ଭୁବନେଶ୍ବର: ସମାଜ ଆଖିରେ ସେମାନେ ଜଣେ ଜଣେ ଦିବ୍ୟାଙ୍ଗ। ମାତ୍ର ଅନ୍ତର୍ନିହିତ ପ୍ରତିଭା ପାଇଁ ଆଜି ସେମାନେ ପାଲଟିଯାଇଥିଲେ ଜଣେ ଜଣେ ତାରକା। ନାଚି-ଗୀତ ଗାଇ- ଅଭିନୟ କରି ପ୍ରମାଣିତ କରିଦେଇଥିଲେ ‘ସେମାନେ ବି କାହାଠୁ କମ୍ ନୁହନ୍ତି’। ସ୍ମାଇଲ୍ ପ୍ଲିଜ୍ ପକ୍ଷରୁ ହୋଟେଲ୍ କ୍ରାଉନ୍ରେ ଅନୁଷ୍ଠିତ ‘ସୁପର-୨୨’ ଭେଟି ଦେଇଥିଲା ଏମିତି ଏକ ନିଆରା ଅନୁଭବ। ଅଭିନେତା ସବ୍ୟସାଚୀ ଓ ଅଭିନେତ୍ରୀ ଅର୍ଚିତା ଏଭଳି କାର୍ଯ୍ୟକ୍ରମର ଆୟୋଜନ କରିଥିବା ବେଳେ ଏହାର ପରିକଳ୍ପନା କରିଥିଲେ ସତ୍ୟବ୍ରତ ସାନୁ ରଥ। ଯେବେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେଉଥିଲା, ଏହାର ଆୟୋଜନ ପଛର କାହାଣୀ ହିଁ ସଭିଙ୍କ ମନ ଚୋରି କରିନେଇଥିଲା। ସବ୍ୟସାଚୀଙ୍କ ଅଭିନୀତ ‘ମାଲ୍ ମହୁ ଜୀବନ ମାଟି’ ଶୀର୍ଷକ ଏକ ଚଳଚ୍ଚିତ୍ର ପାଇଁ ନାୟିକାର ଭାଇ ଚରିତ୍ର ପାଇଁ ଜଣେ କଳାକାରଙ୍କୁ ଖୋଜିବା ପ୍ରୟାସରେ ଗତବର୍ଷ ନଭେମ୍ବର ୧୩ ତାରିଖରେ ରେଳ ଅଡିଟୋରିୟମରେ ଏକ ଅଡିସନ୍ର ଆୟୋଜନ ହୋଇଥିଲା। ଏହାର ଶୀର୍ଷକ ରଖାଯାଇଥିଲା ‘ମୁଁ ବି କାହାଠୁ କମ୍ ନୁହେଁ, ମୁଁ ବି ହେବି ସେଲେବ୍ରିଟି’। ଏଥିରେ ରାଜ୍ୟରୁ ୭୦ରୁ ଅଧିକ ପ୍ରତିଯୋଗୀ ଅଂଶଗ୍ରହଣ କରି ନିଜର ଅଭିନୟ ଚାତୁରି ପ୍ରଦର୍ଶନ କରିଥିଲେ। ସେମାନଙ୍କ ପ୍ରତିଭା ଦେଖିବା ପରେ ସବ୍ୟସାଚୀ ନିଜ ଫିଲ୍ମର କାହାଣୀ ବଦଳାଇ ଦେଇଥିଲେ। ୮ଜଣ ଦିବ୍ୟାଙ୍ଗ ମହିଳାଙ୍କ ସମେତ ମୋଟ୍ ୨୨ ଜଣ ଦିବ୍ୟାଙ୍ଗଙ୍କୁ ଚୟନ କରାଯାଇଥିଲା। ଆସନ୍ତା ୮ ତାରିଖରେ ସବ୍ୟସାଚୀଙ୍କ ଅଭିନୀତ ‘ମାଲ୍ ମହୁ ଜୀବନ ମାଟି’ ମୁକ୍ତିଲାଭ କରିବାକୁ ଯାଉଥିବା ବେଳେ ଏଥିରେ ଏହି ୨୨ ଜଣଙ୍କୁ ଅଭିନୟ କରିବାର ସୁଯୋଗ ମିଳିଲା। ଆଜି ଯେବେ ସୁନିତା, ପିଣ୍ଟୁ, ଶୁଭମ, ଆଦିତ୍ୟ, ଲକ୍ଷ୍ମଣ ଓ ପୂର୍ଣ୍ଣଚନ୍ଦ୍ରଙ୍କ ଭଳି ୨୨ ଜଣ ନାଚ, ଗୀତ ଓ ଅଭିନୟରେ ମନ ଜିଣୁଥିଲେ ତାଳିରେ କମ୍ପି ଉଠୁଥିଲା କ୍ରାଉନ୍ର ସମ୍ମିଳନୀକକ୍ଷ। ଏମାନଙ୍କୁ ଉତ୍ସାହିତ କରିବା ପାଇଁ ଓଲିଉଡ୍ ତାରକାଙ୍କର ବି ସମାଗମ ହୋଇଥିଲା। ବିଭିନ୍ନ ବର୍ଗର ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ମଂଚରେ ଉପସ୍ଥିତ ରହି ସୁପର ବାଇଶଙ୍କୁ ୧୦ ହଜାର ଟଙ୍କାର ଚେକ୍, ଟ୍ରଫି ଓ ମାନପତ୍ର ସହ ପୁରସ୍କୃତ କରିଥିଲେ। ଏହି କାର୍ଯ୍ୟକ୍ରମକୁ ବିଶିଷ୍ଟ ସ୍ଥପତି ତଥା ସାଂସଦ ରଘୁନାଥ ମହାପାତ୍ର, ପ୍ରାକ୍ତନ ସାଂସଦ ତଥା ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ଦିଲୀପ ତିର୍କୀ, ଓଡ଼ିଶୀ ନୃତ୍ୟଶିଳ୍ପୀ ସୁଜାତା ମହାପାତ୍ର ଓ ସମାଜସେବୀ ଡ. ଶ୍ରୁତି ମହାପାତ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ସୁଲଗ୍ନା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp