ଭୁବନେଶ୍ବର : ଓୟୁଏଟି ହଷ୍ଟେଲରେ ହୋଇଥିବା ବିଏମ୍ସିର ସଙ୍ଗରୋଧ କେନ୍ଦ୍ରରେ ଆଜି ଏକ ସାପ ଉଦ୍ଧାର କରାଯାଇଛି। ସଙ୍ଗରୋଧ କେନ୍ଦ୍ରର ଶୌଚାଳୟ ପରିସରରେ ଏକ ସାପ ଥିବା ନେଇ ଅନ୍ତେବାସୀମାନେ ହୋହଲ୍ଲା କରିବା ପରେ ସ୍ନେକ୍ ହେଲ୍ପ ଲାଇନ୍ ସଦସ୍ୟମାନେ ଶୌଚାଳୟରୁ ଏକ ଢମଣା ସାପ ଉଦ୍ଧାର କରିଥିଲେ। ଅପରପକ୍ଷେ ବିଏମ୍ସି ପକ୍ଷରୁ ଓୟୁଏଟିର ହଷ୍ଟେଲ ୪,୫ ଓ ୯ରେ ସଙ୍ଗରୋଧ କେନ୍ଦ୍ର କରାଯାଇଥିବାବେଳେ ଏଗୁଡ଼ିକ ବିପଦସଙ୍କୁଳ ଅବସ୍ଥାରେ ଅଛି। ଏପରିକି ଏଗୁଡ଼ିକ ଭାଙ୍ଗିବାକୁ ନିକଟରେ ଓୟୁଏଟି କର୍ତ୍ତୃପକ୍ଷ ରାଜ୍ୟ ସରକାରଙ୍କୁ ଜଣାଇଥିଲେ। ଆଉ ଏହିଭଳି ବିପଦସଙ୍କୁଳ କୋଠାରେ ବିଏମ୍ସି ସଙ୍ଗରୋଧ କେନ୍ଦ୍ର କରିଥିବାବେଳେ ନିକଟସ୍ଥ ବଣରୁ ସାପ ଆସି ଏଠାରେ ପଶିଥିଲେ। ସଙ୍ଗରୋଧ ଥିବା ଲୋକମାନଙ୍କ ପାଖକୁ ବିଏମ୍ସି କର୍ମଚାରୀ ଯାଉନଥିବାବେଳେ ଯଦି କିଛି ଅଘଟଣ ଘଟେ ତେବେ ସ୍ଥିତି ଅଣାୟତ୍ତ ହୋଇଯିବ। ବିଏମ୍ସି ପକ୍ଷରୁ କୁହାଯାଇଛି ଯେ, ଖୁବ୍ ଶୀଘ୍ର ସମସ୍ତ ଅନ୍ତେବାସୀଙ୍କୁ ହଷ୍ଟେଲ୍ ନଂ ୧କୁ ସ୍ଥାନାନ୍ତର କରାଯିବ। ପୂର୍ତ୍ତ ବିଭାଗ ପକ୍ଷରୁ ହଷ୍ଟେଲ ୪, ୫ ଓ ୯ର ମରାମତି କରାଯିବ। ଖୁବ୍ ଶୀଘ୍ର ମରାମତି ଶେଷ ହେଲେ ଅନ୍ତେବାସୀଙ୍କୁ ପୁଣି ସ୍ଥାନାନ୍ତର କରାଯିବ।
ସଙ୍ଗରୋଧ କେନ୍ଦ୍ରରେ ୫୬, ଗଲେଣି ୩୬
ଭୁବନେଶ୍ବର : କରୋନା ଆକ୍ରାନ୍ତ ସନ୍ଦେହରେ ବିଏମ୍ସି ପକ୍ଷରୁ ଆଜି ପର୍ଯ୍ୟନ୍ତ ୯୨ଜଣଙ୍କୁ ସଙ୍ଗରୋଧ କେନ୍ଦ୍ରରେ ରଖାଯାଇଛି। ବିଏମ୍ସି ପକ୍ଷରୁ ଓୟୁଏଟିର ୪ଟି ହଷ୍ଟେଲରେ ଏବଂ ଯାତ୍ରୀନିବାସରେ ଲୋକମାନଙ୍କୁ ରଖାଯାଉଥିବାବେଳେ ଏବେ ଓୟୁଏଟି ହଷ୍ଟେଲରେ ୫୬ଜଣ ସଙ୍ଗରୋଧ ଅବସ୍ଥାରେ ଅଛନ୍ତି। ସମସ୍ତଙ୍କର ରକ୍ତ ପରୀକ୍ଷା ନିୟମିତ ବ୍ୟବଧାନରେ ହେଉଥିବାବେଳେ ବିଏମ୍ସି ପକ୍ଷରୁ ସମସ୍ତ ପ୍ରକାରର ସୁବିଧା ସୁଯୋଗ ଯୋଗାଯାଉଛି। ବିଏମ୍ସିରୁ ମିଳଥିବା ସୂଚନା ଅନୁଯାୟୀ, ଯାତ୍ରୀନିବାସରେ ୧୧ଜଣ ସଙ୍ଗରୋଧରେ ଥିଲେ। ସେମାନଙ୍କୁ ୧୪ଦିନ ରଖାଗଲା। ଏହାଭିତରେ ଏକାଧିକ ଥର କୋଭିଡ-୧୯ ପରୀକ୍ଷା କରାଯାଇଥିଲେ ହେଁ ନେଗେଟିଭ୍ ଆସିଥିଲା। ଏହାପରେ ସେମାନଙ୍କୁ ଛାଡ଼ି ଦିଆଯାଇଥିଲା। ସେହିପରି ଓୟୁଏଟିସ୍ଥିତ ସଙ୍ଗରୋଧ କେନ୍ଦ୍ରରେ ୮୨ଜଣ ଥିବାବେଳେ ଏବେ ୫୬ଜଣ ଅଛନ୍ତି। ୨୬ଜଣ ୧୪ଦିନିଆ ସଙ୍ଗରୋଧ ରହିବା ପରେ ଘରକୁ ଫେରିଯାଇଛନ୍ତି। ସେମାନଙ୍କର ସମସ୍ତ କୋଭିଡ-୧୯ ପରୀକ୍ଷା ନେଗେଟିଭ୍ ଆସିବା ପରେ ଫେରାଯାଇଛି। ଅପରପକ୍ଷେ ମିଳିଥିବା ସୂଚନା ଅନୁଯାୟୀ, ସଙ୍ଗରୋଧ କେନ୍ଦ୍ରରେ କାର୍ଯ୍ୟ କରିବାକୁ ବିଏମ୍ସି କର୍ମଚାରୀମାନେ ରାଜି ହେଉନାହାନ୍ତି। କରୋନା ଆକ୍ରାନ୍ତ ହେବାର ଭୟ ରହୁଥିବାରୁ କର୍ମଚାରୀମାନେ କାମ କରୁନାହାନ୍ତି। ଯେଉଁ କର୍ମଚାରୀମାନେ କାମ କରୁଛନ୍ତି ସେମାନେ ବାଡ଼ିରେ କବାଟ ଠକ୍ ଠକ୍ କରି ସଙ୍ଗରୋଧ ଥିବା ବ୍ୟକ୍ତିଙ୍କୁ ଡାକୁଛନ୍ତି। ଖାଦ୍ୟ ଦେବାର ଥିଲେ ପ୍ଲେଟରେ ଦୂରରେ ରଖି ଖାଇବା ରହିଲା ବୋଲି କହୁଛନ୍ତି। ଏଠାରେ ରହୁଥିବା ଲୋକଙ୍କୁ ବାହାରକୁ ଯିବା ମନା ଥିବାବେଳେ ବାହାର ଲୋକ କେହିବି ଏମାନଙ୍କୁ ସାକ୍ଷାତ କରିପାରୁନାହାନ୍ତି।