ଫିଲ୍ମ ଦୁନିଆରୁ ଚୋରା ମଦ କାରବାର: ୧୮ ଲିଟର ବିଦେଶୀ ମଦ, ୪୭୦୦ ଟଙ୍କା ଜବତ

କାର ସହ ଗିଟୁ ଓ ସହଯୋଗୀ ଗିରଫ, ଅନ୍ୟ ସହଯୋଗୀଙ୍କୁ ଖୋଜୁଛି ପୁଲିସ

ଭୁବନେଶ୍ବର: ଲକ୍‌ଡାଉନ୍‌‌ରେ ମଦ ଦୋକାନ ବନ୍ଦ ଥିବା ବେଳେ ଚୋରା ମଦ କାରବାର ବଢ଼ି ଯାଇଛି। ଉପକଣ୍ଠ ଅଞ୍ଚଳରୁ ବିପୁଳ ପରିମାଣର ମଦ ରାଜଧାନୀକୁ ଚାଲାଣ ହେଉଥିବା ଅଭିଯୋଗ ହେଉଛି। ଏହି କାରବାରରେ ଫିଲ୍ମ ଦୁନିଆରେ ସକ୍ରିୟ ଥିବା ପ୍ରଦୀପ୍ତ ସ୍ବାଇଁ ଓରଫ୍ ଗିଟୁ ପୁଲିସ ଜାଲରେ ପଡ଼ି ଯାଇଛି। ନିଜ କାର୍‌ରେ ମଦ ଚୋରା ଚାଲାଣ କରୁଥିବା ବେଳେ ବରମୁଣ୍ଡାରୁ ଗିଟୁକୁ ଗିରଫ କରିଛି କମିସନରେଟ ପୁଲିସର କୁଇକ୍ ଆକ୍ସନ ଟିମ୍ (କ୍ୟୁଏଟି)। ୧୮ ଲିଟର ବିଦେଶୀ ମଦ ସହ ଗିଟୁର କ୍ରେଟା କାର(ଓଡି୦୨ଏୟୁ-୦୦୫୨)କୁ ଜବତ କରିଛି ପୁଲିସ। ଏହି ଘଟଣାରେ ଗିଟୁର ଜଣେ ସହଯୋଗୀ ସତ୍ୟବ୍ରତ ସାହୁ ଓରଫ୍ ଜଗାକୁ ବି ଗିରଫ କରିଛି ପୁଲିସ। ସେମାନଙ୍କଠାରୁ ୪ ହଜାର ୭ ଶହ ଟଙ୍କା, ମୋବାଇଲ ଫୋନ୍ ଜବତ ହୋଇଛି। ମିଳିଥିବା ସୂଚନା ଅନୁସାରେ, ଗିଟୁ ଖୋର୍ଦ୍ଧା ଜଙ୍କିଆ ଅଞ୍ଚଳରୁ ଚୋରା ମଦ ଆଣି ରାଜଧାନୀରେ ବିକ୍ରି କରୁଥିଲା। ରୁଚିକା ମାର୍କେଟର ଏକ ଚାଳିଆ ଦୋକାନରେ ମଦ ରଖୁଥିଲା। ଏ ନେଇ କ୍ୟୁଏଟି ପାଖରେ ଖବର ପହଞ୍ଚିଥିଲା। କ୍ୟୁଏଟିର ଜଣେ ସଦସ୍ୟ ଗ୍ରାହକ ବେଶରେ ଯାଇ ରୁଚିକା ମାର୍କେଟରୁ ଗିଟୁଠାରୁ ମଦ କିଣିଥିଲେ। ଏହା ପରେ କ୍ୟୁଏଟି ସେଠାରେ ଚଢ଼ଉ କରି ଗିଟୁ ଓ ତା’ ସହଯୋଗୀ ଜଗାକୁ ଗିରଫ କରିଥିଲା। ପଚରାଉଚରା ପରେ ଗିଟୁ କାର୍‌ରେ କିଛି ମଦ ରହିଥିବା କ୍ୟୁଏଟି ଜାଣିବାକୁ ପାଇଥିଲା। ଚଢ଼ଉ ପରେ କାର ଓ ମଦକୁ ଜବତ କରିଥିଲା। ଏ ନେଇ ଖଣ୍ଡଗିରି ଥାନା ପୁଲିସ ମାମଲା ରୁଜୁ କରିବା ସହ ଦୁଇ ଜଣଙ୍କୁ କୋର୍ଟ ଚାଲାଣ କରିଛି। ଗିଟୁ ସହ ଆଉ କିଏ ସମ୍ପୃକ୍ତ ଅଛନ୍ତି ପୁଲିସ ଖୋଜୁଛି। ଗିଟୁ ଏହି ମଦ ଲାଇସେନ୍ସପ୍ରାପ୍ତ ବେପାରୀଙ୍କଠାରୁ ଆଣିଥିଲା ନା ମଦ ମାଫିଆଙ୍କଠାରୁ ଆଣିଥିଲା, ତାହା ସ୍ପଷ୍ଟ ହୋଇପାରିନାହିଁ।

କାଷ୍ଟିଂ କାଉଚ୍ ମାମଲାରେ ଗିରଫ ହୋଇଥିଲା
ଜଣେ ନାବାଳିକାଙ୍କୁ ଫିଲ୍ମରେ କାମ କରାଇଦେବା ବାହାନାରେ ୨୦୧୬ରେ ପପୁ ପମ୍‌ପମ୍‌ଙ୍କ ବିରୋଧରେ କାଷ୍ଟିଂ କାଉଚ୍ ଅଭିଯୋଗ ଆସିଥିଲା। ଏହି ମାମଲାରେ କମିସନରେଟ୍‌ ପୁଲିସର ସ୍ପେସାଲ୍‌ ସ୍କ୍ବାଡ୍ ୨୦୧୬ ଜୁନ୍ ୩୦ରେ ପୁରୀ ନୀଳାଚଳ ଆପାର୍ଟମେଣ୍ଟରୁ ପପୁ ପମପମ୍ ଓ ସହଯୋଗୀ ଗିଟୁକୁ ଗିରଫ କରିଥିଲା। ଉଭୟ ଝାରପଡ଼ା ଜେଲ୍ ଯାଇଥିଲେ। ପପୁଙ୍କ ଖାସ୍‌ ସହଯୋଗୀ ଭାବେ ଗିଟୁ ବେଶ୍ ଜଣାଶୁଣା। ପପୁଙ୍କ ପାଖେ ପାଖେ ଗିଟୁ ସବୁ ବେଳେ ରହିଥାଏ। ଗିଟୁ ନାଁରେ ପୂର୍ବରୁ ଅନେକ ଅଭିଯୋଗ ରହିଛି।

ସନ୍ଦେହଘେରରେ କ୍ରେଟା ମାଲିକ
ଜବତ ହୋଇଥିବା ହ୍ୟୁଣ୍ଡାଇ କ୍ରେଟା କାର୍‌ ଜଗନ୍ନାଥ ରାଉତଙ୍କ ନାଁରେ ରହିଛି। ଏହି କାରରୁ ବିପୁଳ ମଦ ସହ ଗିଟୁକୁ ଗିରଫ କରିଛି ପୁଲିସ। ଏହି ଗାଡ଼ିରେ ଗିଟୁଙ୍କର ଜଣେ ସହଯୋଗୀ ବୁଲୁଥିବା ପୁଲିସ ଜାଣିବାକୁ ପାଇଛି। ଜଗନ୍ନାଥ ରାଉତ କିଏ, ମଦ କାରବାରରେ ତାଙ୍କର ଭୂମିକା କ’ଣ, ଗିଟୁ ସହ ଜଗନ୍ନାଥଙ୍କ ସମ୍ପର୍କ କ’ଣ, ସେ ନେଇ ପୁଲିସ ଖୋଳତାଡ଼ ଚଳାଇଛି। ଏହି ମାମଲାରେ ଗାଡ଼ି ମାଲିକଙ୍କ ବିରୋଧରେ ପୁଲିସ କାର୍ଯ୍ୟାନୁଷ୍ଠାନ ନେବ କି ସେ ନେଇ ପ୍ରଶ୍ନ ଉଠିଛି।

ଶୋଇ ପଡ଼ିଛି ଅବକାରୀ ବିଭାଗ!
ରାଜଧାନୀ ଏବେ ଚୋରା ମଦ କାରବାରର ପେଣ୍ଠସ୍ଥଳ ପାଲଟି ଯାଇଛି। ଲକ୍‌ଡାଉନ୍‌ ପରଠାରୁ ରାଜଧାନୀର ସବୁଆଡ଼େ ଚୋରା ବିଦେଶୀ ଓ ଦେଶୀ ମଦ କାରବାର ବଢ଼ି ଯାଇଛି। ଲକ୍‌ଡାଉନ୍‌ ପରଠାରୁ ବନ୍ଦ ରହିଥିବା ଲାଇସେନ୍ସପ୍ରାପ୍ତ ମଦ ଦୋକାନରୁ ବିପୁଳ ପରିମାଣର ମଦ ଚାଲାଣ ହେଉଥିବା ଅଭିଯୋଗ ଆସିଛି। ଚୋରା ବେପାରୀଙ୍କ ସହ ହାତ ମିଳାଇ ମଦ ଦୋକାନ ମାଲିକ ଲକ୍ଷାଧିକ ଟଙ୍କାର ମଦ ବିକି ମୁନାଫା ନେଉଛନ୍ତି। ନକଲି ଅପମିଶ୍ରିତ ମଦର ଚୋରା ଚାଲାଣ ଚାଲିଛି। ଅସଲି ବ୍ରାଣ୍ଡରେ ନକଲି ମଦ ତିଆରି ହୋଇ ବିକ୍ରି ଚାଲିଛି। ପୁଲିସ ମଦ ଜବତ କରୁଥିବା ବେଳେ ଅବକାରୀ ବିଭାଗ ନିଦରେ ଶୋଇ ପଡ଼ିଛି। ଅବକାରୀ ବିଭାଗ ଭୂମିକା ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର