ସେ ତ ଭକତ ଭାବରେ ବନ୍ଧା… ଅଟକାଇ ପାରିଲାନି କରୋନା

କୋଉଠି ଦେଖିକି ଖୁସି, କୋଉଠି ପାଖକୁ ନଯାଇ ମ୍ରିୟମାଣ, ସଂସାରକୁ କରୋନାରୁ ଉଦ୍ଧାର କର

ଭୁବନେଶ୍ବର: କରୋନା ଆସିଲା ଦିନଠୁ ମୋ ଧନକୁ ଦେଖିନି। ପଥ ପଚାରିକି ଆଇଛି ଯେ ଜଗାକୁ ଦେଖିପାରିଲିନି। ଯାହା ମୋ ବାଇଆର ଇଚ୍ଛା…। ଏକଥା ବଖାଣିବା ବେଳେ ୭୨ବର୍ଷୀୟା ବୃଦ୍ଧା ରମା ନାୟକଙ୍କ ଆଖିରୁ ନିଗିଡ଼ି ଆସୁଥିଲା ଧାର ଧାର ଲୁହ। ହଜେଇ ଦେଇଥିବା ଆପଣାର ଲୋକକୁ ଢେର୍‌ ଦିନ ପରେ ପାଇଯିବା ଭଳି ଖୁସିରେ ସେ ଯେତିକି ଗଦଗଦ ହୋଇଯାଉଥିଲେ, ପରଦା ଟଣା ହୋଇଥିବାରୁ ଦର୍ଶନ ନ ମିଳିବାର ଗ୍ଳାନିରେ ସେତିକି ମ୍ରିୟମାଣ ହୋଇ ପଡ଼ୁଥିଲେ। ଖାଲି ରମା ନୁହନ୍ତି, ଜଗାକୁ ଟିକେ ଆଖି ପୂରେଇ ଦେଖିବେ ବୋଲି କିଏ ଗଛ ଉପରେ ତ କିଏ ପାଚେରି ଉପରେ ଚଢ଼ି ଯାଉଥିଲେ। ପରିଣତ ବୟସରେ ଅଣ୍ଟାରେ ବଳ ନଥିଲେ ହେଁ ପ୍ରଭୁଙ୍କୁ ଦେଖିବେ ବୋଲି ମନରେ ସେଇକ୍ଷଣି ଯେମିତି ଶତସିଂହର ବଳ ପଶି ଯାଇଥିଲା। କିଏ ପରଦା ଉଠେଇବାକୁ ପୂଜକଙ୍କୁ ଗୁହାରି କରୁଥିଲା ତ କିଏ ପବନରେ ଉଡ଼ି ଯାଉଥିବା ପରଦା ଆଢ଼ୁଆଳରେ ପ୍ରଭୁଙ୍କ ଝଲକ ପାଇ ଆତ୍ମହରା ହୋଇଉଠୁଥିଲା। ସ୍ନାନ ପୂର୍ଣ୍ଣିମା ଅବସରରେ ୮ନମ୍ବର ସ୍ଥିତ ଓୟୁଏଟି ଜଗନ୍ନାଥ ମନ୍ଦିର ସମ୍ମୁଖରେ ଆଜି ଦେଖିବାକୁ ମିଳିଥିଲା ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଏହି ଭାବର ଲୁଚକାଳି।

ରାଜଧାନୀ ଓ ଉପକଣ୍ଠରେ ୬୦ରୁ ଊର୍ଧ୍ବ ସ୍ଥାନରେ ପ୍ରଭୁଙ୍କ ଏହି ମାନବୀୟ ଲୀଳା ଦେଖିବାକୁ ମିଳିଥିଲା। ସ୍ନାନ ପୂର୍ଣ୍ଣିମା ବିଧି ସମ୍ପାଦନ ବେଳେ ୭ଜଣରୁ ଅଧିକ ବ୍ୟକ୍ତି ଓ ପୂଜକଙ୍କ ଉପସ୍ଥିତି ରହିବ ନାହିଁ ବୋଲି ପ୍ରଶାସନ ଓ ପୁଲିସ ନିର୍ଦେଶ ଦେଇଥିଲା। ଭକ୍ତଙ୍କ ସମାଗମ ହେବା ଉପରେ ରୋକ୍‌ ଲଗାଯାଇଥିଲା। ମାତ୍ର ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଏହା ପାଚେରି ହୋଇନଥିଲା। ପ୍ରଭୁଙ୍କୁ ନ ଦେଖିଲେ ‌ନାହିଁ, ଘଣ୍ଟ ଓ ମୃଦଙ୍ଗରେ ଗୁପ୍ତ ଭାବେ ସମ୍ପାଦିତ ରୀତିନୀତିକୁ କାନେଇବାକୁ ବି କିଛି ଭକ୍ତ ଇସ୍କନଠୁ ନେଇ କୋଳଥିଆ ଜଗନ୍ନାଥ ପର୍ଯ୍ୟନ୍ତ ଧାଇଁ ଆସିଥିଲେ। ଜାଗମରା ଧର୍ମବିହାର ଜଗନ୍ନାଥ ମନ୍ଦିରରେ ଯଥାବିଧି ପୂଜା ଆରମ୍ଭ ହୋଇଥିଲା। ତେବେ ଏଠାରେ ରାସ୍ତା ସାମ୍ନାକୁ ମୁହଁ କରି ବସିଥିବା ପ୍ରଭୁଙ୍କୁ ବିନା ଦ୍ବିଧାରେ ଭକ୍ତମାନେ ଦର୍ଶନ କରୁଥିଲେ। ମଧ୍ୟାହ୍ନରୁ ପ୍ରଭୁଙ୍କ ଗଜାନନ ବେଶ ହୋଇସାରିଥିବାରୁ ସନ୍ଧ୍ୟା ଆଳତି ପରେ ପ୍ରଭୁ ଅଣସର ଗୃହକୁ ଯିବା ପୂର୍ବରୁ ଭକ୍ତମାନେ ଦର୍ଶନ କରିବାକୁ ଛୁଟି ଆସିଥିଲେ। ବୃହତ୍‌ ପରିସର ଥିବାରୁ ସାମାଜିକ ଦୂରତା ରକ୍ଷା କରିବାରେ ସମସ୍ୟା ହୋଇନଥିଲା। ସେହିଭଳି କୋଳଥିଆରେ ମଧ୍ୟ ଫାଟକରେ ତାଲା ଝୁଲୁଥିଲା। ପଟିଆ, ଶ୍ରାବଣୀ କ୍ଷେତ୍ର, ଆର୍‌ସିଏମ, ପୁରୁଣା ଭୁବନେଶ୍ବର ଆଦି ଜଗନ୍ନାଥ ମନ୍ଦିରରେ ମଧ୍ୟ ଭକ୍ତଙ୍କ ସ୍ନାନ ବିଧିକୁ ସୀମିତ ସେବକଙ୍କ ଦ୍ବାରା ସମାପନ କରାଯାଇଥିଲା। ତେବେ ବାରଣ ଥିଲେ ମଧ୍ୟ ପ୍ରଭୁଙ୍କ ଦର୍ଶନ ପାଇଁ କିଛି ଭକ୍ତ ଚାଲି ଆସିଥିଲେ। ମାସେ ପର୍ଯ୍ୟନ୍ତ ପ୍ରଭୁ ଅଣସର ଘରେ ରହିବାକୁ ଥିବାରୁ ପ୍ରଭୁଙ୍କ ସହ ଦୁଃଖ ସୁଖ ହେବାକୁ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା।

କୋଉଠି ଭଗବାନଙ୍କୁ ଦେଖିବାର ଅବକାଶ ନଥିବାରୁ ଅନେକ କାନ୍ଦ କାନ୍ଦ ‌ହୋଇଯାଉଥିଲେ। ପୁଣି କୋଉଠି ଭଗବାନଙ୍କୁ ଦେଖି ମଧ୍ୟ ତାଙ୍କ ନିକଟକୁ ନ ଯାଇପାରିବାର ଦୁଃଖରେ ଅନେକ ଲୁହ ନିଗାଡ଼ୁଥିଲେ। ଜାଗମରାରେ ପ୍ରଭୁଙ୍କ ସ୍ନାନ ବେଶ ଦେଖିବାକୁ ଆସିଥିବା ମିନତି ପୃଷ୍ଟି କହିଥିଲେ, ଢେର୍‌ ଦିନ ପରେ ପ୍ରଭୁଙ୍କୁ ଦେଖିଲି। ହେଲେ ପାଖକୁ ଯାଇପାରିଲିନି ବୋଲି ବହୁତ ଦୁଃଖ ଲାଗୁଛି। ସବୁ ତା’ ଇଚ୍ଛା। ବୋଧେ ସେ ଚାହୁଁନି। ସେହିପରି ଇସ୍କନ୍‌ ନିକଟକୁ ଆସୁଥିବା କିଛି ଭକ୍ତ ମନ୍ଦିର ସାମ୍ନାରେ କିଛି ସମୟ ଛିଡ଼ା ହେଉଥିଲେ। ମନ୍ଦିର ଫାଟକରେ ତାଲା ଝୁଲୁଥିବାରୁ ଭିତରକୁ ଯାଇ ପାରିନଥିଲେ। କେବଳ ଘଣ୍ଟ, ମୃଦଙ୍ଗର ତାଳ ବାଦ୍ୟ ଗୁଞ୍ଜରଣ ଶୁଣିଥିଲେ। ହେଲେ ପ୍ରଭୁଙ୍କୁ ସ୍ନାନ ବେଦିରେ ପାଖରୁ ଦର୍ଶନ କରିବା ପାଇଁ ବ୍ୟାକୁଳ ହୋଇ ଅପେକ୍ଷା କରୁଥିଲେ ହେଁ ତାହା ସମ୍ଭବ ହେଉନଥିବାରୁ ଭାଙ୍ଗି ପଡ଼ୁଥିଲେ।

ହେ ପ୍ରଭୁ! ସଂସାରକୁ କରୋନାରୁ ଉଦ୍ଧାର କର। ଆମ ପିଲାମାନଙ୍କୁ ରକ୍ଷା କର। ଏ ରୋଗ ଶୀଘ୍ର ଟାଳିଦିଅ ବୋଲି ବିନତି କରୁଥିଲେ ୮ ନମ୍ବରର ବାସିନ୍ଦା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ନିବେଦିତା ଦାସ। ସେ କହିଥିଲେ, ସଂସାରକୁ ଯୋଉ ବିପତ୍ତି ଆସିଛି, ତାହା ସବୁ ସୁଖ ଛଡ଼େଇ ନେଇଛି। ପ୍ରଭୁଙ୍କ ରଥ ଗଢ଼ିବା ବନ୍ଦ ହେଇଯିବା ପରେ ଭାରି ଦୁଃଖ ଲାଗୁଛି। ପ୍ରଭୁଙ୍କ ପାଖରେ ମିନତି କରିଛି, ପୁଣି ରଥ ଗଡ଼ୁ। ହରିବୋଲ ହୁଳହୁଳିରେ ମନ୍ଦିର କମ୍ପିଉଠୁ। ରଥ ଦାଣ୍ଡରେ ଗହଳି ଲାଗୁ। ଦୁଃଖ ସମୟ ଚାଲିଯାଉ। ଇଚ୍ଛାମୟ ପ୍ରଭୁ ଯଦି ରୋଷ କରିଛନ୍ତି, ସେ ଶାନ୍ତ ହୋଇଯାଆନ୍ତୁ ବୋଲି ଗୁହାରି ବାଢ଼ିଥିବା ନିବେଦିତା କହିଛନ୍ତି।

ସମ୍ବନ୍ଧିତ ଖବର