ଭୁବନେଶ୍ବର: କେବେ ଭଗବାନ ଶ୍ରୀକୃଷ୍ଣଙ୍କ ଲୀଳାମୟ ରହସ୍ୟମୟ ହସ, ପୁଣି କେବେ ରାବଣର ବିକଟାଳ ହସ। କେବେ ତରୁଣୀର ଲାଜୁଆ ହସ ପୁଣି କେବେ ନିଷ୍ପାପ ଶିଶୁର ଖିଲିଖିଲି ସହ। ହସ କେବେ ଅଜଣା ବ୍ୟକ୍ତିକୁ ଆପଣାର କରିଥାଏ ତ କେବେ ପୁଣି ଝଗଡ଼ାର ଅନ୍ତ ଘଟାଏ। ହସ ସବୁବେଳେ ସୁନ୍ଦର, ଦୁଃଖ ଭୁଲିବାର ପ୍ରୟାସ ଓ ଶରୀରରେ ସକାରାତ୍ମକତା ଭରିବାର ମାଧ୍ୟମ। ଶିଶୁର ହସରେ ମା’ କେବେ ଦୁଃଖ ଭୁଲିଯାଏ ପୁଣି ହସହସ ମୁହଁ ଦେଖି ଘରୁ ବାହାରିଲେ ସବୁ ଦିନଟି ଭଲରେ କଟେ। ହସ ଖାଲି ସକାରାତ୍ମକତା ଭରେନି, ଚିନ୍ତା ଓ ରୋଗମୁକ୍ତ କରେ। କିନ୍ତୁ ଆଜିର ଦିନରେ ମଣିଷ ଯେମିତି ହସିବା ଭୁଲିଯାଇଛି। କର୍ମକ୍ଷେତ୍ରର ଚାପ, ପାରିବାରିକ ଜଞ୍ଜାଳ, ଦରଦାମ୍ ବୃଦ୍ଧି ଓ ଅତ୍ୟାଧୁନିକ ଜୀବନଶୈଳୀ ଭିତରେ ମଣିଷ ମନ ଖୋଲି ହସିବା ଭୁଲିଗଲାଣି। ଏଣୁ ଏବେ ରାଜଧାନୀର ପ୍ରତି ପାର୍କରେ ଖୋଲିଗଲାଣି ହସ କ୍ଲବ। ଟିଭିରେ ଛାଇଗଲାଣି କମେଡି ସୋ’। ଚଳଚ୍ଚିତ୍ରଗୁଡ଼ିକ ହାସ୍ୟରସରେ ଭରିଗଲାଣି। ସାହିତ୍ୟରେ ବି ବ୍ୟଙ୍ଗାତ୍ମକ ଦୃଷ୍ଟିଭଙ୍ଗୀ ବଢ଼ିଲାଣି ଓ ରିଲ୍ସ୍ ଭିଡିଓ, ସାମାଜିକ ଗଣମାଧ୍ୟମରେ ଲୋକଙ୍କୁ ହସାଇବାର ନୂଆ ନୂଆ ଫର୍ମୁଲା ଉଦ୍ଭାବନ ହେଲାଣି।
ହସ ଚମତ୍କାର ନୁହେଁ ଉପକାର କରେ
ହସ ମଣିଷକୁ ଖୁସି ରହିବା ଶିଖାଏ। ରକ୍ତଚାପଠାରୁ ଆରମ୍ଭ କରି ବିଭିନ୍ନ ବିଭିନ୍ନ ରୋଗରୁ ଉପଶମ ଦିଏ। ଏଣୁ ମୁମ୍ବାଇରୁ ‘ହେଲ୍ଥ ଆଣ୍ଡ୍ ହାପିନେସ୍’ ବିଷୟବସ୍ତୁ ଉପରେ ବ୍ୟାୟାମ ଶିଖି ଆମେ ନୂଆପଲ୍ଲୀରେ ଆରମ୍ଭ କରିଛୁ ହସ କ୍ଲବ୍। ଏଲ୍ଏନ୍ ଲାଫ୍ଟର୍ ଏକ୍ସରସାଇଜ୍ କ୍ଲବ ଜରିଆରେ ୭ ବର୍ଷ ହେଲା ଆମେ ୧୧୪ ସଦସ୍ୟ ଏଠାରେ ବ୍ୟାୟାମ କରୁଛି, ପ୍ରତିଦିନ ଠୋ ଠୋ ହୋଇ ମନ ଖୋଲା ହସ ହସୁଛୁ ବୋଲି କହିଛନ୍ତି କ୍ଲବ୍ର ସଭାପତି ଜୟକୃଷ୍ଣ ରାଜହଂସ। ପ୍ରତିଦିନ ସକାଳ ସାଢ଼େ ୫ଟାରୁ ସାଢ଼େ ୬ଟା ଯାଏ ବିଭିନ୍ନ ବ୍ୟାୟାମ ସହ କ୍ଲବ୍ର ସମସ୍ୟମାନେ ଜୀବନର ସବୁ ଦୁଃଖ, ଅସୁବିଧା ଭୁଲି ଏକଘଣ୍ଟା ଧରି ହସନ୍ତି। ବ୍ୟୟୋଜ୍ୟେଷ୍ଠମାନଙ୍କର ସେଇ ହସ ଖାଲି ପାର୍କରେ ନୁହେଁ ଆଖପାଖ ପରିବେଶରେ ଓ ସେଠାରୁ ପ୍ରାତଃଭ୍ରମଣରେ ଯାଉଥିବା ଲୋକମାନଙ୍କ ମନରେ ସକାରାତ୍ମକତା ଭରି ଦିଏ। ମୁହଁରେ ଚେନାଏ ହସ ଖେଳାଇ ଦିଏ।
ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ, ଷ୍ଟ୍ରେସ୍ ହର୍ମୋନ୍ କମାଏ
ହସ ଜଣଙ୍କଠାରୁ ଅନ୍ୟଜଣଙ୍କୁ ସହଜରେ ବ୍ୟାପୁଥିବା ଏକ ସରଳ ବେମାରୀ। ଅର୍ଥାତ ଜଣେ ହସୁଥିବା ଦେଖି, ଆମେ ଆମେ ଅନ୍ୟଜଣେ ହସି ଉଠେ। ହସ ଶରୀରରୁ ଷ୍ଟ୍ରେସ୍ ହର୍ମୋନ୍ କମାଏ। ଫଳରେ ଅବସାଦ, ଚିନ୍ତା ଆଦି ବିଭିନ୍ନ ମାନସିକ ରୋଗରୁ ମଣିଷକୁ ମୁକ୍ତି ଦିଏ। ଏଥିସହ ଏହା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଉଥିବାରୁ ରକ୍ତଚାପ, ମଧୁମେହ, ହୃଦ୍ରୋଗ ଆଦିରୁ ଆମକୁ ରକ୍ଷା କରେ। ହସିବା ଦ୍ବାରା ମୁହଁର ବହୁ ମାଂସପେଶୀ ସକ୍ରିୟ ହୋଇଯାଏ। ଫଳରେ ମୁଖ ମଣ୍ଡଳର ସୌନ୍ଦର୍ଯ୍ୟ ମଧ୍ୟ ବଢ଼ିଥାଏ। ହସ ଦ୍ବାରା ଭୟ, ଛାନିଆ ହେବା ଓ ଛାତି ଯନ୍ତ୍ରଣା ଆଦି ସମସ୍ୟାରୁ ମୁକ୍ତି ମିଳେ ବୋଲି କହିଛନ୍ତି ବରିଷ୍ଠ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ପ୍ରଶାନ୍ତ ମହାପାତ୍ର।
ହସ ଏକ ମହୌଷଧି
ହସିଲେ ଶରୀରର ସବୁଠାରୁ ଅଧିକ ମାଂସପେଶୀ ସକ୍ରିୟ ହୋଇଥା’ନ୍ତି। ଏଣୁ ବଡ଼ ଲୋକମାନେ ହସ ବାଣ୍ଟିବାକୁ ପରାମର୍ଶ ଦେଇଥା’ନ୍ତି। ହସ ଏକ ୨୪ କ୍ୟାରେଟ୍ ସୁନା ଭଳି। ଏଥିରେ ଖାଦ ନଥାଏ। ଯଦି ହସରେ ଛଳନା ମିଶେ, ତାହା ସାଙ୍ଗେସଙ୍ଗେ ଜଣାପଡ଼ିଯାଏ। ଦୁଃଖ ମଣିଷର ସହଯାତ୍ରୀ ହୋଇଥିବା ବେଳେ, ସେଇ ଦୁଃଖ ଭିତରେ ହସିବା ଉଚିତ। ସେ ପୁଣି ଖାଲି ହସ ନୁହେଁ, ନିରୁତା ହସ। ତେବେ ଯାଇ ଦୁଃଖ ଦୂର ହୋଇପାରିବ। ଆଜିକାଲି ଦୁନିଆରେ ପାଠ ବା ଡିଗ୍ରିର କିଛି ମୂଲ୍ୟ ନାହିଁ। ମଣିଷର ବୁଦ୍ଧିମତା ଓ ପ୍ରତିଭା ହିଁ ବଡ଼ ଜିନିଷ। ମଣିଷକୁ ହସାଇବାର କଳା ଭଗବାନ ମୋ ଭିତରେ ଭରିଥିବାରୁ ମୁଁ ବହୁତ ଆନନ୍ଦିତ। ଜୀବନ ସାରା ଏଭଳି ସମସ୍ତଙ୍କୁ ହସାଇ ଚାଲିବି ବୋଲି ମୁଁ ପ୍ରତିଶ୍ରୁତିବଦ୍ଧ। ଏଥିସହ ପ୍ରତି ମାସରେ ବରିଷ୍ଠ ନାଗରିକଙ୍କୁ ନେଇ ହସ ଥେରାପି ଦେବାର ଯୋଜନା କରୁଛି।
-ପପୁ ପମ୍ପମ୍, ବରିଷ୍ଠ ହାସ୍ୟାଭିନେତା