ଅଣ୍ଡାଦାନ ଋତୁରେ ସାପ ବେଶି ଭୟଙ୍କର

ସାପ କାମୁଡ଼ାର ବଡ଼ ପ୍ରତିଷେଧକ ସତର୍କତା
ଡାକ୍ତରଖାନାରେ  ମହଜୁଦ ଅଛି ଆଣ୍ଟି ସ୍ନେକ ଭେନମ୍‌

ଖଣ୍ଡଗିରି : ସାପମାନଙ୍କ ପ୍ରଜନନ ଋତୁ ଆରମ୍ଭ ହୋଇଯାଇଛି। ଏହି ସମୟରେ ସେମାନେ ଅଣ୍ଡାଦାନ କରନ୍ତି ଓ କିଛି ଦିନ ପରେ ଅଣ୍ଡା ଫୁଟିଥାଏ। ତେଣୁ ସ୍ବାଭାବିକ ଭାବେ ଏହି ସମୟରେ ସାପମାନେ ଅଧିକ ଭୟଙ୍କର ହୋଇଥା’ନ୍ତି। ତେଣୁ ବର୍ଷା ଦିନ ଆରମ୍ଭରେ ହିଁ ସାପ କାମୁଡ଼ା ଭଳି ଦୁର୍ଘଟଣା ଅଧିକ ଦେଖିବାକୁ ମିଳେ। ତେବେ ସତର୍କତା ହେଉଛି ସାପ କାମୁଡ଼ାରୁ ବର୍ତ୍ତିବାର ବଡ଼ ପ୍ରତିଷେଧକ ବ୍ୟବସ୍ଥା।

ବର୍ଷା ଋତୁରେ ସାପମାନେ ଅଣ୍ଡାଦାନ ପାଇଁ ବା ଗାତରେ ବର୍ଷା ଜଳ ପଶିବା କାରଣରୁ ଲୋକଙ୍କ ଘର ଆଡ଼କୁ ଚାଲି ଆସନ୍ତି। ବିଶେଷକରି ଗ୍ୟାରେଜ୍‌ ଘର, ଶିଡି ଘର ଓ ଜୋତାଷ୍ଟାଣ୍ଡ ଭଳି ଅନ୍ଧାରିଆ ସ୍ଥାନମାନଙ୍କରେ ରହି ଯାଆନ୍ତି। ତେଣୁ ଟିକିଏ ଅସାବଧାନ ହେଲେ ସାପ କାମୁଡ଼ାର ଶିକାର ହେବାକୁ ପଡ଼ିଥାଏ। ପ୍ରତିବର୍ଷ ଠିକ୍‌ ଏହି ସମୟରେ ଅଧିକ ଲୋକ ସାପ କାମୁଡ଼ାର ଶିକାର ହୋଇଥା’ନ୍ତି। ତେବେ ଠିକଣା ସମୟରେ ଉପଯୁକ୍ତ ଚିକିତ୍ସା କରାଇଲେ, ଜୀବନ ରକ୍ଷା କରାଯାଇପାରିବ। କିନ୍ତୁ ଆଜିର ସମୟରେ ବି କିଛି ଲୋକ ଝାଡ଼ଫୁଙ୍କ ବା ଗୁଣିଆ ପାଖକୁ ଯିବାରେ ବିଶ୍ବାସ ରହିଛି। ଫଳରେ ବିଳମ୍ବରେ ଡାକ୍ତରଖାନାକୁ ଯାଇ ଲୋକେ ଅଯଥାରେ ପ୍ରାଣ ହରାଉଥାନ୍ତି।

ଏ‌ବେ ସରକାରୀ ଡାକ୍ତରଖାନାଗୁଡ଼ିକରେ ସାପ କାମୁଡ଼ା ଚିକିତ୍ସା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଡା. ଲକ୍ଷ୍ମୀଧର ସାହୁଙ୍କ କହିବା ଅନୁଯାୟୀ, ଡାକ୍ତରଖାନାରେ ଯଥେଷ୍ଟ ପରିମାଣରେ ଆଣ୍ଟିସ୍ନେକ୍‌ ଭେନମ୍‌ (ସାପ ବିଷର ଆଣ୍ଟିଡୋଜ୍‌) ଉପଲବ୍ଧ ରହିଛି। ତେଣୁ ସାପ କାମୁଡ଼ିଥିବା ବ୍ୟକ୍ତିଙ୍କୁ ଚିକିତ୍ସା କରିବାରେ କୌଣସି ବାଧକ ନାହିଁ। ତେବେ ଲୋକେ ଆଦୌ କା ଳବିଳମ୍ବ ନକରି ହସ୍ପିଟାଲରେ ପହଞ୍ଚିବା ଉଚିତ। ବର୍ତ୍ତମାନ ହସ୍ପିଟାଲରେ ୩୫୦ ଭାଏଲ୍‌ ମହଜୁଦ ଅଛି। ଗତ ମାସରେ ୧୭୦ ଭାଏଲ ଖର୍ଚ୍ଚ ହୋଇଛି। ଆବଶ୍ୟକ ହେଲେ ଆହୁରି ଅଧିକ ଭାଏଲ ମଗାଯିବ ବୋଲି ସେ କହିଛନ୍ତି।

ଅପରପକ୍ଷେ ଏ ସଂପର୍କରେ ସ୍ନେକ୍‌ ହେଲ୍ପଲାଇନ୍‌ ସଦସ୍ୟ ଶୁଭେନ୍ଦୁ ମଲ୍ଲିକଙ୍କ କହିବାନୁଯାୟୀ, ନାଗ, ଅହିରାଜ, ଅଜଗର, ରଣା, ତମ୍ପ ଆଦି ବିଷଧର ସାପମାନେ ଅଣ୍ଡାରୁ ଛୁଆ ଫୁଟିବା ପର୍ଯ୍ୟନ୍ତ ଜଗି ରହନ୍ତି। ଅଣ୍ଡା ଦେବା ପାଇଁ ଉପଯୁକ୍ତ ଓ ସୁରକ୍ଷିତ ସ୍ଥାନ ଖୋଜୁଖୋଜୁ ସେମାନେ ଘର ପାଖ ବଣବୁଦା ସ୍ଥାନ ବାଛି ନିଅନ୍ତି। ତେଣୁ ଏମିତି ସମୟରେ ସେମାନେ କାହାକୁ ବି ଆକ୍ରମଣ କରିବାକୁ ଯାଇ କାମୁଡ଼ି ଦିଅନ୍ତି। ଏହାଛଡ଼ା ଅନେକ ସମୟରେ ସାପ ବେଙ୍ଗ ଓ ମୂଷା ଖାଇବାକୁ ଘର ଭିତରକୁ ପଶି ଆସନ୍ତି। ଘରେ ପାଳିଥିବା ଠେକୁଆ, ମୂଷା, ଚଢ଼େଇ ଖାଇବାକୁ ମଧ୍ୟ ପଶି ଯାଆନ୍ତି। ତେଣୁ ଏଥିପ୍ରତି ସତର୍କତା ଅବଲମ୍ବନ କରିବାକୁ ଶ୍ରୀ ମଲ୍ଲିକ ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧିତ ଖବର