ପାଣି ଜାଲିରେ ଫସି ରହିଲା କଉଡ଼ିଆ ଚିତି

ଭୁବନେଶ୍ବର: ପେଟରେ ଅଣ୍ଡା ଥିବାରୁ ଏକ କଉଡ଼ିଆ ଚିତି ସାପକୁ ଦୁଇଦିନ ଧରି ଏକ ପାଣି ଜାଲି ଭିତରେ ଫସିରହି ଛଟପଟ ହେବାକୁ ପଡ଼ିଛି। ମଙ୍ଗଳବାର ପୁରୁଣା ଭୁବନେଶ୍ବର ଗୋସାଗରେଶ୍ବରସ୍ଥିତ ବିନୋଦିନୀ ପରିଡ଼ାଙ୍କ ଘର ହାତଧୁଆ ବେସିନ ତଳେ ପାଇପ ଯୋଗେ ସଂଯୋଗ ହୋଇଥିବା ଏକ ଷ୍ଟିଲ୍‌ ଜାଲି ବାଟେ ମୁହଁ ଗଳାଇ ସାପଟି ଉପରକୁ ଉଠିବାକୁ ଚେଷ୍ଟା କରିଥିଲା। ମାତ୍ର ତା ପେଟରେ ୫ଟି ଅଣ୍ଡା ଥିବାରୁ ସେ ଉଠି ନ ପାରି ଫସି ରହିଥିଲା। ଏହା ଦେଖିବା ପରେ ଘର ଲୋକେ ସ୍ନେକ ହେଲ୍‌ପଲାଇନକୁ ଯୋଗାଯୋଗ କରିଥିଲେ। ଘଟଣା ସମ୍ପର୍କରେ ଖବର ପାଇ ସ୍ନେକ ହେଲ୍‌ପ ଲାଇନର ସଦସ୍ୟ ଅରୁଣ ବରାଳ ଓ ସଦସ୍ୟା ସିଲକା ସେଲୋନୀ ସେଠାରେ ପହଞ୍ଚି ସାପକୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ହେଁ ପେଟରେ ଅଣ୍ଡା ଥିବାରୁ ସେହି ଜାଲି ସହ ସାପଟିକୁ ଆଣିବାକୁ ପଡ଼ିଥିଲା। ସାପକୁ ଓୟୁଏଟିସ୍ଥିତ ଭେଟେରେନାରିକୁ ଆଣି ଦୁଇଦିନ ପର୍ଯ୍ୟବେକ୍ଷଣରେ ରଖାଯାଇଥିଲା। ସାପଟି ଅଣ୍ଡା ନ ଦେବାରୁ ବାଧ୍ୟ ହୋଇ ଜାଲିଟିକୁ କାଟିବାକୁ ପଡ଼ିଥିଲା। ସହଯୋଗୀ ପ୍ରଫେସର ଡାକ୍ତର ବିଶ୍ବଦୀପ ଜେନା ଚିକିତ୍ସା ଯୋଗାଇ ଦେଇଥିଲେ। ସ୍ନେକ ହେଲ୍‌ପଲାଇନର ସମ୍ପାଦକ ଶୁଭନ୍ଦୁ ମଲ୍ଲିକଙ୍କ ସୂଚନା ମୁତାବକ, ସାପଟିକୁ ଜାଲିରୁ କଟାଯିବା ପରେ ପ୍ରାକୃତିକ ଆବାସସ୍ଥଳୀରେ ଛାଡ଼ି ଦିଆଯାଇଛି।

ସମ୍ବନ୍ଧିତ ଖବର