ସ୍ମାଇଲ ଅନଲକ୍‌ର ଅଭିନବ ପ୍ରୟାସ ‘ହ୍ୟାଣ୍ଡ ଅଫ୍ ହୋପ’ ଜରିଆରେ ଓଡ଼ିଶା ଫେରିଲେ ଦୁଇ ପ୍ରବାସୀ

ଭୁବନେଶ୍ବର: ଦେଶରେ କରୋନା ସଂକ୍ରମଣ ବୃଦ୍ଧି ଯୋଗୁଁ ଅନେକ ରାଜ୍ୟରେ ଏବେ ଲକ୍‌ଡାଉନ ଜାରି ରହିଛି। ସେଠାରେ କାମ କରୁଥିବା ଓଡ଼ିଆମାନେ ଫସି ରହିଛନ୍ତି। ସେମାନଙ୍କୁ ଉଦ୍ଧାର କରି ଓଡ଼ିଶାକୁ ଫେରାଇ ଆଣିବା ପାଇଁ ସ୍ମାଇଲ ଅନଲକ୍‌ ପକ୍ଷରୁ ଆରମ୍ଭ ହୋଇଛି ‘ହ୍ୟାଣ୍ଡ ଅଫ୍ ହୋପ୍’ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମରେ ଦୁଇଜଣ ପ୍ରବାସୀ ଓଡ଼ିଆଙ୍କୁ ଓଡ଼ିଶା ଫେରାଇ ଅଣାଯାଇଛି।। ସେମାନେ ହେଲେ, ବାରଙ୍ଗ ଅଞ୍ଚଳର ବିନୋଦ ବେଉରା ଓ ଯାଜପୁର ଜିଲ୍ଲା ସୁକିନ୍ଦାର ଦୀପକ। ମଧ୍ୟପ୍ରଦେଶ ଇନ୍ଦୋରରୁ ବିନୋଦଙ୍କୁ ଓ ଦୀପକଙ୍କୁ ଗୁଜରାଟର ସୁରତରୁ ଉଦ୍ଧାର କରାଯାଇଛି।

ପରିବାରରେ ଅସନ୍ତୋଷ ହେତୁ ବିନୋଦ ୧୫ ବର୍ଷ ପୂର୍ବେ ଘର ଛାଡ଼ି ମୁମ୍ବାଇରେ ଦିନ ମଜୁରିଆ ଭାବେ କାମ କରୁଥିଲେ। ପରେ ସେ କାମ ଆଶାରେ ସୁରତ ଚାଲି ଯାଇଥିଲେ। ସେଠାରେ ତାଙ୍କୁ କାମ ମିଳିଥିଲା ସତ ତା ସହ ମିଳିଥିଲା ଅକଥନୀୟ ଅତ୍ୟାଚାର। ଘରକୁ ଆସିବାକୁ ମଧ୍ୟ ତାଙ୍କୁ ଦିଆଯାଇନଥିଲା। ଫଳରେ ସେ ନିଜ ବାପା ଏବଂ ଦାଦାଙ୍କୁ ମଧ୍ୟ ଶେଷଥର ପାଇଁ ଦେଖିବାକୁ ଆସି ପାରିନଥିଲେ। ବିନୋଦଙ୍କ ବଡ଼ ଭାଇ ଏବେ ଲିଭର ରୋଗରେ ଆକ୍ରାନ୍ତ। ୯୦ ପ୍ରତିଶତ ଲିଭର୍ ନଷ୍ଟ ହୋଇଯାଇଥିବାରୁ ସେ ଏବେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏହି ଖବର ପାଇ ବିନୋଦ ଘରକୁ ଫେରିବା ପାଇଁ ଚାହିଥିଲେ। ଘରଲୋକ ମଧ୍ୟ ତାଙ୍କୁ ଫେରାଇ ଆଣିବା ପାଇଁ ଉଦ୍ୟମ କରି ବିଫଳ ହେବା ପରେ ସ୍ମାଇଲ ଅନଲକ୍‌ର ପ୍ରତିଷ୍ଠାତା ଯୁବ ଇଞ୍ଜିନିୟର ହୃଦାନନ୍ଦ ପୃଷ୍ଟିଙ୍କ ସହ ଯୋଗାଯୋଗ କରିଥିଲେ। ହୃଦାନନ୍ଦ ସୁରତ ପ୍ରଶାସନ ସହ କଥା ହୋଇ ବିନୋଦଙ୍କ ଫେରିବା ବ୍ୟବସ୍ଥା କରିଥିଲେ। ପ୍ରାୟ ୭ ଦିନର ମିସନ ପରେ ବିନୋଦ ଘରକୁ ଫେରିଥିଲେ।

ସେହିପରି ଦୀପକ ଇନ୍ଦୋରରେ ଜଣେ ଅପରେଟର୍ ଭାବେ କାମ କରନ୍ତି। ଦୀର୍ଘ ଦେଢ଼ ବର୍ଷ ହେବ ସେ ମଧ୍ୟ ଘରକୁ ଫେରି ପାରି ନଥିଲେ। ସ୍ମାଇଲ ଅନଲକ୍‌ ସଂସ୍ଥାର ‘ହ୍ୟାଣ୍ଡ ଅଫ୍ ହୋପ୍‌’ ଜରିଆରେ ଯୋଗାଯୋଗ କରିବା ଦ୍ବାରା ଦୀପକଙ୍କୁ ଉଦ୍ଧାର କରାଯାଇଥିବା କହିଛନ୍ତି ହୃଦାନନ୍ଦ। ହୃଦାନନ୍ଦ କହିଛନ୍ତି ଯେ ଯେଉଁ ପ୍ରବାସୀ ଓଡ଼ିଆମାନେ ଅନ୍ୟ ରାଜ୍ୟରେ ଫସି ରହିଛନ୍ତି ସେମାନେ ଫୋନ ନଂ. ୮୨୪୯୪୬୨୬୬୭ରେ ଯୋଗାଯୋଗ କଲେ ସେମାନଙ୍କୁ ଫେରାଇ ଆଣିବା ପାଇଁ ବ୍ୟବସ୍ଥା କରାଯିବ।

ସମ୍ବନ୍ଧିତ ଖବର