ଚିନ୍ତା ବଢ଼ାଇଲେଣି ବନ୍ୟା ଜଳ ସୁଅରେ ଭାସି ଆସିଥିବା ସାପ

ଭୁବନେଶ୍ୱର : ବନ୍ୟା ଯୋଗୁଁ ଏବେ ବି ରାଜ୍ୟର ଅଧିକାଂଶ ଅଞ୍ଚଳ ଜଳବନ୍ଦୀ ହୋଇ ରହିଛି। ରାସ୍ତାଘାଟଠୁ ନେଇ ଘରେ ପାଣି ଜମି ରହିଛି। ଫଳରେ କିଛି ଅଞ୍ଚଳରେ ସାପଙ୍କ ଉପଦ୍ରବ ବଢ଼ିଚାଲିଛି। ମୁଖ୍ୟତଃ ସାପ ଗାତରେ ପାଣି ପଶିଯିବା ଏବଂ ବନ୍ୟା ଜଳ ସୁଅରେ ସାପମାନେ ଭାସି ଆସିବା ପରେ ସେମାନେ ନଦୀ ବନ୍ଧ ଓ ଢିପ ସ୍ଥାନରେ ଚଳପ୍ରଚଳ କରୁଛନ୍ତି। ଶୁଖିଲା ଜାଗା ସନ୍ଧାନରେ ସାପମାନେ ଘରେ ପଶିଯାଉଛନ୍ତି। ଏପରି କି ବନ୍ୟା ସୁଅରେ ଭାସି ଆସିଥିବା ସାପ ବଡ଼ ବଡ଼ ଗଛମାନଙ୍କରେ ରହି ଯାଇଥିବା ଦେଖାଯାଇଛି। ବନ୍ୟା ଜଳ ଘରେ ପଶିଯିବା ପରେ ଅନେକ ବନ୍ଧ ଉପରେ ଆଶ୍ରୟ ନେଉଛନ୍ତି। ସାଙ୍ଗରେ କୁକୁଡ଼ା, ବତକ, ଛେଳି, ମେଣ୍ଢାଙ୍କୁ ମଧ୍ୟ ଆଣିଛନ୍ତି। ଯାହା ବନ୍ୟା ଯୋଗୁଁ ଭୋକିଲା ଥିବା ସାପଙ୍କୁ ଆକର୍ଷିତ କରିବା ସ୍ବାଭାବିକ କଥା। ତେଣୁ ବନ୍ୟା ଜଳ ଛାଡ଼ିବା ପର୍ଯ୍ୟନ୍ତ ଓ ପରେ ସାବଧାନତା ଆପଣାଇବା ନିତାନ୍ତ ଆବଶ୍ୟକ ବୋଲି ସ୍ନେକ୍‌ ହେଲ୍‌ପ ଲାଇନ୍‌ର ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି।

କ’ଣ ସାବଧାନତା ଆପଣାଇବେ?
ଯେଉଁ ନଦୀ ବନ୍ଧରେ ବା ଶୁଖିଲା ସ୍ଥାନରେ ମଣିଷମାନେ ଆଶ୍ରୟ ନେଉଛନ୍ତି, ସେମାନେ ପ୍ରାୟତଃ ପଲିଥିନରେ ତମ୍ବୁ କରି ଆଶ୍ରୟ ନେଉଛନ୍ତି। କୁକୁଡ଼ା ବତକ ଆଦି ପ୍ରାଣୀଙ୍କୁ ଚୋରି ଭୟରେ ନିଜ ପାଖେ ରଖୁଥିବାରୁ ସେଠାକୁ ସାପ ଯିବାର ସମ୍ଭାବନା ଅଧିକ। ତେଣୁ ଏଥିରୁ କ୍ଷାନ୍ତ ରହିବା ଆବଶ୍ୟକ। ବନ୍ୟା ସ୍ଥିତିରେ ସୁଧାର ଆସିବା ପରେ ଘରକୁ ଫେରିବା ପୂର୍ବରୁ ସାପ କେଉଁଠି ରହିଯାଇଛି କି ନାହିଁ ପରଖି ଉଚିତ୍‌। ଯଦି ଚାଳ ବା ଆଜବେଷ୍ଟସ୍ ଘର ହୋଇଥାଏ ତେବେ ସାପଙ୍କୁ ଲୁଚିବା ପାଇଁ ଛପର ତଳେ ଢେର୍‌ ଜାଗା ମିଳିଯାଇଥାଏ। ରହୁଥିବା ତମ୍ବୁ ଓ କୁକୁଡ଼ା ବତକଙ୍କ ଚାରିପାଖରେ ମାଛ ଜାଲ ବିଛାଗଲେ ସାପ ପ୍ରବେଶ କରିବା ସମ୍ଭବ ହୁଏନାହିଁ। ବ୍ଲିଚିଂ ଓ କଳା ଫିନାଇଲ୍‌ର ବ୍ୟବହାର କରିବା ବହୁ ପରିମାଣରେ ଫଳପ୍ରଦ ହୁଏ।

ଭୋକିଲା ହେତୁ ସାପ କ୍ରୋଧରେ ଥାଏ
ବନ୍ୟା ସୁଅରେ ଅଜଣା ଜାଗାକୁ ଭାସି ଆସୁଥିବାରୁ ସାପ ଖାଦ୍ୟ ନପାଇ ଭୋକିଲା ଥାଏ। ଏ ସମୟରେ ତା’ର କ୍ରୋଧ ଅଧିକ ହୋଇଥାଏ। ତେଣୁ ସାବଧାନତା ପରଖିବା ଆବଶ୍ୟକ। ପାଣିରେ ‌ଚଳପ୍ରଚଳ ପାଇଁ ବାଉଁଶ ଭେଳା ବ୍ୟବହାର ଦେଖିବାକୁ ମିଳେ। ତେଣୁ ସାପ ମଧ୍ୟ ଏହି ଭେଳା ପାଖକୁ ଆସିବାର ସମ୍ଭାବନା ଥାଏ। ଏଭଳି ସ୍ଥଳେ ସାପର ଆକ୍ରମଣରୁ ବର୍ତିବା ପାଇଁ ଶକ୍ତ ଲମ୍ବା ବାଡ଼ିଟିଏ ପାଖରେ ରଖିବା ଉଚିତ୍‌।

ଯାତାୟାତ ବିଚ୍ଛିନ୍ନ ଯୋଗୁଁ ବିପଦ ଅଧିକ
ବନ୍ୟାରେ ରାସ୍ତାଘାଟ ବୁଡ଼ି ରହିଥିବାରୁ ଯାତାୟାତ ବିଚ୍ଛିନ୍ନ ହୋଇଯାଏ। ତେଣୁ ବିଷଧର ସାପ କାମୁଡ଼ିଲେ ‌ବନ୍ୟା ଜଳମଗ୍ନ ଅଞ୍ଚଳରୁ ମେଡିକାଲ୍‌ରେ ଯିବା କଷ୍ଟକର ହୋଇପଡ଼େ। ଏଥିପାଇଁ ପୂର୍ବ ସତର୍କତା ଅତ୍ୟନ୍ତ ଜରୁରୀ। ଯେଉଁ ବ୍ୟକ୍ତିଙ୍କୁ ସାପ କାମୁଡ଼ିଥିବ ସେ ଯେତେ ପହଁରାଳି ହେଲେ ମଧ୍ୟ ବନ୍ୟା ପାଣିରେ ପହଁରି ରାସ୍ତା ଅତିକ୍ରମ କରିବା ଉଚିତ୍‌ ନୁହେଁ। ପହଁରିବାରେ ଯେତିକି ଶାରୀରିକ ପରିଶ୍ରମ ହେବ, ବିଷ ସେତେ ଶୀଘ୍ର ଦେହରେ ଖେଳିଯିବ। ତେଣୁ ସାପ କାମୁଡ଼ିଥିବା ବ୍ୟକ୍ତିକୁ କିଭଳି ଭେଳା ସାହାଯ୍ୟରେ ପାଣି ଘେରରୁ ବାହାର କରି ଅଣାଯାଇପାରିବ ସେନେଇ ଉଦ୍ୟମ ହେବା ଆବଶ୍ୟକ ବୋଲି ଶ୍ରୀ ମଲ୍ଲିକ କହିଛନ୍ତି।

ମାଛ ଗନ୍ଧରେ ଆକୃଷ୍ଟ ହୁଅନ୍ତି
ବନ୍ୟା ବେଳେ ବନ୍ଧ ବା ଶୁଖିଲା ସ୍ଥାନରେ ଆଶ୍ରିତ ଲୋକେ ମାଛ ଧରୁଥିବା ଦେଖିବାକୁ ମିଳୁଛି। ବନ୍ୟା ଜଳରେ ପ୍ରବଳ ମାଛ ଭାସି ଆସୁଥିବାରୁ ଧରିବା ପାଇଁ ପ୍ରତିଯୋଗିତା ହୁଏ। କିଛି ଲୋକ ମାଛକୁ ଶୁଖୁଆ କରିବା ପାଇଁ ଆଶ୍ରୟ ନେଇଥିବା ତମ୍ବୁ ପାଖରେ ଶୁଖାଇ ଦିଅନ୍ତି। ସାପମାନେ ଏହି ମଲା ମାଛ ଆଡ଼କୁ ମଧ୍ୟ ଆକୃଷ୍ଟ ହୁଅନ୍ତି। ତେଣୁ ବଳକା ମାଛକୁ କେବେ ବି ‌ତମ୍ବୁ ନିକଟରେ ନ ଶୁଖାଇ ଖୋଲା ସ୍ଥାନରେ ରଖିବା ଆବଶ୍ୟକ।

ସମ୍ବନ୍ଧିତ ଖବର