ବାଲିଅନ୍ତା: ପୂଜ୍ୟପୂଜା ପରମ୍ପରାର ବହୁ ଗୁରୁତ୍ବ ରହିଛି। ଏହି ପବିତ୍ର ପରମ୍ପରା ବଳରେ ଆମ କଳା, ସଂସ୍କୃତି, ସାହିତ୍ୟ, ଐତିହ୍ୟ ଆଦି ପିଢ଼ି ପରେ ପଢ଼ିକୁ ସଂଚରିତ ହେବା ସହ ଅଧିକରୁ ଅଧିକ ବ୍ୟାପ୍ତ ଓ ସମୃଦ୍ଧ ହୋଇଥାଏ। ତେବେ ସବୁଠୁ ବଡ଼ କଥା ହେଉଛି, ଏହା ଦ୍ବାରା ପ୍ରତିଭା ବିକଶିତ ହୁଏ। ନବ ପ୍ରତିଭା ପରିସ୍ଫୁଟ ହେବାର ସୁଯୋଗ ସୃଷ୍ଟି ହୁଏ। ଓଡ଼ିଶା ଶାସ୍ତ୍ରୀୟ ସଙ୍ଗୀତ ଜଗତର ଅମ୍ଳାନ ତାରକା ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାଶଙ୍କ ଜନ୍ମ ଜୟନ୍ତୀ ପାଳନ ଅବସରରେ ଆଜି ଅତିଥିମାନେ ଏଭଳି ମତବ୍ୟକ୍ତ କରିଛନ୍ତି।

Advertisment

ସ୍ବର୍ଗତ ଦାଶଙ୍କ ଗାଁ ମାଟି ବାଲିଅନ୍ତା ବସନ୍ତପେଡ଼ିରେ ବାଳକୃଷ୍ଣ ଦାଶ ସ୍ମୃତି ସଂସଦ ସଭାପତି ଡ. ରଜନୀରଞ୍ଜନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଶାସକ ହେମନ୍ତ କୁମାର ପାଢ଼ୀ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ‘ସମ୍ବାଦ’ର ବରିଷ୍ଠ ସାମ୍ବାଦିକ ଚୌଧୁରୀ ଅମିତାଭ ଦାସ ଉପସ୍ଥିତ ଥିଲେ। ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଅଶୋକ ପାଲିତ୍‌, ବ୍ଲକ୍‌ ଅଧ୍ୟକ୍ଷା ବାସନ୍ତୀ ଖଟୁଆ, ଉପାଧ୍ୟକ୍ଷା ଇତିଶ୍ରୀ ଜେନା, ଜିଲ୍ଲା ପରିଷଦ ସଭ୍ୟ କୁନ୍‌ମୁନ ଲେଙ୍କା, ସରପଞ୍ଚ ରୀନା ବେହେରା ଓ ସମିତି ସଭ୍ୟ ଗଙ୍ଗାଧର ମାହାରି ଉପସ୍ଥିତ ଥିଲେ। ଏହି ଅବସରରେ ସ୍ମୃତି ସଂସଦ ପକ୍ଷରୁ ସାମ୍ବାଦିକତା ଓ ସାହିତ୍ୟ ପାଇଁ ସାମ୍ବାଦିକ ଶ୍ରୀ ଦାସ ଓ ନାଟ୍ୟ ପାଇଁ ମ‌ନୋଜ ପଟ୍ଟନାୟକଙ୍କୁ ବାଳକୃଷ୍ଣ ଦାଶ ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା।

ଅନୁଷ୍ଠାନର ସଂପାଦକ ଜଗନ୍ନାଥ ଶତପଥୀ ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ଭୁବନେଶ୍ବର ଏକାଗ୍ରତା ନୃତ୍ୟାନୁଷ୍ଠାନ ପକ୍ଷରୁ ପରିବେଷିତ ଓଡ଼ିଶୀ ନୃତ୍ୟ ଦର୍ଶକଙ୍କୁ ବିମୋହିତ କରିଥିଲା। ସୂଚନାଯୋଗ୍ୟ ଯେ ଏହି ଗ୍ଲାନି ସଂହାର ଗୀତକୁ ନିଜେ ସ୍ବର୍ଗତ ଦାଶ ସଂଯୋଜନା କରିଥିବା ବେଳେ ନାଟ୍ୟ ସଂଯୋଜନା କରିଥିଲେ ଗୁରୁ ପଙ୍କଜ ଦାଶ। ଖୋର୍ଦ୍ଧା କୁହୁଡ଼ିର କଳାକାରମାନଙ୍କ ଦ୍ବାରା ପରିବେଷିତ ପାଇକ ଆଖଡ଼ା ବେଶ୍ ଆକର୍ଷଣୀୟ ଥିଲା। ସଭା ପୂର୍ବରୁ ଆଜି ଅପରାହ୍ଣରେ ସ୍ବର୍ଗତ ଦାଶଙ୍କ ଗାଁ ବସନ୍ତପେଡ଼ିସ୍ଥିତ ତାଙ୍କ ଅନ୍ତୁଡ଼ିଶାଳରୁ ଏକ ସଂକୀର୍ତ୍ତନ ଶୋଭାଯାତ୍ରା ବାହାରି ବାଳକାଟି ଫାଣ୍ଡି ଛକସ୍ଥିତ ପ୍ରତିମୂର୍ତ୍ତି ନିକଟକୁ ଆସିଥିଲା। ସେଠାରୁ ଶୋଭାଯାତ୍ରା କଲେଜ ପଡ଼ିଆ ନିକଟସ୍ଥ ସାଂସ୍କୃତିକ ଭବନ ନିକଟରେ ପହଞ୍ଚିଥିଲା।