ବାଲିପାଟଣା: ଅଙ୍ଗନବାଡ଼ି କେନ୍ଦ୍ର ସଂଲଗ୍ନ ଏକ ପରିତ୍ୟକ୍ତ ଘରେ ଥିଲା ବିଷଧର ସାପଙ୍କ ବସା। ଅଙ୍ଗନବାଡ଼ି କେନ୍ଦ୍ରର ନବୀକରଣ ପାଇଁ ସେହି ପରିତ୍ୟକ୍ତ ଘରକୁ ଭାଙ୍ଗିବା ବେଳେ ମାଳମାଳ ସାପ ଓ ସାପ ବସାରୁ ପୁଳାପୁଳା ଅଣ୍ଡା ମିଳିଲା। ବର୍ଷବର୍ଷ ଧରି ଅଙ୍ଗନବାଡ଼ି କେନ୍ଦ୍ରକୁ ଲାଗି ଏହି ସାପଙ୍କ ବସାଥିବା ଘରଟି ଥିଲେ ହେଁ ସୌଭାଗ୍ୟକୁ କିଛି ଅଘଟଣ ଘଟିନାହିଁ। କିନ୍ତୁ ଆଜି ଏହା ଲୋକଲୋଚନକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଆଲୋଡନ ସୃଷ୍ଟି ହୋଇଥିଲା।
ପମ୍ପାଲୋ ପଞ୍ଚାୟତ ସରାଟ-୩ ଅଙ୍ଗନବାଡ଼ି କେନ୍ଦ୍ରଟି ଗଡ଼ବନ୍ତପୁର ଗ୍ରାମରେ ରହିଛି। ଏବେ ଏହି କେନ୍ଦ୍ର ନବୀକରଣ କାମ ଚାଲିଛି। ଉକ୍ତ କେନ୍ଦ୍ରକୁ ଲାଗି ରହିଛି ପ୍ରାଥମିକ ବିଦ୍ୟାଳୟ ଏବଂ ପିଲା ସଂଖ୍ୟା କମ୍ ଯୋଗୁ ଏହି ସ୍କୁଲ ବନ୍ଦ ହୋଇଯାଇଛି। ସ୍କୁଲ୍ ଓ ଅଙ୍ଗନବାଡ଼ି କେନ୍ଦ୍ର ଗୋଟିଏ ପରିସରରେ ଥିଲା। ପୂର୍ବରୁ ଅଙ୍ଗନବାଡ଼ି କେନ୍ଦ୍ର ଏକ ଆଜ୍ବେଷ୍ଟସ୍ ଘରେ ଚାଲିଥିଲା। କେନ୍ଦ୍ରର ନିଜସ୍ବ କୋଠା ନିର୍ମାଣ ହେବା ପରେ ଉକ୍ତ ଆଜ୍ବେଷ୍ଟସ୍ ଘରଟି ବିଦ୍ୟାଳୟର ରୋଷଘର ଭାବେ ବ୍ୟବହୃତ ହେଉଥିଲା। ମାତ୍ର ବିଦ୍ୟାଳୟ ବନ୍ଦ ହୋଇଯିବା ପରେ ଏହି ଘର ପରିତ୍ୟକ୍ତ ହୋଇ ରହିଲା। ଏବେ ଅଙ୍ଗନବାଡ଼ି କେନ୍ଦ୍ରର ନବୀକରଣ ପାଇଁ କାମ ଚାଲିଛି। ପାଚେରି ନିର୍ମାଣ ପାଇଁ ଏହି ଆଜ୍ବେଷ୍ଟସ୍ ଘରକୁ ଭଙ୍ଗାଯିବାର ଥିଲା। ତେଣୁ ଆଜି ସକାଳେ ଅଙ୍ଗନବାଡ଼ି କେନ୍ଦ୍ର ଛୁଟି ହେବା ପରେ ଏହି ଘର ଭଙ୍ଗା ହେଲା।
ଅଙ୍ଗନବାଡ଼ି ଦିଦି ବର୍ଷାରାଣୀ ପୂଜାପଣ୍ଡା ପିଲାମାନଙ୍କୁ ଛୁଟି କରିବା ପରେ ଶ୍ରମିକମାନେ ଏହି ଘର ଭାଙ୍ଗିଲେ। ପୁରୁଣା କାନ୍ଥ ଭାଙ୍ଗିବା ବେଳେ ସାପ ବସା ଭାଙ୍ଗିଯାଇଥିଲା। ଭିତରୁ ମାଳମାଳ ସାପ ବାହାରି ନିକଟସ୍ଥ ବଣ ଭିତରକୁ ପଳାଇଥିଲେ। ତେଣୁ ଭୟରେ କିଛି ସମୟ ପାଇଁ ଶ୍ରମିକମାନେ କାମ ବନ୍ଦ କରିଦେଇଥିଲେ। ଏହାପରେ ଶ୍ରମିକମାନେ ପଥର ଆଡ଼େଇ ସାପ ବସା ଯାଞ୍ଚ କରିଥିଲେ। କିଛି ବସାରୁ ପୁଳାପୁଳା ଅଣ୍ଡା ମିଳିଥିଲା। ଏହି ଖବର ବିଜୁଳି ବେଗରେ ଗାଁରେ ଖେଳିଯାଇଥିଲା। ଲୋକମାନେ ଘଟଣାସ୍ଥଳକୁ ଧାଇଁଥିଲେ। ସମସ୍ତଙ୍କ ମୁହଁରୁ ଗୋଟିଏ କଥା ବାହାରୁଥିଲା- ଭଗବାନ ସେମାନଙ୍କ ପିଲାଙ୍କୁ ରକ୍ଷା କରିଛନ୍ତି।