ରାଜଧାନୀରେ ସ୍ମାଇଲ ଟର୍ଚକୁ ସ୍ବାଗତ

ଭୁବନେଶ୍ବର: ଗ୍ରହଣ ଖଣ୍ଡିଆ ରୋଗର ନିଦାନ ପାଇଁ କାର୍ଯ୍ୟ କରୁଥିବା ଅନ୍ତର୍ଜାତୀୟ ଅନୁଷ୍ଠାନ ସ୍ମାଇଲ ଟ୍ରେନ୍ ଇଣ୍ଡିଆ ଓ ରାଜଧାନୀର ଏହାର ବିଭିନ୍ନ ସହଯୋଗୀ ହସ୍ପିଟାଲଗୁଡ଼ିକ ଆଜି ରାଜଧାନୀରେ ସ୍ମାଇଲ ଟର୍ଚକୁ ସ୍ବାଗତ କରିଛନ୍ତି। ଗତ ଫେବ୍ରୁଆରି ମାସରେ ଜାତୀୟ ଗ୍ରହଣ ଖଣ୍ଡିଆ ଦିବସରେ ବାରାଣାସୀରେ ସ୍ମାଇଲ ଟର୍ଚର ଶୁଭାରମ୍ଭ କରାଯାଇଛି ଓ ଗ୍ରହଣ ଖଣ୍ଡିଆ ସହ ଜନ୍ମିତ ଶିଶୁମାନେ ଯେଉଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ସେ ସଂପର୍କରେ ସଚେତନତା ପାଇଁ ଏହି ଟର୍ଚ ଦେଶବ୍ୟାପୀ ଭ୍ରମଣ କରୁଛି। ଏହି ଉପଲକ୍ଷେ ଆଜି ଗୀତ ଗୋବିନ୍ଦ ସଦନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସ୍ମାଇଲ ଟ୍ରେନ୍ ଇଣ୍ଡିଆର ବରିଷ୍ଠ ନିର୍ଦେଶକ(‌ପ୍ରୋଗ୍ରାମ୍‌ସ) ଲୀଳା ଇମାନ୍ କହିଲେ, ସୁଲଭ ମୂଲ୍ୟରେ ଗ୍ରହଣ ଖଣ୍ଡିଆର ଚିକିତ୍ସା ବଡ଼ ଆହ୍ବାନ। ଆର୍ଥିକ ପ୍ରତିବନ୍ଧକ ଓ ସଚେତନତା ଅଭାବରୁ ଅନେକ ସମୟାନୁଯାୟୀ ସେବା ପାଇପାରୁ ନାହାନ୍ତି। ଗ୍ରହଣ ଖଣ୍ଡିଆ ଥିବା ଶିଶୁଙ୍କ ହସିବାର ଅଧିକାର ରହିଛି। ତେଣୁ ଏଭଳି ପିଲାମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଆଗେଇ ଆସିବା ଜରୁରୀ ବୋଲି ସେ କହିଥିଲେ। ସ୍ମାଇଲ ଟର୍ଚ ପକ୍ଷରୁ ଗ୍ରହଣ ଖଣ୍ଡିଆ ରୋଗୀଙ୍କ ପାଇଁ କିଟ୍, ମ୍ୟାଜିକ୍ ସୋ’ ଓ ଆଦିବାସୀ ସ୍କୁଲରେ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି। ଆଜି ସ୍ମାଇଲ ଟ୍ରେନ୍‌ର ଟିମ୍, ସହଯୋଗୀ ଡାକ୍ତର, ଗ୍ରହଣ ଖଣ୍ଡିଆ ପିଲା ଓ ସେମାନଙ୍କ ପରିବାର ବର୍ଗ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଭେଟିଥିଲେ। ରାଜ୍ୟପାଳ ଟର୍ଚକୁ ପ୍ରଜ୍ଜ୍ବଳନ କରିବା ସହିତ ପିଲା ଓ ଡାକ୍ତରଙ୍କୁ ଉତ୍ସାହିତ କରିଥିଲେ। ସ୍ମାଇଲ ଟ୍ରେନ୍‌ ଇଣ୍ଡିଆ ରାଜଧାନୀ ସମେତ କଟକ, ବାଲେଶ୍ବର ଓ ବେଲପାହାଡ଼ରେ ୬ଟି ସହଯୋଗୀ ହସ୍ପିଟାଲ ଜରିଆରେ ୨୦ ହଜାରରୁ ଅଧିକ ଶିଶୁଙ୍କୁ ମାଗଣାରେ ଗ୍ରହଣ ଖଣ୍ଡିଆ ଚିକିତ୍ସା ଯୋଗାଇ ଦିଆଯାଉଛି। ରାଜଧାନୀରେ ଏମ୍‌ସ ଓ କଳିଙ୍ଗ ହସ୍ପିଟାଲରେ ୪ହଜାରରୁ ଅଧିକ ଗ୍ରହଣ ଖଣ୍ଡିଆ ଶିଶୁଙ୍କ ଅସ୍ତ୍ରୋପଚାର କରାଯାଇଛି।

ସମ୍ବନ୍ଧିତ ଖବର