ଭୁବନେଶ୍ୱର : କେବଳ ଟେଣ୍ଡର୍ ଫିକ୍ସିଂ, ହତ୍ୟା, ଅପହରଣ, ଦାଦାବଟି ନୁହେଁ, ବନ୍ଧୁକ କାରବାରରେ ବି ବେଶ୍ ସକ୍ରିୟ ଡି’ ବ୍ରଦର୍ସ ସୁଶାନ୍ତ ଧଳସାମନ୍ତ ଓ ସୁଶୀଲ ଧଳସାମନ୍ତ। ଜେଲ୍ ଭିତରେ ଥାଇ ମଧ୍ୟ ସେମାନଙ୍କ ମର୍କତନଗରସ୍ଥିତ ଘରୁ ଠାବ ହୋଇଛି ଅସ୍ତ୍ରଶସ୍ତ୍ରର ଭଣ୍ଡାର। ଏକାଥରକେ ୧୬ଟି ମାଉଜର୍ ଓ ୧୦୯୫ ଗୁଳି ଜବତ ହୋଇଛି। କୌଣସି ଅପରାଧୀଙ୍କ ପାଖରୁ ଏତେ ପରିମାଣର ବନ୍ଧୁକ ଓ ଗୁଳି ମିଳିବା ରାଜ୍ୟ ଅପରାଧ ଇତିହାସରେ ଏକ ରେକର୍ଡ। ତେବେ ଡି’ ବ୍ରଦର୍ସଙ୍କଠାରୁ ବନ୍ଧୁକ ଜବତ ହେବା ଘଟଣା ନୂଆ ନୁହେଁ। ୧୦ ବର୍ଷ ତଳେ (୨୦୧୦ ଜାନୁଆରି ୯ତାରିଖରେ) କଟକ ସ୍ପେସାଲ ସ୍କ୍ବାଡ୍ ପୁଲିସ ପୁରୁଣା ଭୁବନେଶ୍ବର ଡାକବଙ୍ଗଳା ଛକ ନିକଟରୁ ସେମାନଙ୍କ ସହଯୋଗୀ ବବୁଲ୍ ମହାପାତ୍ର ଘରୁ ୯ ମାଉଜର୍, ୭୫୦ ଗୁଳି ଜବତ କରିଥିଲା। ସେହିପରି ୨୦୧୬ ମସିହାରେ ଭୁବନେଶ୍ବର ପୋଖରୀପୁଟ୍ରୁ ଦୁଇ ଭାଇଙ୍କୁ ଗିରଫ ସମୟରେ ମଧ୍ୟ ସେମାନଙ୍କ ଘର ଓ ସହଯୋଗୀଙ୍କଠାରୁ ୨୩ଟି ବନ୍ଧୁକ ଜବତ ହୋଇଥିଲା। ସେଥିରେ କାରବାଇନ୍, ଷ୍ଟେନ୍ଗନ୍ ସହ ଅନ୍ୟ ଅତ୍ୟାଧୁନିକ ମାଉଜର୍ ରହିଥିଲା। ଦୁଇ ଭାଇ ବାରମ୍ବାର ଗିରଫ ହେବା ପରେ ମଧ୍ୟ ସେମାନଙ୍କ ସାମ୍ରାଜ୍ୟ ଉପରେ କିଛି ବି ଫରକ୍ ପଡ଼ି ନାହିଁ। ସେମାନଙ୍କ ବନ୍ଧୁକ, ଗୁଳି କାରବାର ସେମିତି ଜାରି ରହିଛି। ତେବେ ଏଠାରେ ପ୍ରଶ୍ନ ଉଠୁଛି, ଡି’ ବ୍ରଦର୍ସଙ୍କ ପାଖକୁ ଏତେ ବନ୍ଧୁକ, ଗୁଳି ଆସୁଛି କେଉଁଠୁ? କିଏ ଏମାନଙ୍କୁ ବନ୍ଧୁକ ଯୋଗାଇ ଦେଉଛି?
/sambad/media/post_attachments/wp-content/uploads/2018/03/D-BROTHERS.jpg)
ଗ୍ୟାଙ୍ଗ୍କୁ ଅପରେଟ୍ କରୁଛି କିଏ?
ଡି’ ବ୍ରଦର୍ସ ଓ ସେମାନଙ୍କ ଗ୍ୟାଙ୍ଗକୁ ପୁଲିସ ଜେଲ୍ରେ ପୂରାଇ ଯେତିକି ଆଶ୍ବସ୍ତ ହେଉଥିଲା, ଏବେ ସେମାନଙ୍କ ଘରୁ ବିପୁଳ ଅସ୍ତ୍ରଶସ୍ତ୍ର ମିଳିବା କମିସନରେଟ୍ ପୁଲିସ୍ର ଚିନ୍ତା ବଢ଼ାଇ ଦେଇଛି। କାରଣ ଦୁଇଭାଇଙ୍କ ଗିରଫଦାରୀକୁ ୫ବର୍ଷ ହୋଇଥିଲେ ହେଁ ତାହା ସେମାନଙ୍କ ଅପରାଧ ସାମ୍ରାଜ୍ୟ ଉପରେ କୌଣସି ଫରକ୍ ପକାଇ ପାରିନାହିଁ। ସେମାନଙ୍କ ଗ୍ୟାଙ୍ଗ୍ ଏବେ ବି ଅପରାଧ ଜଗତରେ ସକ୍ରିୟ ରହିଥିବା ଜଣାପଡ଼ିଛି। ତେବେ ଡି’ ବ୍ରଦର୍ସଙ୍କ ଇସାରାରେ କିଏ ବାହାରେ ଗ୍ୟାଙ୍ଗ ଅପରେଟ୍ କରୁଛି, ତାହା ଖୋଜି ବାହାର କରିବା ଏବେ ପୁଲିସ୍ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି।
ଗ୍ୟାଙ୍ଗ୍ରେ ସ୍ଲିପର୍ ସେଲ୍!
ଏବେ ଗିରଫ ହୋଇଥିବା ୮ ଅପରାଧୀ ଡି’ ବ୍ରଦର୍ସ ଗ୍ୟାଙ୍ଗର ବନ୍ଧୁକ କାରବାରରେ ସମ୍ପୃକ୍ତ ଥିବା ଜଣାପଡ଼ିଛି। କିନ୍ତୁ କିଛି ସଦସ୍ୟ ଏହି ଗ୍ୟାଙ୍ଗକୁ ଅପରେଟ୍ କରୁଥିବା ଅନୁମାନ କରାଯାଉଛି। ଏହି ଘଟଣାରେ ଜଣେ ହୋମଗାର୍ଡଙ୍କ ଭୂମିକା ମଧ୍ୟ ସନ୍ଦେହଘେରକୁ ଆସିଛି। ପୁଲିସ ତାଙ୍କୁ ମାରାଥନ୍ ଜେରା ମଧ୍ୟ କରିଛି। ତାଙ୍କଠାରୁ କାରବାର ସମ୍ପର୍କରେ ପର୍ଦ୍ଦାଫାସ୍ ହେବ ବୋଲି କୁହାଯାଉଛି। ଡି’ ବ୍ରଦର୍ସଙ୍କର ଆହୁରି କେତେ ସଦସ୍ୟ ଏବେ ବାହାରେ ରହି ଅପରେଟ୍ କରୁଛନ୍ତି? ଗ୍ୟାଙ୍ଗର ସ୍ଲିପର ସେଲ୍ ଭଳି ସେମାନେ କାର୍ଯ୍ୟ କରୁଛନ୍ତି କି? ଗିରଫ ଅପରାଧୀଙ୍କ ଛଡ଼ା ଡି’ ବ୍ରଦର୍ସଙ୍କୁ ଆଉ କେଉଁମାନେ ସହଯୋଗ କରୁଛନ୍ତି? ଦୁଇଭାଇଙ୍କୁ ରିମାଣ୍ଡରେ ଆଣି କ୍ରାଇମ ସିଣ୍ଡିକେଟ୍ର ପର୍ଦ୍ଦାଫାସ୍ କରିବାକୁ ଆଶା ରଖିଛି ପୁଲିସ୍।
ମୁଙ୍ଗେର ଠିକଣାରେ ଅଟକି ଯାଇଛି ପୁଲିସ
ଜଣେ ଅବସରପ୍ରାପ୍ତ ପୁଲିସ ଅଧିକାରୀଙ୍କ ସୂଚନା ଅନୁସାରେ, ବିହାରର ମୁଙ୍ଗେର୍ ବନ୍ଧୁକ ଆମଦାନୀର କେବଳ ଗୋଟିଏ ଠିକଣା ହୋଇ ରହିନାହିଁ। ଝାଡ଼ଖଣ୍ଡ, ଛତିଶଗଡ଼ରୁ ମଧ୍ୟ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ରର ଚୋରା କାରବାର ଚାଲିଛି। ଓଡ଼ିଶାକୁ ପଢ଼ିବା ନାଁରେ ଆସୁଥିବା କିଛି ଅଣଓଡ଼ିଆ ଛାତ୍ର ଏହି ବନ୍ଧୁକ କାରବାରର ମଙ୍ଗ ଧରିଛନ୍ତି। ଛୁଟିରେ ଘରକୁ ଯାଇ ଫେରିବା ସମୟରେ ସାଙ୍ଗରେ ବନ୍ଧୁକ ଆଣି ରାଜଧାନୀରେ ବିକ୍ରି କରୁଥିବା ନଜିର୍ ମଧ୍ୟ ରହିଛି। ପୂର୍ବରୁ ଜାଗମରା, ପଟିଆ, ଖଣ୍ଡଗିରି ଅଞ୍ଚଳରୁ ବନ୍ଧୁକ ସହ ଇଞ୍ଜିନିୟରିଂ ଛାତ୍ର ଧରା ପଡ଼ିବା ଘଟଣାରୁ ସ୍ପଷ୍ଟ ହୋଇଯାଇଛି। ଏକାଧିକ ଘଟଣାରେ ଝାଡ଼ଖଣ୍ଡ, ଛତିଶଗଡ଼ରୁ ବନ୍ଧୁକ ଆସିଥିବା ମଧ୍ୟ ଜଣାପଡ଼ିଛି। କିନ୍ତୁ ପୁଲିସ କେବଳ ମୁଙ୍ଗେର ଠିକଣାରେ ଅଟକି ଯାଇଛି। ଏତେ ବଡ଼ ଗ୍ୟାଙ୍ଗକୁ ଧରି ବାହାବା ନେଇଥିବା କମିସନରେଟ ପୁଲିସ୍ ଚୋରା ବନ୍ଧୁକ କାରବାର ଚେର ଖୋଜି ପାଇବ ନା ପୂର୍ବ ଘଟଣା ଭଳି ଫେଲ୍ ମାରିବ, ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/d-brothers.jpg)
