ନର୍ଦମା ଜାଲିରେ ଫଶି ନାଗ ହଟହଟା

ଭୁବନେଶ୍ୱର: ଆଜି ଏକ ନାଗ ସାପ ବେଙ୍ଗ ଲୋଭରେ ଏକ ନର୍ଦମା ଭିତରକୁ ପଶିଯାଇ ହଟହଟା ହୋଇଛି। ଟଙ୍କପାଣି ରୋଡ୍‌ ରାଜାରାଣୀ କଲୋନିସ୍ଥିତ ସାରଦେଶ୍ୱରୀ ମନ୍ଦିରକୁ ସଂଯୁକ୍ତ ଥିବା ଅଣ ଓସାରିଆ ନାଳ ଭିତରକୁ ପଶି ଯାଇଥିବା ଅଢ଼େଇ ଫୁଟର ନାଗଟି ଏକ ବେଙ୍ଗ ଖାଇ ଦେବା ପରେ ଆଉ ପଛକୁ ବୁଲି ଫେରିବାକୁ ଚେଷ୍ଟା କରି ବିଫଳ ହୋଇଥିଲା। ମନ୍ଦିରର ପୂଜକ ରବିନାରାୟଣ ରଥ ଏହା ଦେଖିବା ପରେ ସ୍ନେକ୍‌ ହେଲ୍‌ପ ଲାଇନ୍‌ର ସଦସ୍ୟ ଅରୁଣ ବରାଳଙ୍କୁ ଯୋଗାଯୋଗ କରି ଡାକିଥିଲେ। ଅରୁଣ ସ୍ନେକ୍‌ ହେଲ୍‌ପ ଲାଇନ୍‌ର ସମ୍ପାଦକ ଶୁଭେନ୍ଦୁ ମଲ୍ଲିକଙ୍କ ସହ ସେଠାରେ ପହଞ୍ଚି ନାଳ ଭାଙ୍ଗି ସାପକୁ ଉଦ୍ଧାର କରିଥିଲେ। ତେବେ ଛାଟିପିଟି ହୋଇଥିବାରୁ ସାପର ଚମରେ କ୍ଷତ ସୃଷ୍ଟି ହୋଇଥିଲା। ସାପକୁ ସେଠାରୁ ଓୟୁଏଟି ଭେଟେରିନାରିକୁ ନିଆ ଯାଇଥିଲା। ସର୍ଜରି ଓ ରେଡିଓଲୋଜି ବିଭାଗର ସହକାରୀ ପ୍ରଫେସର ଡାକ୍ତର ବିଶ୍ୱଦୀପ ଜେନା ଏକ୍ସରେ କରିଥିଲେ। ସାପର ୮ଟି ସ୍ଥାନରେ ଷ୍ଟିଚ୍‌ ହୋଇଥିବା ବେଳେ ତାକୁ ପର୍ଯ୍ୟବେକ୍ଷଣରେ ରଖାଯାଇଛି ବୋଲି ଶ୍ରୀ ମଲ୍ଲିକ କହିଛନ୍ତି।

ସମ୍ବନ୍ଧିତ ଖବର