ସ୍ନେହପ୍ରଭାଙ୍କୁ ଓଡ଼ିଶୀ ନୃତ୍ୟ ସଂଗୀତ ସମ୍ମାନ

ଭୁବନେଶ୍ବର: ସାଂସ୍କୃତିକ ଅନୁଷ୍ଠାନ ‘ନୃତ୍ୟାଙ୍ଗନା’ ପକ୍ଷରୁ ଭଂଜ କଳାମଣ୍ଡପରେ ଦୁଇ ଦିନ ଧରି ଚାଲିଥିବା ‘ଦଶମ ଓଡ଼ିଶୀ ନୃତ୍ୟ ସଂଗୀତ ସମ୍ମାନ’ ସମାରୋହ ଆଜି ଉଦ୍‌ଯାପିତ ହୋଇଯାଇଛି। ସନ୍ଧ୍ୟାର ପ୍ରଥମ ପ୍ରସ୍ତୁତିରେ ଅନୁଷ୍ଠାନର କନିଷ୍ଠ ଶିଳ୍ପୀମାନେ ଓଡ଼ିଶୀ ନୃତ୍ୟରେ ମଙ୍ଗଳାଚରଣ ପରିବେଷଣ କରିଥିଲେ। ପରେ ପରେ ବରିଷ୍ଠ ଶିଳ୍ପୀମାନଙ୍କ ‘ସରସ୍ବତୀ ବନ୍ଦନା’ ଓ ‘ବଜ୍ରକାନ୍ତି ପଲ୍ଲବୀ’

ପରିବେଷଣ ମନମୁଗ୍ଧକର ଥିଲା। ପରେ ଗୁରୁ ସୁଦର୍ଶନ ରାୟଙ୍କ ନିର୍ଦ୍ଦେଶନାରେ ଚିତ୍ତାକର୍ଷକ ଗୋଟିପୁଅ ନୃତ୍ୟ ଦର୍ଶକଙ୍କୁ ଅପଲକ ନୟନରେ ଚାହିଁ ରହିବାକୁ ବାଧ୍ୟ କରିଥିଲା। ଶେଷ ପ୍ରସ୍ତୁତିରେ ଶିଳ୍ପୀ କାବେରୀ ପ୍ରିୟଦର୍ଶନୀ ଓ ସାଥୀ କଳାକାରମାନେ ବିହୁ ନୃତ୍ୟ ପରିବେଷଣ କରିବା ସହ ଶିଳ୍ପୀ ତ୍ରିଲୋଚନ ସାହୁ, ଶାଶ୍ବତୀ ସାହୁ ଓ ସାଥୀ କଳାକାରମାନେ ଆଦିବାସୀ ନୃତ୍ୟ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମରେ ସାହିତ୍ୟିକା ଇନ୍ଦିରା ଦତ୍ତ, ଉତ୍କଳ ସଂଗୀତ ମହାବିଦ୍ୟାଳୟ ଅଧ୍ୟକ୍ଷା ତମସାରାଣୀ ମହାପାତ୍ର, କସ୍ତୁରୀ ରାୟ, ନୃତ୍ୟଶିଳ୍ପୀ ସଂଘମିତ୍ରା ସିଂହ, ଇତିଶ୍ରୀ ଦ୍ବିବେଦୀ, ଚପଳା ମିଶ୍ର, ମୀନାକ୍ଷୀ ବେହେରା ଓ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ନିର୍ଦ୍ଦେଶକ ଗୁରୁ ସୁବାସ ଚନ୍ଦ୍ର ସ୍ବାଇଁ ପ୍ରମୁଖ ଯୋଗ ଦେଇଥିଲେ।

ଏହି ଅବସରରେ ବିଶିଷ୍ଟ ଓଡ଼ିଶୀ ନୃତ୍ୟଗୁରୁ ସ୍ନେହପ୍ରଭା ସାମନ୍ତରାୟଙ୍କୁ ‘ଦଶମ ଓଡ଼ିଶୀ ନୃତ୍ୟ ସଂଗୀତ ସମ୍ମାନ’ରେ ସମ୍ମାନିତ କରାଯାଇଥିଲା। ଏତଦ୍‌ବ୍ୟତୀତ ପୀୟୂଷ ମହାନ୍ତିଙ୍କୁ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମକୁ ବିଶ୍ବଜିତ୍ ବଳିୟାରସିଂହ ସଂଯୋଜନା କରିଥିବା ବେଳେ ଗୁରୁ ସୁବାସ ଚନ୍ଦ୍ର ସ୍ବାଇଁ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର