ସ୍ନେହୀ ସମାଜର ସୁବର୍ଣ୍ଣ ଜୟନ୍ତୀ: ସ୍ନେହ ବାଣ୍ଟୁ ‘ସ୍ନେହୀ ସମାଜ’

ଭୁବନେଶ୍ୱର: ସାମାଜିକ, ସାଂସ୍କୃତିକ ତଥା ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ସ୍ନେହୀ ସମାଜ’ର ସୁବର୍ଣ୍ଣ ଜୟନ୍ତୀ ଭଂଜ କଳାମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଏବଂ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ପ୍ରମୁଖ ଅତିଥି ଭାବେ ଯୋଗଦେଇ କହିଲେ, ସ୍ନେହୀ ସହ ସମାଜର ସଂଯୋଗ ଏକ ମହତ୍ତ୍ୱପୂର୍ଣ୍ଣ ଉଦ୍ଦେଶ୍ୟକୁ ପ୍ରତିପାଦିତ କରୁଛି। ଚିଲିକାର ପୂର୍ବତନ ବିଧାୟକ ରଘୁନାଥ ସାହୁ ବକ୍ତବ୍ୟରେ ସ୍ନେହୀ ସମାଜର ଗଠନମୂଳକ ଦିଗ ବାବଦରେ ଆଲୋକପାତ କରିଥିଲେ। ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ।

ସ୍ନେହୀ ସମାଜର ସଭାପତି ବିଶ୍ୱନାଥ ସୁବୁଦ୍ଧି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା ସହ ଅଭିଭାଷଣ ରଖିଥିଲେ। ସାଧାରଣ ସମ୍ପାଦକ ଯୁଗଳ କିଶୋର ସାହୁ ସ୍ୱାଗତ ଭାଷଣ ସହ ସ୍ନେହୀ ସମାଜ ବିବରଣୀ ଉପସ୍ଥାପନ କରିଥିଲେ। ପରେ ସ୍ନେହୀ ସମାଜର ସ୍ମରଣିକା ଅତିଥିଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା। ବିଭିନ୍ନ ପ୍ରାନ୍ତରୁ ଯୋଗଦାନ କରିଥିବା ୩୦ଟି ତୈଳିକ ସମାଜକୁ ଉଲ୍ଲେଖନୀୟ କୃତିତ୍ୱ ପାଇଁ ସମ୍ବର୍ଧିତ କରାଯାଇଥିଲା। ପ୍ରାକ୍ତନ ସଭାପତି, ସମ୍ପାଦକ ଓ ସଭ୍ୟମାନଙ୍କୁ ମଧ୍ୟ ସମ୍ବର୍ଧିତ କରାଯାଇଥିଲା। ସଭା ମଂଚରେ କାର୍ଯ୍ୟକାରୀ ସଭାପତି ଡ.ଉପେନ୍ଦ୍ର କୁମାର ସାହୁ, ଉପସଭାପତି ଡ.ଦାମୋଦର ସାହୁ ଉପସ୍ଥିତ ଥିଲେ। ସଂଗଠନ ସମ୍ପାଦକ ଜୟକୃଷ୍ଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ଉଦୟଶଙ୍କରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିବା ବେଳେ ସଭା ପୂର୍ବରୁ ଭଜନ ପରିବେଷଣ କରାଯାଇଥିଲା।

ସମ୍ବନ୍ଧିତ ଖବର