯାଇଛି। କିନ୍ତୁ କମିସନରେଟ୍ ପୁଲିସ ଏହାକୁ ବ୍ୟବହାର କରିବା ବଦଳରେ କିଏ ହେଲମେଟ୍‌ ପିନ୍ଧିଲାନି, କିଏ ସିଟ୍‌ ବେଲ୍ଟ ଲଗାଇଲାନି ତାକୁ ଗୋଡ଼େଇ ଗୋ‌େଡ଼ଇ ମାଡ଼ି ବସିବା ଚକ୍କରରେ ରହୁଛି। ଗତ କିଛି ବର୍ଷ ହେଲା ଯେମିତି ଟ୍ରାଫିକ୍ ପୁଲିସ ଟ୍ରାଫିକ ପରିଚାଳନା ଦାୟିତ୍ବକୁ ପଛକୁ ଠେଲି ଦେଇ ଜରିମାନା ଆଦାୟକୁ ପ୍ରାଧାନ୍ୟ ଦେଇଛି ତାହା ରାଜଧାନୀବାସୀ ଅଙ୍ଗେଅଙ୍ଗେ ଅନୁଭବ କଲେଣି।

ସମ୍ବନ୍ଧିତ ଖବର