ଭୁବନେଶ୍ବର: ମା’ ବାପାଙ୍କୁ ଭେଟିବାକୁ ଭୁବନେଶ୍ବର ଆସିଥିବା ଝିଅ ଓ ତାଙ୍କ ପାଳିତା ମା’ ଆଜି ସ୍ପେନ୍‌ ଫେରିଯାଇଛନ୍ତି। ୨୦ ବର୍ଷ ତଳର ଅତୀତକୁ ସାମ୍ନା କରିବାକୁ ଆସି ଯଦିଓ ତାଙ୍କୁ ହତାଶ ହେବାକୁ ପଡ଼ିଛି, ତଥାପି ସୂଚନା ମିଳିଲେ ସେ ପୁଣି ଫେରିବେ ବୋଲି କହିଛନ୍ତି। ସ୍ପେନ୍‌ରୁ ନିୟମିତ କମିସନରେଟ୍‌ ପୁଲିସ ସହ ସମ୍ପର୍କରେ ରହି ମା ବାପାଙ୍କ ସହ ଦିନେ ସାକ୍ଷାତ କରିବେ ବୋଲି ସେ ଆଶାବାଦୀ ଅଛନ୍ତି। 

Advertisment

ଅନ୍ୟପଟେ ସେ ଫେରିଯିବା ପରେ କମିସନରେଟ୍‌ ପୁଲିସ ତାଙ୍କ ବାପା ସନ୍ତୋଷ ଦାସଙ୍କ ଠିକଣା ସମ୍ପର୍କରେ ସୂଚନା ପାଇଛି। ସେ କଟକର ବଡ଼ମ୍ବା ଅଞ୍ଚଳର ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ସମ୍ପୃକ୍ତ ଅଞ୍ଚଳର ୨୦ରୁ ଊର୍ଦ୍ଧ୍ବ ସରପଞ୍ଚଙ୍କ ସହ ଯୋଗାଯୋଗ କରିବା ପରେ ଏଭଳି କାହାଣୀ ସହ ମେଳ ଖାଉଥିବା ଜଣେ ସନ୍ତୋଷ ଦାସଙ୍କ ସହ ଯୋଗାଯୋଗ ହୋଇଛି। ଖୁବ୍‌‌ଶୀଘ୍ର ପୁଲିସ ତାଙ୍କ ପାଖରେ ପହଞ୍ଚି ସୂଚନା ବାବଦରେ ନିଶ୍ଚିତ ହେବ। ୩ ତାରିଖ ଦିନ ସ୍ନେହା ଓ ଜେମା ଭୁବନେଶ୍ବର ଆସିଥିବା କୁହାଯାଉଥିଲେ ମଧ୍ୟ ଆଜି ତାଙ୍କ ସ୍ପେନ୍‌ରୁ ଭୁବନେଶ୍ବର ପର୍ଯ୍ୟନ୍ତ ଯାତ୍ରା ପଛର କାହାଣୀ ପଦାକୁ ଆସିଛି। ଗତ ମାସ ୧୮ ତାରିଖରୁ ସେ ଭୁବନେଶ୍ବର ଆସିଥିଲେ। ଭାଷାଗତ ସମସ୍ୟା ଦୂର କରିବା ପାଇଁ ସେମାନେ ତାଙ୍କ ସହ ତାମିଲନାଡ଼ୁର ଜଣେ ଅନୁବାଦକ(ଟ୍ରାନ୍‌ସ୍‌ଲେଟର) ଆଣିଥିଲେ। ୧୦ ଦିନ ହୋଟେଲ୍‌ରେ ରହିବା ପରେ ତାଙ୍କୁ ହୋଟେଲ୍‌ ସହ ଟ୍ରାନ୍‌ସ୍‌ଲେଟର ବାବଦକୁ ଖର୍ଚ୍ଚ ବାଧିଥିଲା।

ସ୍ପେନ୍‌ ଫେରିଲେ ସ୍ନେହା
୨୫ ଦିନ ରହି ମା’ ବାପାଙ୍କୁ ଖୋଜୁଥିଲେ
ଫେରିବା ପରେ ମିଳିଲା ବାପାଙ୍କ ଠିକଣା

ଏଣୁ ସେମାନେ ପ୍ରଥମେ ବା ୨୮ ତାରିଖରେ ଟ୍ରାନ୍‌ସ୍‌ଲେଟରଙ୍କୁ ଛାଡ଼ି ଦେଇଥିଲେ। ଏହା ପରେ ହୋଟେଲ ଛାଡ଼ି ସହିଦନଗରରେ ଥିବା ଏକ ‘ହୋମ୍‌ଷ୍ଟେ’ରେ ରହିଥିଲେ। ଯେଉଁ ହୋମ୍‌ଷ୍ଟେରେ ରହିଲେ ତାହାର ମାଲିକାଣି ବା ଅବସରପ୍ରାପ୍ତ ଅଧ୍ୟାପିକା ସ୍ନେହସୁଦ୍ଧା ମିଶ୍ର ତାଙ୍କ କାହାଣୀ ଶୁଣିବା ପରେ ଭାବ ବିନିମୟରେ ସହାୟତା କରିଥିଲେ। ଯେହେ‌ତୁ ତାଙ୍କର ଏକାଧିକ ବିଦେଶୀ ଭାଷାରେ ଦକ୍ଷତା ରହିଥିଲା ସେଥିପାଇଁ ଭାବବିନିମୟରେ କୌଣସି ସମସ୍ୟା ହେଲାନାହିଁ। ଗତ ୩ ତାରିଖରେ କମିସନରେଟ୍‌ ପୁଲିସର ସହଯୋଗ ଲୋଡ଼ିଥିଲେ। ସେହି ଦିନ ହିଁ ଏଭଳି ଘଟଣା ସାମ୍ନାକୁ ଆସିଥିଲା। ପୂର୍ବରୁ ସେମାନେ ସହିଦନଗର, ନୂଆପଲ୍ଲୀ, ରୁଚିକା ପ୍ରଭୃତି ଜାଗା ବୁଲି ଖୋଜିଥିଲେ। 

ନୂଆପଲ୍ଲୀ ଭୋଇ ସାହି, ଯେଉଁ ଭଡ଼ାଘରେ ମା’ ବାପା ତାଙ୍କୁ ଛାଡ଼ି ଚାଲି ଯାଇଥିଲେ ସେଠାକୁ ଯାଇ ପଚରାଉଚରା କରିଥିଲେ। ବାପା ସନ୍ତୋଷ ଦାସ ଯେଉଁ ସଂସ୍ଥାରେ କାମକରୁ ଥିଲେ ସେଠାକୁ ମଧ୍ୟ ଯାଇଥିଲେ। ମା ବାପା ଚାଲିଯିବା ପରେ ଯେଉଁ ଚାଇଲ୍ଡ ଲାଇନ୍‌ରେ ସେ ରହୁଥିଲେ ସେଠାକୁ ଯାଇ ମଧ୍ୟ ତଥ୍ୟ ସଂଗ୍ରହ କରିବାକୁ ଚାହିଥିଲେ। ହେଲେ କେଉଁଠାରୁ ମଧ୍ୟ ମା ବାପାଙ୍କ ସମ୍ପର୍କରେ କିଛି ସୂଚନା ମିଳି ନଥିଲା। କମିସନରେଟ ପୁଲିସର ଜଣେ ଇନସପେକ୍ଟର୍‌ ଏହି ଖୋଜାଖୋଜିରେ ସାହାଯ୍ୟ କରିଥିଲେ। କିନ୍ତୁ ଅଧିକ କିଛି ସୂଚନା ମିଳିପାରି ନଥିଲା। ଆଜି ଫେରିବା ଟିକେଟ୍‌ ଥିବାରୁ ସେମାନେ ବାଧ୍ୟ ହୋଇ ଫେରି ଯାଇଛନ୍ତି।