ଭୁବନେଶ୍ୱର: ବିଏମ୍ସି ମେୟର ପଦ ପାଇଁ କଳିଙ୍ଗସେନା ପକ୍ଷରୁ ପ୍ରତିଦ୍ୱନ୍ଦ୍ବିତା କରିବେ ଆଇନ ଛାତ୍ରୀ ସ୍ମିତା ମିଶ୍ର। ଆଜି ସାମ୍ବାଦିକ ସମ୍ମିଳନୀରେ ସେନା ସୁପ୍ରିମୋ ହେମନ୍ତ ରଥ ଏହି ସୂଚନା ଦେଇଛନ୍ତି। ଏହି ଅବସରରେ ଶ୍ରୀ ରଥ କହିଛନ୍ତି ଯେ କଳିଙ୍ଗସେନା ସବୁବେଳେ ଯୁବ ବର୍ଗଙ୍କୁ ପ୍ରାଧାନ୍ୟ ଦେଇଥାଏ। ସେହି ଆଧାରରେ ସୁଶ୍ରୀ ସ୍ମିତା ମିଶ୍ରଙ୍କୁ ବିଏମ୍ସିର ମେୟର ପ୍ରାର୍ଥୀ ହେବାକୁ ସୁଯୋଗ ଦିଆଯାଇଛି। ସୁଶ୍ରୀ ମିଶ୍ର ଏମ୍ବିଏ ପାସ୍ କରି ସାରିବା ପରେ ଏବେ ଆଇନର ଛାତ୍ରୀ। ବିଏମ୍ସି ପାଇଁ ଉଚ୍ଚଶିକ୍ଷିତ ପ୍ରାର୍ଥୀଙ୍କର ଆବଶ୍ୟକତା ରହିଛି।
ଏଣୁ ତାଙ୍କୁ ରାଜଧାନୀର ସବୁ ବର୍ଗ ପସନ୍ଦ କରିବେ ବୋଲି ସେ ଆଶା କରିଛନ୍ତି। ଖୁବ୍ ଶୀଘ୍ର ବିଭିନ୍ନ ୱାର୍ଡ କର୍ପୋରେଟର ପଦ ପାଇଁ ପ୍ରାର୍ଥୀ ଘୋଷଣା କରାଯିବ ବୋଲି ଶ୍ରୀ ରଥ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ମେୟର ପ୍ରାର୍ଥିନୀ ସ୍ମିତା ମିଶ୍ରଙ୍କ ସମେତ ସାଧାରଣ ସମ୍ପାଦକ ବିଜୟ ରାଜ୍, ମନୋଜ ନାୟକ, ଅବ୍ଦୁଲ୍ କୟୁମ୍ ଖାଁ, ଗୌରାଙ୍ଗ ପ୍ରଧାନ, ଅନୀତା ମିଶ୍ର, ପ୍ରଦୀପ ସାହୁ, ହୃଷୀକେଶ ସେନାପତି, ଶ୍ରୀକାନ୍ତ ଦାଶ, କ୍ଷୀରୋଦ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।