ଏମିତି ଆମ ସ୍ମାର୍ଟସିଟି: ଖୁଣ୍ଟରେ ଝୁଲୁଛି ବିଦ୍ୟୁତ୍‌ ମିଟର

ଭୁବନେଶ୍ବର: ସ୍ମାର୍ଟ ସିଟିରେ ଭୂତଳ କେବୁଲ୍‌ ବିଛାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। ପ୍ରାୟ ସମସ୍ତ ପ୍ରମୁଖ ରାସ୍ତାରେ ଭୂତଳ କେବୁଲ୍‌ ବିଛା ସରିଲାଣି। ହେଲେ ସ୍ମାର୍ଟ ସିଟିର ପ୍ରମୁଖ ଅଞ୍ଚଳ ଭାବେ ଗଣା ହେଉଥିବା ୟୁନିଟ୍‌-୩ରେ ଏବେ ବିଦ୍ୟୁତ୍‌ ଖୁଣ୍ଟରେ ମିଟର ଝୁଲୁଛି। ‌ସାଧାରଣତଃ ଲୋକଙ୍କ ଘରେ ବିଦ୍ୟୁତ୍‌ ମିଟର ଲାଗୁଥିବା ବେଳେ ଏଠାରେ ଲୋକଙ୍କ ମିଟର ଖୁଣ୍ଟରେ ଝୁଲୁଛି। ବିପଦପୂର୍ଣ୍ଣ ଭାବେ ଏହି ମିଟର ଝୁଲୁଥିଲେ ହେଁ ଏହାପ୍ରତି କାହାର ନଜର ନାହିଁ। ୟୁନିଟ-୩ର ପିଏଚ୍‌ଡି ଅଫିସ ନିକଟରୁ ନୀଳାଚଳ ହସ୍ପିଟାଲକୁ ଯାଇଥିବା ରାସ୍ତାରେ ଏହି ବିଚିତ୍ର ଦୃଶ୍ୟ ଦେଖିବାକୁ ମିଳୁଛି। ଏପରିକି କିଛି ଦିନ ତଳେ ଏହି ଅଞ୍ଚଳରେ ଡ୍ରେନ୍ ପ୍ରକଳ୍ପର ଶିଳାନ୍ୟାସ କରିବାକୁ ଯାଇଥିବା ଭୁବନେଶ୍ବର (ମଧ୍ୟ) ବିଧାୟକ ଅନନ୍ତ ନାରାୟଣ ଜେନା ଏହି ଖୁଣ୍ଟ ଓ ମିଟରକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ରାଜଧାନୀରେ ଏବେ ବି ଏମିତି ବିପଦସଂକୁଳ ଅବସ୍ଥାରେ ବିଦ୍ୟୁତ ମିଟର ଝୁଲୁଛି, ସେ ବିଶ୍ବାସ କରିପାରିନଥିଲେ। ଏନେଇ ଶକ୍ତି ବିଭାଗ ଅଧିକାରୀଙ୍କ ସହ ଆଲୋଚନା କରିବେ ବୋଲି ସ୍ଥାନୀୟ ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲେ।

ଏନେଇ ଟିପିସିଓଡିଏଲ୍‌ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଏହାକୁ ପିଲାର ମିଟର କୁହାଯାଏ। ଯେଉଁଠି ଲୋକଙ୍କ ଘରେ ସୁବିଧା ନଥାଏ, ସେଠାରେ ଏହି ମିଟର ଲଗାଯାଏ। ମାଳିସାହିରେ କିଛି ଗ୍ରାହକଙ୍କ ଘରେ ଏହି ମିଟର ଲାଗିଛି। ବହୁ ବର୍ଷ ତଳୁ ଏହା ଲାଗିଛି। ରବିବାର ବାଲିପାଟଣା ଅଞ୍ଚଳରେ ଏହିଭଳି ଏକ ମିଟର ବିସ୍ଫୋରଣ ହେବାରୁ ଦୋକାନରେ ନିଆଁ ଲାଗି ଯାଇଥିଲା। ଯଦି ସେହିଭଳି ଦୁର୍ଘଟଣା ଏଠାରେ ହୁଏ, ତେବେ ପୂରା ମାଳିସାହି ଜଳିଯିବ। କେବଳ ମାଳିସାହି ଜଳିବନି, ଏହି ମିଟର ନିକଟରେ ଗୁଚ୍ଛା ଗୁଚ୍ଛା ତାର ଓହଳିଛି। ଏହି ତାରରେ ନିଆଁ ଲାଗିଲେ ପୂରା ସତ୍ୟନଗର ଓ ଖାରବେଳନଗର ଜଳିଯିବ। ହେଲେ ଶକ୍ତି ବିଭାଗର ଅଧିକାରୀଙ୍କୁ ଏହା ଦେଖା ଯାଉନି।

ସମ୍ବନ୍ଧିତ ଖବର