କ୍ୟାପିଟାଲ ହସ୍ପିଟାଲ ନର୍ସିଂ ହୋମ୍‌ରୁ ବାହାରିଲା ନାଗ, ହସ୍ପିଟାଲରେ ରୋଗୀ ଛାନିଆ

ଭୁବନେଶ୍ବର : କ୍ୟାପିଟାଲ ହସ୍ପିଟାଲରେ ନାଗ ସାପ। ହସ୍ପିଟାଲର ଦାମୀ ୱାର୍ଡ ନର୍ସିଂ ହୋମ୍‌ରୁ ଆଜି ସଂଧ୍ୟାରେ ଧରା ହୋଇଛି ବିଷଧର ସାପ। ସ୍ନେକ ହେଲ୍‌ପ ଲାଇନର ସଦସ୍ୟ ଶୁଭେନ୍ଦୁ ମଲ୍ଲିକ ହସ୍ପିଟାଲରେ ପହଞ୍ଚି ନାଗ ସାପକୁ କାବୁ କରିଛନ୍ତି। ତେବେ ହସ୍ପିଟାଲ ପରିସରରୁ ନାଗ ସାପ ଧରା ହେବାକୁ ନେଇ ଚିକିତ୍ସିତ ହେଉଥିବା ରୋଗୀଙ୍କ ମଧ୍ୟରେ ଛନକା ପଶି ଯାଇଛି। ବିଶେଷକରି ‌ଶଯ୍ୟା ଅଭାବରୁ ତଳେ ଗଡ଼ୁଥିବା ରୋଗୀମାନେ ଏହି ଘଟଣା ପରେ ଚିନ୍ତିତ ହୋଇ ପଡ଼ିଛନ୍ତି।

ଆଜି ସଂଧ୍ୟାରେ ହସ୍ପିଟାଲର ନର୍ସିଂ ହୋମ୍‌ ୨ରୁ ନାଗ ସାପ ରହିଥିବା ଜଣାପଡ଼ିଥିଲା। ଯଦିଓ ଏହି ନର୍ସିଂହୋମ୍‌ରେ କୌଣସି ରୋଗୀ ଆଡମିଟ୍ ହୋଇ ନ ଥିଲେ, ସାପ ରହିଥିବା ନଜରକୁ ଆସିବା ପରେ ସ୍ନେକ ହେଲ୍‌ପ ଲାଇନ୍‌କୁ ଖବର ଦିଆଯାଇଥିଲା। ହେଲ୍‌ପ ଲାଇନ ସଦସ୍ୟ ଶୁଭେନ୍ଦୁ ମଲ୍ଲିକ ହସ୍ପିଟାଲରେ ପହଞ୍ଚି ସାଢ଼େ ୩ଫୁଟ୍‌ର ନାଗ ସାପକୁ କାବୁ କରିଥିଲେ। ଏହାକୁ ନେଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ରୋଗୀ ଓ ସେମାନଙ୍କ ଆଟେଣ୍ଡାଣ୍ଟଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ତେବେ ଏହି ଘଟଣା ପରେ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ରୋଗୀଙ୍କ କିଭଳି ରାତି ବିତିବ ସେ ନେଇ ଚିନ୍ତାରେ ପଡ଼ିଛନ୍ତି। ଶଯ୍ୟା ଅଭାବରୁ ତଳେ ରହିଥିବା ରୋଗୀମାନେ ଅନ୍ୟ ସୁରକ୍ଷିତ ସ୍ଥାନକୁ ପଳାଇବାକୁ ଆରମ୍ଭ କରିଛନ୍ତି।

ଅପରପକ୍ଷରେ ହସ୍ପିଟାଲର ୱାର୍ଡ ପରିସରରୁ ସାପ ବାହାରିବା ହସ୍ପିଟାଲର ରୋଗୀଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ରୋଗୀଙ୍କ ସୁରକ୍ଷାକୁ ହସ୍ପିଟାଲ କର୍ତୃପକ୍ଷ ଗୁରୁତ୍ବ ଦେଉ ନ ଥିବା ରୋଗୀମାନେ ଅଭିଯୋଗ ‌କରିଛନ୍ତି। ହସ୍ପିଟାଲ ପରିସରରେ ଗଛଲତାକୁ ଠିକ୍ ସମୟରେ ସଫା କରାଯାଉ ନ ଥିବାରୁ ସାପ ବଂଶ ବଢ଼ୁଥିବା ଅଭିଯୋଗ ହେଉଛି।

ସମ୍ବନ୍ଧିତ ଖବର