‘ସ୍ମିତା ଏକ୍ସପ୍ରେସନ୍‌’

ଭୁବନେଶ୍ବର: କାନ୍‌ଭାସ୍‌ରେ ଆଙ୍କି ହୋଇଥିବା ରଙ୍ଗତୂଳୀ କେବେ କହୁଥିଲା ଓଡ଼ିଶୀର କଥା, ପୁଣି ଦେଖାଉଥିଲା ପ୍ରକୃତିର ଚିତ୍ର। କେବେ ଦୁଇ ପ୍ରଜାପତିଙ୍କ ପ୍ରେମ ତ ପୁଣି ମଧୁର ବଂଶୀ ବଜାଇବାରେ ନିମଗ୍ନ ଶ୍ରୀକୃଷ୍ଣଙ୍କ ପଟ୍ଟଚିତ୍ର। କେବେ ପ୍ରତିବିମ୍ବ ତ’ କେବେ ପ୍ରକୃତିର ଅନନ୍ୟ ରୂପକୁ ରଙ୍ଗ ତୂଳୀରେ ଉତାରି ନିଜ କଳାକୁ ପ୍ରକାଶ କରିଛନ୍ତି ଚିତ୍ରଶିଳ୍ପୀ ସ୍ମିତା ଦାସ। ତାଲିମ୍‌ ନେଇ ନୁହେଁ ପ୍ରବଳ ଇଚ୍ଛାଶକ୍ତିରେ ନିଜ ପ୍ରତିଭାକୁ ମାର୍ଜିତ କରି କଳାପ୍ରେମୀଙ୍କୁ ଭେଟି ଦେଇଥିଲେ ‘ସ୍ମିତା ଏକ୍ସପ୍ରେସନ୍‌’। ଏହି ଏକକ ଚିତ୍ରକଳା ପ୍ରଦର୍ଶନୀରେ ସେ ନିଜ ଚିତ୍ରିତ ୨୪ଟି ଚିତ୍ରକଳାକୁ ସ୍ଥାନ ଦେଇଛନ୍ତି। ୩ ମାସର ପରିଶ୍ରମ ପରେ ସେ ଏପରି ସଫଳତା ଅର୍ଜନ କରିପାରିଛନ୍ତି। ଆଜି ଜୟଦେବ ଭବନଠାରେ ଆୟୋଜିତ ଏହି ଚିତ୍ରକଳା ପ୍ରଦର୍ଶନୀକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଉଦ୍‌ଘାଟନ କରିଥି‌ଲେ। ଏହି ଅବସରରେ ଶ୍ରୀ ଲାଲ୍‌ କହିଥିଲେ, ଓଡ଼ିଶାର ଇଷ୍ଟ ଦେବତା ଶ୍ରୀଜଗନ୍ନାଥଙ୍କୁ ସ୍ମରଣ କରି ବା ଧ୍ୟାନରେ ରଖି କରାଯାଇଥିବା ଚିତ୍ରକଳା ଚିତ୍ର ହୋଇ ରୁହେ ନାହିଁ। ତାହା କଥା କୁହେ। ଯାହାକି ସ୍ମିତା ଦାସଙ୍କ ଚିତ୍ରକଳା ପ୍ରଦର୍ଶନୀରୁ ଜାଣି ହେଉଛି। ପ୍ରଦର୍ଶନୀର ଉଦ୍‌ଘାଟନୀ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ସାଂସଦ ତଥାଗତ ସତପଥୀ ଓ ଅବରସପ୍ରାପ୍ତ ପ୍ରଶାସକ ସହଦେବ ସାହୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ଆସନ୍ତା କାଲି ସରିବ। ଆଗ୍ରହୀ କଳାପ୍ରେମୀମାନେ ଏହି ଚିତ୍ରକଳାଗୁଡ଼ିକୁ କ୍ରୟ ମଧ୍ୟ କରିପାରିବେ।

ସମ୍ବନ୍ଧିତ ଖବର