ମିଳୁନି ବିଦେଶୀ, ଦେଶୀମଦରେ କାମ ଚଳୁଛି

ମାଲାମାଲ୍ ଚୋରା ବେପାରୀ

ଚନ୍ଦ୍ରଶେଖରପୁର: ଲକ୍‌ଡାଉନ୍ ଯୋଗୁଁ ଖୋଲା ମଦ ଦୋକାନ ଓ ବାର୍ ବନ୍ଦ ରହିଛି। ଫଳରେ ଲକ୍ଷାଧିକ ଟଙ୍କାର ମଦ ଚୋରା ଚାଲାଣ ହେଉଛି। କିଛି ଅସାଧୁ ବ୍ୟବସାୟୀ ମଧ୍ୟ ପୁଲିସ୍ ହାବୁଡ଼ରେ ଧରାପଡ଼ି ଗିରଫ ହୋଇଛନ୍ତି। କିଛି ଫେରା‌ର ହୋଇଯାଇଛନ୍ତି। ଏଭଳି ସମୟରେ କିଛି ନିଶାଖୋର ବିଦେଶୀ ବଦଳରେ ଦେଶୀ ମଦରେ କାମ ଚଳାଇ ଦେଉଥିବାର ଦେଖିବାକୁ ମିଳୁଛି। ଚନ୍ଦ୍ରଶେଖରପୁର, ଇନ୍‌ଫୋସିଟି ଓ ମଞ୍ଚେଶ୍ବର ‌ଥାନା ଅଞ୍ଚଳରେ ବିପୁଳ ପରିମାଣରେ ଦେଶୀ ଭାଟି ମଦ, ମହୁଲି ମଦ ଓ ହାଣ୍ଡିଆ ବେପାର ଚାଲିଛି। ହାଣ୍ଡିଆ ହାଟରେ ଖୋଲାଖୋଲି ଏହି ବ୍ୟବସାୟ ହୋଇପାରୁନଥିବାରୁ ବ୍ୟବସାୟୀମାନେ ନିଜ ଘରକୁ ଗ୍ରାହକଙ୍କୁ ଅଲଗା ଅଲଗା ସମୟରେ ଡାକି ମଦ ବିକୁଛନ୍ତି।

ଏହା ସାଙ୍ଗକୁ କିଛି ସ୍ଥାନରେ ଚାଲିଛି ଗଞ୍ଜେଇ ଓ ଭାଙ୍ଗ ବେପାର। ସେଠାକୁ ସହରୀ ଲୋକମାନଙ୍କ ଭିଡ଼ ଲାଗୁଛି। ଆସ୍କା-୪୦ ମଦ କାରବାର ପେଣ୍ଠସ୍ଥଳୀ ଭାବରେ ପରିଚିତ ମଞ୍ଚେଶ୍ବର ଧିରିକୁଟି ପାତ୍ର ସାହିରେ ଚାଲିଛି ଖୁଲମଖୁଲା ବ୍ୟବସାୟ। ସେଠାରେ ବଡ଼ିଭୋର ଓ ରାତିରେ ନିଶାଡ଼ିମାନେ ଜମା ହେଉଛନ୍ତି। ଏହି ସ୍ଥାନରେ ଆସ୍କା ୪୦ ପ୍ରଚୁର ପରିମାଣରେ ମିଳୁଥିବାରୁ କିଛି ମାସ ପୂର୍ବେ ସ୍ଥାନୀୟ ଲୋକ ଭାଟିକୁ ବାଡ଼େଇ ଭାଙ୍ଗି ଦେଇଥିଲେ। ମାତ୍ର ଏନେଇ ସ୍ଥାନୀୟ ଥାନାରେ ସୂଚନା ଥିଲେ ମଧ୍ୟ ପୁଲିସ୍ ଉକ୍ତ ବସ୍ତିରେ ଦେଖାଣିଆ ଭାବେ ବେଳେବେଳେ ଚଢ଼ଉ କରିଥାଏ। କିଛିଦିନ ପରେ ପୁଣି ଏହି ବ୍ୟବସାୟ ଚାଲିଥାଏ। ସେହିଭଳି କିଟ୍ ‌ଛକରେ ଥିବା ଦେଶୀ ମଦ ଦୋକାନ ବନ୍ଦ ଥିବାରୁ ‌ବ୍ୟବସାୟୀ ଜଣକ ଦୋକାନ ବନ୍ଦରଖି ନିଜ ଘରେ ଆସ୍କା-୪୦ ଲୁଚାଇ ବ୍ୟବସାୟ କରୁଥିବା ଜଣାପଡ଼ିଛି। ଚୁନକୋଳି ବସ୍ତି, ଚିରଗାଲଟୋଲା ବସ୍ତି, କନ୍ୟାଶ୍ରମ ବସ୍ତି, ନୀଳାଦ୍ରିବିହାର ଜାରପା ବସ୍ତି, ମୈତ୍ରୀବିହାର ବିର୍ସାମୁଣ୍ଡା ବସ୍ତି, ମଞ୍ଚେଶ୍ବର ଲାଇନ୍ ସାହି ବସ୍ତିରେ ଦେଶୀ ମହୁଲି ମଦ ସାଙ୍ଗକୁ ହାଣ୍ଡିଆ ବ୍ୟବସାୟ ମଧ୍ୟ ଚାଲିଛି। ଲୋକମାନେ ଭାଟି ବସାଉଥିବା ଲୋକଙ୍କ ଘରକୁ ଆସି ନିଶା ପାନ କରୁଛନ୍ତି। ରଙ୍ଗମାଟିଆ ସ୍କୁଲରେ ପ୍ରତିଦିନ ସଂଧ୍ୟାରେ ସେହି ଗ୍ରାମର ଜଣେ ଯୁବକ ଗଞ୍ଜେଇ ବିକ୍ରି କରୁଥିବା ବେଳେ ଏନେଇ ମଞ୍ଚେଶ୍ବର ଥାନା ପୁଲିସ ନିକଟରେ କୌଣସି ଖବର ନାହିଁ। ମାତ୍ର ସ୍ଥାନୀୟ ଯୁବକ ‌ବାସି ବେହେରାଙ୍କ ସୂଚନା ଅନୁଯାୟୀ ଗ୍ରାମବାସୀ ବାରମ୍ବାର ବିରୋଧ କରୁଥିଲେ ମଧ୍ୟ ସମ୍ପୃକ୍ତ ଯୁବକ କାହାକୁ ଖାତିର ନକରି ସ୍କୁଲ ବାରଣ୍ଡାରେ ‌ଗଞ୍ଜେଇ ବ୍ୟବସାୟ କରୁଛି। ଡମଣା ସ୍କୁଲ୍ ନିକଟ ତାରିଣୀ ବସ୍ତିରେ ମଧ୍ୟ ଗଞ୍ଜେଇ ବ୍ୟବସାୟ ଚାଲିଛି। ରେଳୱେ କଲୋନି ଓ ଭିଏସ୍ଏସ୍ ନଗରରେ ବେଶ୍‌ କିଛି ଦିନହେବ ଛେନା ଦୋକାନ ଖୋଲାଯିବାରୁ ଏବେ ସେଠାରେ ଭାଙ୍ଗର ଆସର ଜମୁଛି। ଏହି ସବୁ ବ୍ୟବସାୟ ପାଇଁ ବ୍ୟବସାୟୀମାନେ ବେଳେବେଳ ପୁଲିସ୍ ଆଖିରେ ଧୂଳିଦେଇ ଖସି ଯାଉଥିବା ବେଳେ ଅନେକ ସ୍ଥାନରେ ପାଟ୍ରୋଲିଂ କରୁଥିବା ପୁଲିସ୍ ବାବୁଙ୍କୁ ହାତଗୁଞ୍ଜା ଦେଇ ବ୍ୟବସାୟ ଚଲାଉଥିବା ଭିଏସ୍ଏସ୍ ନଗର ମହାବୀର କଲୋନି ବାସିନ୍ଦା ରାଜୀବ ମହନ୍ତ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର