ଭୁବନେଶ୍ବର: ସାଧାରଣ ଜନତାଙ୍କୁ ବୃକ୍ଷ ସହ ଅନ୍ତରଙ୍ଗ ଭାବେ ଯୋଡ଼ିବା ଉଦ୍ଦେଶ୍ୟ ନେଇ ବନ ବିଭାଗର ପରିକଳ୍ପନାରୁ ଜନ୍ମ ନେଇଥିଲା ‘ସ୍ମୃତିବନ’। ପ୍ରିୟଜନଙ୍କ ସ୍ମୃତିକୁ ଉଜ୍ଜୀବିତ ରଖିବା ଉଦ୍ଦେଶ୍ୟରେ ସରକାରଙ୍କ ଏ ପରିକଳ୍ପନା ସବୁଆଡ଼େ ଖୁବ୍ ପ୍ରଶଂସା ପାଇଲା। ଲୋକେ ବି ନିଜ ପ୍ରିୟଜନଙ୍କ ଉଦ୍ଦେଶ୍ୟରେ ଗଛଟିଏ ଲଗାଇ ତା’ର ଲାଳନ ପାଳନ ପାଇଁ ଟଙ୍କା ପଇଠ କଲେ। କିଏ ନିଜ ସ୍ବର୍ଗୀୟ ମା’ଙ୍କ ସ୍ମୃତିସ୍ବରୂପ ଗଛଟିଏ ଲଗାଇଛି ତ କିଏ ନିଜ ପୁଅ ଅବା ଝିଅର ଜନ୍ମଦିନରେ ଗଛଟିଏ ଲଗାଇଛି। ସ୍ମୃତିବନରେ ତା’ ସ୍ମୃତିର ଗଛଟି ଯେ ସୁରକ୍ଷିତ ଅଛି, ତାହା ସେ ଧରିନେଇଛି। ମାତ୍ର ଶୁଣିଲେ ଆଶ୍ଚର୍ଯ୍ୟ ହେବେ, ସଂପ୍ରତି ତାରବାଡ଼ ହିଁ ସ୍ମୃତିବନକୁ ଜଗି ରହିଛି। ବାତ୍ୟା ‘ଫନି’ ତାଣ୍ଡବ ରଚି ଚାଲିଗଲା ପରେ ଭାଙ୍ଗି ଯାଇଥିବା ପାଚେରିକୁ ଏଯାଏଁ ସଜାଡ଼ି ପାରିନି ବନ ବିଭାଗ। ବାସ୍ତବରେ ଏ ବାବଦରେ ଟଙ୍କା ଖର୍ଚ କରିବାକୁ ଏପର୍ଯ୍ୟନ୍ତ ବିଭାଗ ପକ୍ଷରୁ ଆନ୍ତରିକତା ପ୍ରକାଶ ପାଇନାହିଁ। ବିଡ଼ମ୍ବନା ଏହି ଯେ ସ୍ମୃତିବନରେ ଏଇ କିଛି ମାସ ତଳେ ଲାଗିଥିବା ଗଛଗୁଡ଼ିକର ଚେର ବି ଏଯାଏଁ ମଜଭୁତ ହୋଇନାହିଁ। ଯଦିଓ ଏହାକୁ ଜଗିବାକୁ ଜଣେ ସୁରକ୍ଷାକର୍ମୀ ଫାଟକ ପାଖରେ ନିୟୋଜିତ ଅଛନ୍ତି। କିନ୍ତୁ ତାରବାଡ଼ର ଅବସ୍ଥା ଯେମିତି କେତେବେଳେ ଯେ ଏହା ଗାଈଗୋରୁଙ୍କ ପେଟର ଆହାର ନ ପାଲଟିବ, ତାହା କହିହେବ ନାହିଁ।
ପ୍ରାୟ ୪୦ ପ୍ରତିଶତ ପାଚେରି ଭୁଶୁଡ଼ି ପଡ଼ିଥିବାରୁ ଏହାକୁ କେମିତି ସୁରକ୍ଷା ଦିଆଯାଉଥିବ ତାହା ସହଜରେ ଅନୁମେୟ। ଏହି ବନ ପରିସରରେ ୧୧୫୦ଟି ଗଛ ଲାଗି ପାରିବାର ବ୍ୟବସ୍ଥା ଅଛି। ମିଳିଥିବା ସୂଚନା ମୁତାବକ, ବର୍ତମାନ ସୁଦ୍ଧା ୫୦୦ରୁ ଅଧିକ ଗଛ ଲାଗି ସାରିଲାଣି। ତେଣୁ ଯେଉଁ ମିଠା ପ୍ରତିଶ୍ରୁତି ସହ ଲୋକଙ୍କ ଆବେଗକୁ ଗଛ ଜରିଆରେ ବାନ୍ଧି ରଖି ସ୍ମୃତିବନର ପରିକଳ୍ପନା କରିଥିଲେ ତା’ର ପାଚେରିଟିଏ ପାଇଁ ସରକାରଙ୍କର ଏତେ କୁଣ୍ଠାବୋଧ କାହିଁକି ତାହା ସରକାର ଜାଣିଥିବେ। ଯଦି ଦୀର୍ଘ ୨ ମାସ ପରେ ବି ସରକାରଙ୍କର ଏନେଇ ନିଦ ଭାଙ୍ଗୁନି କିମ୍ବା ଲୁହା ତାର ବାଡ଼ରେ କାମ ଚଳେଇ ଦେବା ପାଇଁ ସରକାର ମନସ୍ଥ କରି ନେଇଛନ୍ତି, ତେବେ ଏ ସ୍ମୃତିବନ କେତେ ଦୀର୍ଘସ୍ଥାୟୀ ହେବ, ତାହା ଏଇଥିରୁ ସ୍ପଷ୍ଟ ଜଣାପଡ଼ୁଛି। ଖାଲି ସ୍ମୃତିବନ ନୁହେଁ, ପାତ୍ରପଡ଼ାସ୍ଥିତ ୧୫୦ଏକର ପରିମିତ ଔଷଧୀୟ ବୃକ୍ଷ ଜ୍ଞାନକେନ୍ଦ୍ରର ଅବସ୍ଥା ମଧ୍ୟ ତଦ୍ରୂପ। କୋଟିଏ ଟଙ୍କାର କ୍ଷୟକ୍ଷତି ହୋଇଥିବା ଆକଳନ ହୋଇଥିଲା। ୩୦୦ରୁ ଅଧିକ ପ୍ରଜାତିର ପ୍ରାୟ ୩୨ହଜାର ଔଷଧୀୟ ବୃକ୍ଷ ଥିଲେ ହେଁ ସେଥିମଧ୍ୟରୁ ପ୍ରାୟ ୧୬ହଜାର ପାଖାପାଖି ଔଷଧୀୟ ବୃକ୍ଷରାଜି ନଷ୍ଟ ହୋଇଯାଇଥିଲା। ମାତ୍ର ଏବେ ବି ଏଠାରେ ୧୫ହଜାରରୁ ଊର୍ଧ୍ବ ଗଛ ଭଲ ଅବସ୍ଥାରେ ଅଛି। କିନ୍ତୁ ଏତେବଡ଼ ଅଞ୍ଚଳକୁ ଘେରି ଯାଇଥିବା ପାଚେରିର ୨ଶହ ମିଟର ଭାଙ୍ଗି ପଡ଼ିଥିଲେ ହେଁ ତାହା ବି ଏଯାଏଁ ସଜଡ଼ା ଯାଇପାରୁନାହିଁ। ଏପରିକି ମୁଖ୍ୟ ଫାଟକ ସଂଲଗ୍ନ ପାଚେରିକୁ ସଜଡ଼ା ଯାଇନି କି ପାଚେରିର ଭଗ୍ନାବଶେଷ ଉଠି ପାରିନାହିଁ। ଏନେଇ ସହାୟକ ବନ ସଂରକ୍ଷକ ତଥା ଏସିଏଫ୍ ଗୋବିନ୍ଦ ଚନ୍ଦ୍ର ବିଶ୍ବାଳ କହିଛନ୍ତି, ଆମେ ଏ ବାବଦରେ ବିଭାଗକୁ ଅବଗତ କରାଇଛୁ। କିନ୍ତୁ ଏପର୍ଯ୍ୟନ୍ତ ଏ ବାବଦ ଖର୍ଚ ପାଇଁ ଟଙ୍କା ମିଳିନାହିଁ। ତେଣୁ ପାଚେରିକୁ ଲୁହା ତାର ବାଡ଼ ଦେଇ ବୁଜିବାକୁ ଚେଷ୍ଟା କରିଛୁ। ଏମିତିରେ ଫିକା ପଡ଼ି ଯାଇଛି ଦ୍ବିତୀୟ ସ୍ମୃତିବନର ସ୍ବପ୍ନ। ବାତ୍ୟା ବିତିବାର ୨ ମାସ ପରେ ବି ଗୋଟିଏ ସ୍ମୃତିବନକୁ ନିଜ ଆୟତ୍ତକୁ ଆଣିବାକୁ ସକ୍ଷମ ହୋଇପାରିନଥିବା ବନ ବିଭାଗ ଦ୍ବିତୀୟ ସ୍ମୃତିବନ କଥା ଯେମିତି ମନରୁ ପାସୋରି ଦେଇଛି। ଅବଶ୍ୟ ଏହାକୁ ନେଇ ସେତେବେଳେ କାମ କିଛି ବାଟ ଆଗେଇଥିଲା। ନହରକଣ୍ଟାରେ ଜାଗା ଚିହ୍ନଟ ହୋଇସାରିଥିବା କଥା ଶୁଣିବାକୁ ମିଳିଥିଲା। ସ୍ମୃତିବନରେ ଗଛ ଲଗାଇବାର ଆଗ୍ରହକୁ ଦେଖି ଏଭଳି ଏକ ପଦକ୍ଷେପ ନିଆଯାଇଥିବାରୁ ଏହା ସାକାର ହେବ ବୋଲି ଅନୁମାନ କରାଯାଉଥିଲା। ସବୁଠୁ ବଡ଼ କଥା ହେଲା, ବନ୍ୟଜନ୍ତୁ ସଂରକ୍ଷଣ କାଳରେ ମୃତ୍ୟୁବରଣ କରିଥିବା ଅଧିକାରୀ ଓ କର୍ମଚାରୀଙ୍କ ସ୍ମୃତିରେ ଏକ ସ୍ମାରକୀ ଟାୱାର ନିର୍ମାଣ ନେଇ ଯୋଜନା ହୋଇଥିଲା। ମାତ୍ର ସରକାର ଏହି ପ୍ରସ୍ତାବ ସମ୍ପର୍କରେ ଶୁଣି ମୁଣ୍ଡ ଟୁଙ୍ଗାରି ପରବର୍ତୀ ସମୟରେ ଏ କଥାକୁ ଭୁଲିଗଲେ। ଫଳରେ ଯେଉଁ ସ୍ମୃତିବନ ପାଇଁ ବନ ବିଭାଗ ବାଃ ବାଃ ସାଉଁଟିଥିଲା, ସେ ସାବାସୀ ସାଉଁଟିବାର ପ୍ରାଥମିକ ଦାୟିତ୍ବକୁ ଠିକ୍ ଭାବେ ନିଭାଇବା ପାଇଁ ବିଭାଗ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇନାହିଁ। ସରକାରଙ୍କ ପରିକଳ୍ପିତ ଯୋଜନା ଏବଂ ଏହାକୁ ସାକାର କରିବା ଦିଗରେ ବାସ୍ତବ ମାନସିକତା ମଧ୍ୟରେ ଏହା ହିଁ ଫରକ୍।