ଗ୍ରାଇଣ୍ଡର ପେଟିରେ ସାରା ରାତି ନାଗ

ଭୁବନେଶ୍ବର: ଗ୍ରାଇଣ୍ଡର ପେଟିରେ ଗୋଟେ ରାତି ଫସି ରହିବା ପରେ ସାଢ଼େ ୩ ଫୁଟର ନାଗକୁ ଉଦ୍ଧାର କରିଛି ସ୍ନେକ୍‌ ହେଲ୍‌ପ ଲାଇନ୍। ଘଟଣା ଘଟିଛି ପୁରୀ ଜିଲ୍ଲା ଡେଲାଙ୍ଗ ଅନ୍ତର୍ଗତ କଲ୍ୟାଣପୁର ଗ୍ରାମରେ। କାଲି ରାତି ପ୍ରାୟ ୧୧ଟା ବେଳେ ଗ୍ରାମର ବିଶ୍ବଜିତ ପ୍ରଧାନଙ୍କ ପୂଜା ଗୃହରେ ସାପଟି ପଶି ଯାଇଥିଲା। ସାପକୁ ଘଉଡ଼ାଇବାକୁ ବିଶ୍ବଜିତ ଚେଷ୍ଟା କରିବାରୁ ନାଗ ଗ୍ରାଇଣ୍ଡର ପେଟି ଭିତରକୁ ଚାଲି ଯାଇଥିଲା। କିଛି ଉପାୟ ନପାଇ ସେହି ପେଟିଟିକୁ ବନ୍ଦ କରିଦେଇ ତାକୁ ଅଖାରେ ଗୁଡ଼େଇ ଦେଇଥିଲେ ପରିବାରବର୍ଗ। ପରେ ଏ ସଂକ୍ରାନ୍ତରେ ସ୍ନେକ୍‌ ହେଲ୍‌ପ ଲାଇନ୍‌ ସଦସ୍ୟ ସୁଶାନ୍ତ ବେହେରାଙ୍କୁ ଯୋଗାଯୋଗ କରିଥିଲେ।

ବିଳମ୍ବିତ ରାତି ଯୋଗୁଁ ସୁଶାନ୍ତ ପେଟିଟିକୁ ଦୂରେଇ ରଖିବା ପାଇଁ ପରାମର୍ଶ ଦେଇଥିଲେ। ତେବେ ବିଶ୍ବଜିତ ଭୟରେ ପେଟିକୁ ୨ କିଲୋମିଟର ଦୂରରେ ଫୋପାଡ଼ି ଦେଇ ଆସିଥିଲେ। ସକାଳେ ଯାଇ ସେଇ ସ୍ଥାନରେ ପେଟି ଖୋଲିବା ବେଳକୁ ସାପଟି ସେମିତି ପେଟି ଭିତରେ ଥିବା ଦେଖିବାକୁ ପାଇଥିଲେ। ସୁଶାନ୍ତ ନାଗକୁ ଉଦ୍ଧାର କରି ଆଣି ପ୍ରାକୃତିକ ଆବାସସ୍ଥଳୀରେ ଛାଡ଼ି ଦେଇଥିଲେ। ଘର ଚତୁଃପାର୍ଶ୍ବକୁ ପରିଷ୍କାର ରଖିବା ସହ ଆବଶ୍ୟକସ୍ଥଳେ ସ୍ନେକ୍‌ ହେଲ୍‌ପ ଲାଇନ୍‌ର ସହଯୋଗ ନେବା ପାଇଁ ହେଲ୍‌ପ୍ ଲାଇନ୍‌ର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧିତ ଖବର