ବିରଳ ଡାଳିବୋଡ଼ା କାମୁଡ଼ାରେ ମହିଳା ଗୁରୁତର, ଉଦ୍ଭାବନ ହୋଇନି ପ୍ରତି‌ଷେଧକ ଇଂଜେକ୍ସନ୍‌, ଚିନ୍ତାରେ ପରିବାର

ବାରଙ୍ଗ: ଚନ୍ଦକା ଥାନା ଅଞ୍ଚଳ ଭୋଳା ଗ୍ରାମର ମହିଳା ପୁଷ୍ପଲତା ବେହେରା(୪୫) ବିରଳ ବାମ୍ପ୍ରୋପିଟ୍ ବା ଡାଳିବୋଡା ସାପ କାମୁଡ଼ାରେ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେ ଆଜି ଅପରାହ୍‌ଣ ପ୍ରାୟ ୪ଟା ବେଳେ ଘରର ଗେଟ୍ ଖୋଲିବା ବେଳେ ଉପରୁ ସାପଟି ତାଙ୍କ ହାତ ଉପରେ ପଡ଼ିଯିବା ସହ ଚୋଟ ମାରିଥିଲା। ତେବେ ଏହି ପ୍ରଜା‌ତିର ସାପ କାମୁଡ଼ା ପାଇଁ ବର୍ତ୍ତମାନ ସୁଦ୍ଧା କୌଣସି ଇଂଜେକ୍ସନ୍‌ର ଉଦ୍ଭାବନ ହୋଇ ନ ଥିବାରୁ ପୁଷ୍ପଲତା ଓ ତାଙ୍କ ପରିବାର ଚିନ୍ତାରେ ଅଛନ୍ତି।

ଡାକ୍ତର ତାଙ୍କୁ ବୋଡ଼ା ସାପ କାମୁଡ଼ା ଇଂଜେକ୍ସନ୍‌ ଦେଇ ଚିକିତ୍ସା କରୁଛନ୍ତି। ଡାକ୍ତରଖାନାରେ ତାଙ୍କୁ ଆଉ କିଛି ଦିନ ଚିକିତ୍ସାଧୀନ ରହିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ଏହି ସାପଟି ଏସିଆ ମହାଦେଶର ଜଙ୍ଗଲରେ ଦେଖା ଯାଉଥିବା ଏକ ବିଲୁପ୍ତପ୍ରାୟ ଭେନମସ ପିଟ୍ ଭାଇପର୍‌ ବା ବିଷାକ୍ତ ସାପ। ଇଂରାଜୀ ନାମ ବାମ୍ପ୍ରୋପିଟ୍ ବା ଡାଳିବୋଡା ପ୍ରଜାତିର। ଅପରପକ୍ଷେ ସ୍ନେକ୍‌ହେଲପ୍ ଲାଇନ୍ ସଦସ୍ୟ ଆଶିଷ ବେହେରା ସାପଟିକୁ ମହିଳାଙ୍କ ଘରୁ ଉଦ୍ଧାର କରିଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର