‘ସୋଆ’ରେ ଲିଟେରାରି ଫେଷ୍ଟିଭାଲ୍‌, ସାହିତ୍ୟବିହୀନ ଭାଷା ଅଳ୍ପାୟୁ

ଖଣ୍ଡଗିରି: ସଂସ୍କୃତି ଏକ ଜାତିର ପରିଚୟ ହେଲେ ଭାଷା ଉକ୍ତ ଜାତିର ମୁହଁ। ତେଣୁ ମୁହଁ ବିନା ପରିଚୟ ଯେମିତି ନିରର୍ଥକ, ଭାଷା ବିନା ସଂସ୍କୃତି ସେମିତି ମୂଲ୍ୟହୀନ। କିନ୍ତୁ ସାହିତ୍ୟବିହୀନ ଭାଷା ହେଉଛି ଅଳ୍ପାୟୁ। ଯେଉଁ ଭାଷାର ନିଜସ୍ବ ସାହିତ୍ୟ ନାହିଁ, ସେ ଭାଷା ଅକାଳରେ ମୃତ୍ୟୁବରଣ କରିଛି। ହିମାଳୟ ପାର୍ବତ୍ୟମାଳା ଓ ବିଶ୍ବର ଅନେକ ସ୍ଥାନରେ ଏମିତି ବହୁ ପ୍ରାଚୀନ ଭାଷାର ବିଲୟ ଘଟିଛି। ତେଣୁ ଏକ ଜାତିର ପରିଚୟ ହେଉଛି ତା’ ଭାଷାରେ ରଚିତ ସାହିତ୍ୟ। ଆଜି ଶିକ୍ଷା ଓ ଅନୁସନ୍ଧାନ ବିଶ୍ବବିଦ୍ୟାଳୟ (ସୋଆ)ର ‘ପ୍ରାଚୀନ’ ପକ୍ଷରୁ ଉଦ୍‌ଘାଟିତ ହୋଇଥିବା ପ୍ରଥମ ଲିଟେରାରି ଫେଷ୍ଟିଭାଲ୍‌ ଅବସରରେ ବିଶିଷ୍ଟ ମରାଠି ସାହିତ୍ୟିକ ତଥା ପ୍ରଶାସକ ଡ. ଜ୍ଞାନେଶ୍ବର ମୂଲେ ଏହା କହିଛନ୍ତି।

ଓଡ଼ିଶାକୁ ଭାରତର ସଂସ୍କୃତି ରାଜଧାନୀ ବୋଲି ବର୍ଣ୍ଣନା କରି ଡ. ମୂଲେ ମଧୁସୂଦନ ରାଓଙ୍କୁ ସ୍ମରଣ କରିବା ସହ ବିଶିଷ୍ଟ କବି ରମାକାନ୍ତ ରଥଙ୍କ ପୁସ୍ତକ ଶ୍ରୀରାଧାକୁ ମରାଠିରେ ଅନୁବାଦ କରି ଗର୍ବିତ ଥିବା କହିଥିଲେ। ଭାଷା ଓ ସାହିତ୍ୟ ସମୃଦ୍ଧ ହେବା ପାଇଁ ଅଧିକରୁ ଅଧିକ ଲାଇବ୍ରେରିର ଆବଶ୍ୟକତା ରହିଛି ବୋଲି ସେ ମତ ରଖିଥିଲେ। ବିଶିଷ୍ଟ ସିନ୍ଧି କବି ଡ. ବାସୁଦେବ ମହି ଚିରାଚରିତ ପ୍ରବାଦରୁ ନିଜକୁ ଦୂରେଇ ରଖି ସାହିତ୍ୟକୁ କେବଳ ସମାଜର ଆଇନା ବୋଲି ସ୍ବୀକାର କରିନଥିଲେ। ତାଙ୍କ ମତରେ ସାହିତ୍ୟ ଏକ କଳ୍ପନା। ସାହିତ୍ୟରେ ସବୁ ବାସ୍ତବିକତା ସ୍ଥାନ ପାଇନଥାଏ। ବହୁ କଳ୍ପନାକୁ ନେଇ ସାହିତ୍ୟ ସମୃଦ୍ଧ ହୋଇଥାଏ। ୧୫୦ ବର୍ଷ ପୂର୍ବେ ସାହିତ୍ୟ ଜହ୍ନ ରାଇଜକୁ ଯିବା କଳ୍ପନା କରି କବିତା ଲେଖିଥିଲା। ସେତେବେଳେ ତାହା ଏକ କଳ୍ପନା ଥିଲା ମାତ୍ର। ବାସ୍ତବିକତା ନଥିଲା। ତେଣୁ ସାହିତ୍ୟକୁ ସମାଜର ଦର୍ପଣ ଭିତରେ ସୀମିତ କଲେ, ଚଳିବ ନାହିଁ। କଳ୍ପନା ଓ ବାସ୍ତବିକତା ମଧ୍ୟରେ ଅହରହ ଚାଲିଥିବା ସଂଘର୍ଷ ହିଁ ସାହିତ୍ୟ ବୋଲି ଡ. ମହି ମତ ଦେଇଥିଲେ। ତେ‌ବେ ସେ ଶବ୍ଦ ଉପରେ ଅଧିକ ଗୁରୁତ୍ବ ଦେଇଥିଲେ। ତାଙ୍କ ମତରେ ସାହିତ୍ୟରେ ଶବ୍ଦ ହିଁ ସ‌ର୍ବେସର୍ବା। ପରେ ବିଚାର। କାରଣ ଚିତ୍ରକର ରଙ୍ଗରେ ଓ ସଂଗୀତକାର ବାଦ୍ୟ ଝଙ୍କାରରେ ସେମାନଙ୍କ ସୃଷ୍ଟିକୁ ସୁନ୍ଦର କରୁଥିବାବେଳେ ସାହିତ୍ୟିକ ପାଖରେ ଥାଏ କେବଳ ଶବ୍ଦ। ଏହି ଅବସରରେ ଗୁଜୁରାଟର ବିଶିଷ୍ଟ ସାହିତ୍ୟିକ ଡ. ସୀତାଂଶୁ ୟଶଚନ୍ଦ୍ର ଗୋପବନ୍ଧୁ ଦାସଙ୍କ ‘ଉତ୍କଳ କମଳା ବିଳାସ ଦୀର୍ଘିକା, ମରାଳ ମାଳିନୀ ନୀଳାମ୍ବୁ ଚିଲିକା’ ପଦରୁ ତାଙ୍କ ବକ୍ତ୍ୟବ ଆରମ୍ଭ କରିଥିଲେ। ସେ ତାଙ୍କ ବକ୍ତବ୍ୟରେ ‌ସାହିତ୍ୟିକ ଓ ପାଠକ ମଧ୍ୟରେ ସମ୍ପର୍କର ସେତୁକୁ ନେଇ ଆଲୋକପାତ କରିଥିଲେ। ମଣିଷ ସମାଜକୁ ଅନ୍ଧବିଶ୍ବାସର ଅନ୍ଧାରି ଗଳିରୁ ସାହିତ୍ୟ ହିଁ ମୁକ୍ତି ଦିଏ ବୋଲି ସେ କହିଥିଲେ। ନିଃସଙ୍ଗତା ତାଙ୍କୁ ପ୍ରେରଣା ଦିଏ ଓ ନର୍ଜନତାର ଯନ୍ତ୍ରଣାରୁ ତାଙ୍କ ଲେଖା ବଳିଷ୍ଠ ହୋଇଛି ବୋଲି ବିଶିଷ୍ଟ ଲେଖକ ତରୁଣକାନ୍ତି ମିଶ୍ର କହିଥିଲେ। ସାଧାରଣ ଲୋକର ହୃଦୟ କଥା ସାହିତ୍ୟରେ ପ୍ରତିଫଳିତ ହୁଏ ବୋଲି ବିଶିଷ୍ଟ ସାନ୍ତାଳି କବି କାଳୀଚରଣ ହେମ୍ବ୍ରମ୍‌ କହିଥିଲେ। ସୋଆ ପ୍ରାଚୀନର ମୁଖ୍ୟ ଡ. ଗାୟତ୍ରୀବାଳା ପଣ୍ଡା ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବାବେଳେ କୁଳପତି ପ୍ରଫେସର ଆର.କେ ଚୌହାନ ବକ୍ତବ୍ୟ ରଖିଥିଲେ। ଉଦ୍‌ଘାଟନ ପରବର୍ତ୍ତୀ ପର୍ଯ୍ୟାୟର ବିଭିନ୍ନ କାର୍ଯ୍ୟକ୍ରମରେ ବିଶିଷ୍ଟ ସାହିତ୍ୟିକ ଜୟନ୍ତ ମହାପାତ୍ର, ଦୀପକ ସାମନ୍ତରାୟ, ଚିତ୍ରା ମୁଦ୍‌ଗଲ, ଦେବଦାସ ଛୋଟରାୟ, ପାରମିତା ଶତପଥୀ, ରାଜେନ୍ଦ୍ର ପ୍ରସାଦ ମିଶ୍ର, ସ୍ନେହପ୍ରଭା ଦାସ, ପ୍ରଫେସର ପ୍ରୀତିଶ ଆଚାର୍ଯ୍ୟ, ପ୍ରଫେସର ଦାଶ ବେନହୂର, ପ୍ରଫେସର ଅମିତ୍ ରଞ୍ଜନ, ଯଶୋଧାରା ରାୟ ଚୌଧୁରୀ, ହରିଣ୍ମୟୀ ମିଶ୍ର ଏବଂ ଜୟ ଜଗନ୍ନାଥ କାର୍ଯ୍ୟକ୍ରମରେ ଗବେଷକ ଅସିତ ମହାନ୍ତି ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର