ଭୁବନେଶ୍ୱର: ଶ୍ରୀଜଗନ୍ନାଥ କେବଳ ଗବେଷଣାର ବିଷୟବସ୍ତୁ ନୁହନ୍ତି, ସେ ଜଣେ ପରମପୁରୁଷ। ତାଙ୍କ ଇଚ୍ଛାରେ ସବୁ କିଛି ଘଟୁଛି। ମହାପ୍ରଭୁ ଓଡ଼ିଆ ଜାତିର ପରିଚୟକୁ ବିଶ୍ୱ ଦରବାରରେ ପହଞ୍ଚାଇଛନ୍ତି। ଆଜି ଆମେ ଜଗନ୍ନାଥଙ୍କୁ ଯେଉଁ ପ୍ରତିମୂର୍ତିରେ ଦେଖୁଛୁ, ଏହା ତାଙ୍କର ଆଦ୍ୟ ରୂପ ନୁହେଁ। ବହୁ ବିବର୍ତିତ ଅବସ୍ଥା ଦେଇ ଶ୍ରୀ ଜଗନ୍ନାଥଙ୍କ ପ୍ରତିମୂର୍ତି ଏପରି ଅବସ୍ଥାରେ ପହଞ୍ଚିଛିି।
ଏପରି ମତ ପ୍ରକାଶ କରିଛନ୍ତି, ବିଶିଷ୍ଟ ବାଗ୍ମୀ, ସଂସ୍କୃତି ବିଦ୍ୱାନ, ଗବେଷକ ଡ. ରଜତ କୁମାର କର।
Sambad is now on WhatsApp
Join and get latest news updates delivered to you via WhatsApp
ସଂସ୍କୃତି ବିଭାଗ ଆନୁକୂଲ୍ୟରେ ରାଜ୍ୟ ଅଭିଲେଖାଗାରଠାରେ ଅନୁଷ୍ଠିତ ସଂସ୍କୃତି ଚର୍ଚ୍ଚା ‘ପ୍ରଭୁ ଜଗନ୍ନାଥ: ଏକ ଭିନ୍ନଦୃଷ୍ଟି’ କାର୍ଯ୍ୟକ୍ରମରେ ଶ୍ରୀ କର ଅତିଥିଭାବେ ଯୋଗ ଦେଇ ଆହୁରି କହିଲେ, ଏହା ପୁରାତନ ବୌଦ୍ଧମୂର୍ତିର ରୂପ। ବର୍ତମାନର ଜଗନ୍ନାଥଙ୍କ ପ୍ରତିମୂର୍ତି ନିର୍ମାଣରେ ଶଙ୍କରାଚାର୍ଯ୍ୟଙ୍କ ମହତ୍ୱପୂର୍ଣ୍ଣ ଭୂମିକା ରହିଛି। ସ୍କନ୍ଦ ପୁରାଣ ଓ ବ୍ରହ୍ମ ପୁରାଣ ସମେତ ପୁରୁଷୋତ୍ତମ ଆଚାର୍ଯ୍ୟଙ୍କ ପରି ଗବେଷକଙ୍କ ନାମ ଉଲ୍ଲେଖ କରି ଡ. କର କହିଲେ, ବୌଦ୍ଧ ମୂର୍ତରେ ପ୍ରକୃତି ଓ ପୁରୁଷ ଭାବରେ ଦୁଇଟି ପ୍ରସ୍ତର ମୂର୍ତି ପୂଜା ପାଉଥିଲେ। ପରେ ନିରାକାର ତଥା ସାକାରର ମଧ୍ୟବର୍ତୀ ଅବସ୍ଥା ଭାବରେ ଶ୍ରୀଜଗନ୍ନାଥଙ୍କ ମୂର୍ତି ପ୍ରକାଶିତ ହୋଇଛି। ଶବର ସଂସ୍କୃତିରେ ମଧ୍ୟ ଶ୍ରୀଜଗନ୍ନାଥଙ୍କ ଆଭାସ ମିଳିଥାଏ। ପ୍ରତୀକକୁ ପୂଜା କରି ଆମେ ବାସ୍ତବରେ ଶୂନ୍ୟସ୍ୱରୂପ, ନିରାକାରଙ୍କୁ ଆରଧନା କରୁ। ଓଡ଼ିଶାରେ ଶାସକ ନେତୃତ୍ୱରେ ପରବର୍ତୀ ସମୟରେ ଯବନମାନଙ୍କ ଆକ୍ରମଣରୁ ସୁରକ୍ଷା ପାଇଁ ପଥର ପରିବର୍ତେ ଦାରୁମୂର୍ତିକୁ ଗ୍ରହଣ କରାଯାଇଛି। ଏଥିସହିତ ଡ. କର, ଶ୍ରୀଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ସମ୍ପର୍କରେ ଶାସ୍ତ୍ର ଆଧାରିତ ବହୁ ତଥ୍ୟ ଉପସ୍ଥାପନ କରିଥିଲେ।
ସଂସ୍କୃତି ବିଭାଗର ନିର୍ଦେଶକ ଅମରେନ୍ଦ୍ର କୁମାର ପଟ୍ଟନାୟକଙ୍କ ଆଲୋଚନାରେ ଅଧ୍ୟକ୍ଷତା କରିଥିଲେ। ଅଭିଲେଖାଗାର ଅଧୀକ୍ଷକ ସୂଚୀସ୍ମିତା ମନ୍ତ୍ରୀ ସ୍ୱାଗତ ଭାଷଣ ଦେଇଥିଲେ। ଶେଷରେ ବିଭାଗର ଉପନିର୍ଦେଶକ ସଂଘମିତ୍ରା ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ।